ଭୁବନେଶ୍ୱର, ୯/୪ : ତେଲ ନାହିଁ... । ଗାଡ଼ି ଖରାପ... । ତଦନ୍ତକାରୀ ଅଧିକାରୀ (ଆଇଓ) ମାନେ ଅଭିଯୋଗକାରୀଙ୍କୁ ଏମିତି କିଛି ବାହାନା ଦେଖାନ୍ତି। ଏହାକୁ ନଜରରେ ରଖି ସରକାର ସବୁ ଥାନାକୁ ଦୁଇ ଚକିଆ ଗାଡ଼ି ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରାୟ ସାଢ଼େ ୫ ହଜାର ଗାଡ଼ି ଯୋଗାଇ ଦିଆଯିବ। ଥାନାରେ ଥିବା ମହିଳା ଅଫିସରଙ୍କ ପାଇଁ ସ୍କୁଟି ଓ ପୁରୁଷଙ୍କ ପାଇଁ ବାଇକ୍‌ ଦିଆଯିବ। ଖାଲି ଗାଡ଼ି ନୁହେଁ ତେଲ ମଧ୍ୟ ଦିଆଯିବ ବୋଲି ଡିଜିପି ୱାଇ.ବି ଖୁରାନିଆ କହିଛନ୍ତି। 

ବିଭିନ୍ନ ମାମଲାର ତଦନ୍ତ ପାଇଁ ଆଇଓମାନେ ଥାନାକୁ ମିଳିଥିବା ଚାରି ଚକିଆ ଗାଡ଼ି ଉପରେ ନିର୍ଭର କରନ୍ତି । ଥାନା ଗାଡି ଯଦି ଅନ୍ୟ କାମରେ ନିୟୋଜିତ ଥିଲେ ଆଇଓମାନେ ବିଭିନ୍ନ ବାହାନା ଦେଖାନ୍ତି । ନିଜ ଗାଡି ଥାଇ ମଧ୍ୟ ବ୍ୟବହାର କରନ୍ତି ନାହିଁ । ଫଳରେ ଅଭିଯୋଗକାରୀ ଅନେକ ସମସ୍ୟାରେ ପଡ଼ନ୍ତି । ଏହାକୁ ଦୃଷ୍ଟିରେ ରଖି ଥାନାରେ ଥିବା ତଦନ୍ତକାରୀ ଅଧିକାରୀଙ୍କୁ ଦୁଇ ଚକିଆ ଗାଡ଼ି ସହ ପେଟ୍ରୋଲ୍‌ ଦେବାକୁ ନିଷ୍ପତ୍ତି ନେଇଛନ୍ତି ଡିଜିପି ୱା.ବି ଖୁରାନିଆ । ଏନେଇ ଡିଜିପି ସରକାରଙ୍କ ପାଖରେ ପ୍ରସ୍ତାବ ରଖିଥିଲେ । ରାଜ୍ୟ ସରକାର ଏହାକୁ ମଞ୍ଜୁର କରିଛନ୍ତି । ୬୫୦ ଥାନାରେ ଥିବା ଅଫିସିରଙ୍କୁ (ଇନ୍ସପେକ୍ଟରଙ୍କୁ ଛାଡି) ଗାଡି ଦିଆଯିବ । ଏମାନେ ଉକ୍ତ ଗାଡ଼ିକୁ ତଦନ୍ତରେ ବ୍ୟବହାର କରିବେ । ପ୍ରତି ମାସରେ ଗାଡ଼ି ପାଇଁ ୧୦ରୁ୧୫ ଲିଟର ପେଟ୍ରୋଲ ମଧ୍ୟ ସରକାର ଯୋଗଇ ଦେବେ । ବାଇକ୍‌ କିଣା ସରିଛି । ଆସନ୍ତା ମାସରେ ମୁଖ୍ୟମନ୍ତ୍ରୀ ସେ ସବୁ ଗାଡିକୁ ବଣ୍ଟନ କରିବେ ବୋଲି ଜଣାପଡିଛି । 

ଏହା ବ୍ୟତୀତ ଅପରାଧୀଙ୍କୁ ଧରିବାରେ ପୁଲିସ୍‌ ପାଇଁ ସବୁ ବେଳେ ଅର୍ଥ ବାଧକ ସାଜିଥାଏ । ନିଅଣ୍ଟିଆ ଟଙ୍କାରେ ପୁଲିସ୍‌ କୌଣସି ମାମଲାର ସଠିକ୍‌ ତଦନ୍ତ କରିପାରେ ନାହିଁ । ତଦନ୍ତ ପାଇଁ ତଦନ୍ତକାରୀ ଅଧିକାରୀ (ଆଇଓ) ଯାହା ଟଙ୍କା ଖର୍ଚ୍ଚ କରନ୍ତି ତାହା ମିଳୁନଥିବାରୁ ଏସବୁ ସମସ୍ୟା ଦେଖା ଦେଇଥାଏ । ଏବେ ଯେ କୌଣସି ମାମଲାରେ ଖିଅ ଯଦି ରାଜ୍ୟ ବାହାରକୁ ଲମ୍ବିଥିବ ପୁଲିସ୍‌ ସେଠକୁ ଯିବେ । ଯାହା ଖର୍ଚ୍ଚ ହେବ ବହନ କରିବେ ସରକାର । ଏ ନେଇ ଗତ ୪ ତାରିଖରେ ଅର୍ଥ ବିଭାଗ ବିଜ୍ଞପ୍ତି ଜାରି କରିଥିଲା । ବିଜ୍ଞପ୍ତି ପ୍ରକାଶ ପାଇବା ପରଦିନ ଏନେଇ ୫୦ କୋଟି ଟଙ୍କା ମଞ୍ଜୁର ହୋଇସାରିଛି । ଯାହା ପୁଲିସ୍‌ର ମନୋବଳ ଦୃଢ଼ କରିଛି । ତଦନ୍ତ ପାଇଁ ଟଙ୍କା ଆଉ ବାଧକ ସାଜିବ ନାହିଁ ବୋଲି ଡିଜିପି ଶ୍ରୀ ଖୁରାନିଆ କହିଛନ୍ତି ।