ନୂଆଦିଲ୍ଲୀ,୨୧/୧୨: ସ୍ୱିଗି ଏବଂ ଜୋମାଟୋ ଭଳି ଅନ୍‌ଲାଇନ୍‌ ଫୁଡ୍‌ ଡେଲିଭରୀ ଆପ୍‌ଗୁଡ଼ିକରୁ ଖାଦ୍ୟ ଅର୍ଡର କରିବା ଶସ୍ତା ହୋଇପାରେ । ଏହି  ଆପ୍‌ଗୁଡ଼ିକ ଉପରେ ଜିଏସ୍‌ଟି କମାଇପାରନ୍ତି  ସରକାର । ବତ୍ତର୍ମାନ ଆଇଟିସି(ଇନ୍‌ପୁଟ୍‌ ଟାକ୍ସ  କ୍ରେଡିଟ୍‌) ସହିତ ଏ ଆପ୍‌ଗୁଡ଼ିକ ଉପରେ ୧୮%  ଜିଏସ୍‌ଟି ଲାଗୁଥିବାବେଳେ ଏହାକୁ ୫%କୁ  ଖସାଇବାର ପ୍ରସ୍ତାବ ରହିଛି । ଶନିବାର ଜିଏସ୍‌ଟି ପରିଷଦର ୫୫ ତମ ବୈଠକରେ ଏହା ଉପରେ  ନିଷ୍ପତ୍ତି ହୋଇପାରେ ବୋଲି ଜଣାପଡ଼ିଛି ।  

ସେହିଭଳି ଇଲେକ୍ଟ୍ରିକ୍‌ ଯାନଗୁଡ଼ିକ ଉପରେ  ଜିଏସ୍‌ଟି ହାର ବଢ଼ାଯାଇପାରେ । ଫଳରେ ଏହା  ମହଙ୍ଗା ହୋଇଯିବ । ଶନିବାର ଅର୍ଥମନ୍ତ୍ରୀ ନିର୍ମଳା  ସୀତାରମଣଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା  ବୈଠକରେ ଜୀବନ ଏବଂ ସ୍ୱାସ୍ଥ୍ୟ ବୀମା ପ୍ରିମିୟମ୍‌  ଉପରେ ଟିକସ ହାର ହ୍ରାସ ଉପରେ ଆଲୋଚନା  କରାଯାଇପାରେ । ଅନ୍ୟପକ୍ଷରେ, ଲକ୍‌ଜ୍ୟୁରୀ  ହାତଘଣ୍ଟା, ଫୁଟ୍‌ୱେର୍‌ ଏବଂ ପୋଷାକ ଉପରେ  ଟିକସ ବୃଦ୍ଧି ନେଇ ବିଚାର କରାଯାଇପାରେ ।  ଅନ୍ୟପକ୍ଷରେ, ତମାଖୁ ଭଳି ସ୍ୱାସ୍ଥ୍ୟପ୍ରତି ହାନିକାରକ  ସାମଗ୍ରୀଗୁଡ଼ିକ ଉପରେ ୩୫%ର ଏକ ପୃଥକ  ଜିଏସ୍‌ଟି ସ୍ଲାବ୍‌ ଉପସ୍ଥାପନ କରାଯିବାର ଅନୁମାନ  ରହିଛି ।  

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଜିଏସ୍‌ଟି  ପରିଷଦର ଏହି ବୈଠକରେ ଅର୍ଥମନ୍ତ୍ରୀ ନିର୍ମଳା  ସୀତାରମଣଙ୍କ ସହିତ ରାଜ୍ୟ ପ୍ରତିପକ୍ଷମାନେ ଉପସ୍ଥିତ ରହିବେ । ବୈଠକରେ ସ୍ୱିଗି ଏବଂ  ଜୋମାଟୋ ଭଳି ଫୁଡ୍‌ ଡେଲିଭରୀ ପ୍ଲାଟ୍‌ଫର୍ମଗୁଡ଼ିକ  ପାଇଁ ଜିଏସ୍‌ଟି ହାରକୁ ୧୮%ରୁ ଖସାଇ ୫%  କରାଯିବାର ପ୍ରସ୍ତାବ ରହିଛି ।  

