କଟକ, ୧୮/୨: ରାଜ୍ୟରେ ଥିବା ଜେଲ୍ଗୁଡ଼ିକର ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଏବେ ଏକରକମ ‘ରୋଗଣା’ । ଶୁଣିବାକୁ ଟିକେ ଅଡ଼ୁଆ ଲାଗୁଥିଲେ ବି କଥାଟି ସତ । ଖୋଦ୍ ଜେଲ୍ ବିଭାଗର ତଥ୍ୟ କହୁଛି, ଗତ ୧୦ ବର୍ଷ ଭିତରେ ରାଜ୍ୟର ବିଭିନ୍ନ କାରାଗାରରେ ୫୭୨ ଜଣ ବିଚାରାଧୀନ ବନ୍ଦୀ ଓ କଏଦୀଙ୍କ ଜୀବନ ଅସମୟରେ ଯାଇଛି । ଏହି ବନ୍ଦୀ ଓ କଏଦୀମାନେ ଜେଲ୍ରେ ରହିବା ଭିତରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଛି ଓ ଚିକିତ୍ସାଧିନ ଅବସ୍ଥାରେ ସେମାନେ ମୃତ୍ୟୁ ମୁଖରେ ପଡ଼ିଛନ୍ତି । ଜେଲ୍ ଭିତରେ ଉପଲବ୍ଧ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଯେ ପର୍ଯ୍ୟାପ୍ତ ନୁହେଁ ତାହା ଏହି ପରିସଂଖ୍ୟାନ ଦର୍ଶାଉଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି, ମ୍ୟାଲେରିଆ, ହୃଦ୍ରୋଗ ଓ କିଡ୍ନୀ ରୋଗରେ ଅଧିକ ସଂଖ୍ୟକ ଜେଲ୍ ଅନ୍ତେବାସୀଙ୍କର ଜୀବନ ଯାଇଛି ।
ଖାଲି ସେତିକି ନୁହେଁ, ଜେଲ୍ର ସୁରକ୍ଷା ବ୍ୟବସ୍ଥା ବି ଏପରି ଦୟନୀୟ ଯେ, ଏହି ସମୟ ଭିତରେ ୩୪ ଜଣ ବନ୍ଦୀ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଏଣୁ ଜେଲ୍ର ସୁରକ୍ଷା ବ୍ୟବସ୍ଥା ନେଇ ବି ବଡ଼ ପ୍ରଶ୍ନ ଉଠୁଛି । ଏନ୍ସିଆର୍ବି (ନାସ୍ନାଲ୍ କ୍ରାଇମ୍ ରେକର୍ଡ ବ୍ୟୁରୋ)କୁ ଜେଲ୍ ବିଭାଗ ପ୍ରଦାନ କରିଥିବା ତଥ୍ୟ ଅନୁସାରେ, ୨୦୧୪ରୁ ୨୦୨୩ ମସିହା ଭିତରେ ରାଜ୍ୟର ବିଭିନ୍ନ ଜେଲ୍ରେ ମୋଟ ୫୭୨ ଜଣ ବିଚାରାଧୀନ ବନ୍ଦୀ ଓ କଏଦୀଙ୍କର ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ଘଟିଛି । ସବୁଠାରୁ ଅଧିକ ମୃତ୍ୟୁ ୨୦୧୪ ମସିହାରେ ହୋଇଥିଲା । ଏହି ବର୍ଷ ୮୭ ଜଣଙ୍କ ଜୀବନ ଯାଇଥିଲା । ଏହା ପଛକୁ ୨୦୨୦ରେ ୭୫ଜଣ ଓ ୨୦୨୧ରେ ୬୦ ଜଣଙ୍କ ଜୀବନ ଯାଇଛି । ସବୁଠୁ କମ୍ ମୃତ୍ୟୁ ୨୦୧୫ରେ, ଅର୍ଥାତ୍ ୪୫ ଜଣ ବନ୍ଦୀଙ୍କର ହୋଇଥିଲା ।
