ନୂଆଦିଲ୍ଲୀ ୧୩/୦୬: ଭାରତ ମହାସାଗର ତଳେ ବିଶ୍ୱର ସବୁଠୁ ବଡ଼ ‘ତିମି ସମାଧିସ୍ଥଳ’ ଠାବ ହୋଇଛି । ଲକ୍ଷାଧିକ ବର୍ଷ ପୁରୁଣା ତିମିଙ୍କ କଙ୍କାଳର ଏହି ବିଶାଳ କ୍ଷେତ୍ର ଗଭୀର ସମୁଦ୍ରରେ ଜୀବନ ଓ ନୂଆ ପ୍ରଜାତିଙ୍କର ଏକ ବିଶାଳ ଠିକଣା ବୋଲି ଚୀନ୍ର ବୈଜ୍ଞାନିକମାନେ ଐତିହାସିକ ଆବିଷ୍କାରରୁ ଜାଣିବାକୁ ପାଇଛନ୍ତି । ନେଚର୍ ପତ୍ରିକାରେ ପ୍ରକାଶିତ ଏହି ଅଧ୍ୟୟନ ଅନୁସାରେ, ଏହା ପୃଥିବୀର ଏପର୍ଯ୍ୟନ୍ତର ସବୁଠୁ ଗଭୀର ଓ ପୁରୁଣା ତିମି ସମାଧିସ୍ଥଳ ଯେଉଁଠି କିଛି ଜୀବାଶ୍ମ ପ୍ରାୟ ୫୩ ଲକ୍ଷ ବର୍ଷ ପୁରୁଣା । ଏହି ଆବିଷ୍କାର ଲାଗି ବୈଜ୍ଞାନିକମାନେ ଫେଣ୍ଡୋଜେ ନାମକ ଏକ ଛୋଟ ବୁଡ଼ାଜାହାଜ ବ୍ୟବହାର କରିଥିଲେ ।

ବୁଡ଼ାଜାହାଜ ୨୦୨୩ରେ ସମୁଦ୍ରରେ ମୋଟ୍ ୩୨ ଥର ଗଭୀରକୁ ଯାଇଥିଲା । ଅଷ୍ଟ୍ରେଲିଆର ପଶ୍ଚିମରେ ଭାରତ ମହାସାଗର ତଳେ ପ୍ରାୟ ୧,୨୦୦ କିମି ଲମ୍ବା କ୍ଷେତ୍ରରେ ଏହି ବିଶାଳ କଙ୍କାଳ ସ୍ଥଳୀ ରହିଛି, ଯାହାକୁ ‘ଡାୟମେଣ୍ଟିନା ଜୋନ୍’ କୁହାଯାଏ । ରୋବୋଟିକ୍ ବାହୁ ସାହାଯ୍ୟରେ ବୈଜ୍ଞାନିକମାନେ ସମୁଦ୍ର ପୃଷ୍ଠରୁ ୭ କିମି ଗଭୀରରୁ ପ୍ରାୟ ୫୦୦ କଙ୍କାଳର ନମୁନା ସଂଗ୍ରହ କଲେ । ଏହି ବଡ଼ ସଂଗ୍ରହ ଦେଖିବା ପରେ ସମଗ୍ର କ୍ଷେତ୍ରରେ ୧ କୋଟିରୁ ଅଧିକ ତିମିଙ୍କ କଙ୍କାଳ ଥାଇପାରେ ବୋଲି ସେମାନଙ୍କ ଅନୁମାନ ।

​​​​​​​

କୌଣସି ତିମିର ମୃତ୍ୟୁ ହେଲେ, ତାର ଓଜନଦାର ଶରୀର ସମୁଦ୍ର ଗଭୀରକୁ ଯାଏ, ବିଜ୍ଞାନ ଭାଷାରେ ତାକୁ ‘ହ୍ୱେଲ୍ ଫଲ୍’ କୁହାଯାଏ । ଅନ୍ଧକାର, ଠଣ୍ଡା ଓ ଶୂନଶାନ୍ ସମୁଦ୍ର ପୃଷ୍ଠରେ ଏହି ମୃତ ଶରୀର ଗଭୀର ସମୁଦ୍ର ଜୀବଙ୍କ ପାଇଁ ଭୋଜନ ଓ ଉର୍ଜ୍ଜାର ସବୁଠୁ ବଡ଼ ସ୍ରୋତ ପାଲଟିଯାଏ । ଏହି ସ୍ଥାନରେ ସମୁଦ୍ର ତଳେ ଭି ଆକୃତିର ଏକ ବିଶାଳ ଗର୍ତ୍ତ ରହିଛି, ଯାହା ମୃତ ତିମିଙ୍କ ଶରୀରକୁ ଏକତ୍ର କରି ସିଧା ସମୁଦ୍ରର ଗଭୀରରେ ଗୋଟିଏ ସ୍ଥାନରେ ଜମା କରିଦିଏ ।

 

ଆହୁରି ପଢ଼ନ୍ତୁ...Amazon water consumption: ଆମାଜନ୍ର ରିପୋର୍ଟ, ବର୍ଷରେ ଡାଟା ସେଣ୍ଟର୍ ପିଇଛି ୯୦୦ କୋଟି ଲିଟର ପାଣି

ଅଧ୍ୟୟନର ସହ-ଲେଖକ ପେଙ୍ଗ ଝୋଉ କହିଛନ୍ତି, ଏହି ତିମି ସମାଧିସ୍ଥଳକୁ ଆଖିରେ ଦେଖିବା ବାସ୍ତବରେ ଏକ ଅବିଶ୍ୱସନୀୟ ଅନୁଭବ । ସମୁଦ୍ରର ନିମ୍ନ ଅଂଶକୁ ସମ୍ପୂର୍ଣ୍ଣ ଅନ୍ଧାରୁଆ, ଥଣ୍ଡା ଓ ମୃତ ମନେକରାଯାଏ । କିନ୍ତୁ ଏହି କଙ୍କାଳ ସ୍ଥଳୀରେ ଏକ ପରିସଂସ୍ଥାନ ବଞ୍ଚିଛି । ବୈଜ୍ଞାନିକମାନେ ଏହି ମୃତ ଶରୀରଙ୍କ ଉପରେ ପ୍ରତିପାଳିତ ଅସଂଖ୍ୟ ଅଜବ ଜୀବ ଦେଖିଲେ, ଯାହା ବିଜ୍ଞାନ ପାଇଁ ସମ୍ଭବତଃ ପୂରା ନୂଆ ।