ବୈଠକରେ ପ୍ରାୟ ୧୪୮ ସାମଗ୍ରୀଗୁଡ଼ିକର  ଜିଏସ୍‌ଟି ହାରରେ ପରିବର୍ତ୍ତନ କରାଯାଇପାରେ ।  ଏହାସହିତ ଆଭିଏସନ୍‌ ଟର୍‌ବାଇନ୍‌ ଫୁଏଲ୍‌(ଏଟିଏଫ୍‌)କୁ ବି ଜିଏସ୍‌ଟି ପରିସରକୁ  ଅଣାଯିବା ଉପରେ ବିଚାର ବିମର୍ଶ ହେବ । ଫିଟ୍‌ମେଣ୍ଟ କମିଟି(ଯେଉଁଥିରେ କେନ୍ଦ୍ର ଏବଂ ରାଜ୍ୟର ଟିକସ ଅଧିକାରୀ ସାମିଲ) ବ୍ୟବହୃତ  ଇଲେକ୍ଟ୍ରିକ୍‌ ଯାନ(ଇଭି) ସହିତ କ୍ଷୁଦ୍ର ପେଟ୍ରୋଲ  ଏବଂ ଡିଜେଲ ଗାଡ଼ିର ବିକ୍ରି ଉପରେ ଥିବା ୧୨%  ଜିଏସ୍‌ଟିକୁ ୧୮%କୁ ବଢ଼ାଇବାର ପ୍ରସ୍ତାବ ଦେଇଛି ।  ଏହା ହେଲେ ବ୍ୟବହୃତ ତଥା ପୁରୁଣା କ୍ଷୁଦ୍ର କାର  ଏବଂ ଇଭି ଦର ପୁରୁଣା ବଡ଼ ଗାଡ଼ି ସମତୁଲ୍ୟ  ହୋଇଯିବ ।  

ପରିଷଦର ଏଜେଣ୍ଡାରେ ପ୍ରମୁଖ ଭାବେ ସ୍ୱାସ୍ଥ୍ୟ  ଏବଂ ଜୀବନ ବୀମା ପ୍ରିମିୟମ ଉପରେ ଜିଏସ୍‌ଟି ଦର  ନିର୍ଦ୍ଧାରଣ ରହିଛି । ବିହାରର ଉପମୁଖ୍ୟମନ୍ତ୍ରୀ ସମ୍ରାଟ  ଚୌଧୁରୀଙ୍କ ନେତୃତ୍ୱରେ ପରିଷଦ ପକ୍ଷରୁ ଗଠିତ  ଏକ ମନ୍ତ୍ରୀଗୋଷ୍ଠୀ ନଭେମ୍ବରରେ ନିଜ ବୈଠକରେ  ଟର୍ମ ଲାଇଫ୍‌ ଇନ୍‌ସ୍ୟୁରାନ୍ସ ପଲିସିଗୁଡ଼ିକ ପାଇଁ ପୈଠ  କରାଯାଉଥିବା ପ୍ରିମିୟମକୁ ଜିଏସ୍‌ଟିରୁ ବାହାରେ  ରଖିବା ପାଇଁ ସହମତି ବ୍ୟକ୍ତ କରିଥିଲେ ।  

ଏହାସହିତ ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟ ବୀମା  ପ୍ରିମିୟମ୍‌କୁ ଟିକସ ଛାଡ଼ କରିବା ପାଇଁ ପ୍ରସ୍ତାବ  ରଖାଯାଇଛି । ବରିଷ୍ଠ ନାଗରିକଙ୍କ ସହ ଅନ୍ୟ  ବ୍ୟକ୍ତିମାନଙ୍କ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା  ଉପରେ ପ୍ରିମିୟମକୁ ଜିଏସ୍‌ଟି ମୁକ୍ତ କରାଯିବା  ଉପରେ ଆଲୋଚନା ହୋଇପାରେ ।