ତେବେ ବିଭିନ୍ନ ରୋଗରେ ପୀଡ଼ିତ ହୋଇ ମୃତ୍ୟୁ ଘଟିବା ହାର ଦେଖିଲେ ମ୍ୟାଲେରିଆ ଓ ବ୍ରେନ୍ ମ୍ୟାଲେରିଆରେ ସବୁଠୁ ଅଧିକ ଜୀବନ ଯାଇଥିବା ତଥ୍ୟ କହୁଛି । ୨୪୩ ବନ୍ଦୀଙ୍କର ଏହି ରୋଗରେ ଜୀବନ ଯାଇଛି । ଏହା ପଛକୁ ହୃଦ୍ରୋଗ୍ ବା ହାର୍ଟ ଆଟାକ୍ ପାଇଁ ୮୧ ଜଣ, କିଡ୍ନୀ ରୋଗ ପାଇଁ ୪୦, କର୍କଟ ରୋଗରେ ୨୩, ଟିବି ବା ଯକ୍ଷ୍ମା ରୋଗରେ ୧୮ ଓ ଫୁସ୍ଫୁସ୍ ସଂକ୍ରମଣରେ ୧୫ ଜଣଙ୍କ ଜୀବନ ଯାଇଛି । ସେହିପରି ବ୍ରେନ୍ ଷ୍ଟ୍ରୋକ୍ରେ ୧୪, ଯକୃତ ଜନିତ ରୋଗ ବା ଜଣ୍ଡିସ୍-ଲିଭର୍ ସିରୋସିସ୍ ରୋଗରେ ୧୧, ମାରାତ୍ମକ ଏଡ୍ସ୍ରେ ୪ ଓ ଝାଡ଼ାବାନ୍ତିରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ଚିନ୍ତାଜନକ ବିଷୟ ହେଉଛି ମ୍ୟାଲେରିଆରେ ଏତେ ସଂଖ୍ୟକ ବନ୍ଦୀଙ୍କ ଜୀବନହାନି । ଏହା ଦର୍ଶାଉଛି ଜେଲ୍ ଭିତରେ ମଶାଙ୍କ ପ୍ରାଦୁର୍ଭାବ ରୋକିବାକୁ ବିଶେଷ କିଛି ପଦକ୍ଷେପ ନିଆଯାଉନି । ଟିବି ରୋଗର ଚିକିତ୍ସା ପାଇଁ ସରକାର ଅଭିଯାନ ଚଳାଇଥିବା ବେଳେ ତାହା ଜେଲ୍ ଅନ୍ତେବାସୀଙ୍କ ପାଖରେ ପହଞ୍ଚି ପାରୁନି । ପାଣିର ମାନ ଭଲ ନଥିବାରୁ କିଡ୍ନୀ ଜନିତ ରୋଗ ଓ ଝାଡ଼ାବାନ୍ତିରେ ବି ଅକାଳରେ ଜୀବନ ଯାଉଛି । ଜେଲ୍ ଅନ୍ତେବାସୀଙ୍କ ସ୍ୱାସ୍ଥ୍ୟ ସେବା ପାଇଁ ପ୍ରତି ଜେଲ୍ରେ ହସ୍ପିଟାଲ୍ ଅଛି । ଡାକ୍ତର, ଫାର୍ମାସିଷ୍ଟ ଓ ନର୍ସିଂ କର୍ମଚାରୀ ଅଛନ୍ତି । ଔଷଧ ପାଇଁ ସ୍ୱତନ୍ତ୍ର ଅର୍ଥ ମଧ୍ୟ ବ୍ୟୟ ବରାଦ ହେଉଛି ।
କିଛି ପ୍ରମୁଖ ଜେଲ୍କୁ ବିଚାରାଧୀନ ବନ୍ଦୀ ଓ କଏଦୀଙ୍କ ଚିକିତ୍ସା ପାଇଁ ରେଫରାଲ୍ ଜେଲ୍ ଭାବେ ବ୍ୟବହାର କରାଯାଉଛି । ଯାହା ଦ୍ୱାରା ମେଡିକାଲ୍ କଲେଜରେ ବନ୍ଦୀମାନଙ୍କୁ ଉନ୍ନତ ମାନର ଚିକିତ୍ସା ସୁବିଧା ମିଳିପାରିବ । ତଥାପି ଜେଲ୍ ଭିତରେ ଏତେ ସଂଖ୍ୟକ ବନ୍ଦୀଙ୍କ ଜୀବନ ଅକାଳରେ ଝରିଯିବା ଘଟଣା ଜେଲ୍ ବିଭାଗର ପରିଚାଳନାଗତ ତ୍ରୁଟିକୁ ଦର୍ଶାଉଛି । ଅନ୍ୟପଟେ ଜେଲ୍ ଭିତରର ସୁରକ୍ଷା ବ୍ୟବସ୍ଥା ଏମିତି ଢିଲା ଓ ଫୁଲାଫାଙ୍କିଆ ହୋଇଛି ଯେ, ଗଲା ୧୦ ବର୍ଷରେ ୯୪ ଜଣ ଅନ୍ତେବାସୀଙ୍କର ଅପମୃତ୍ୟୁ ହୋଇଛି । ବିଭିନ୍ନ ଘଟଣା ଓ ଅଘଟଣ ପାଇଁ ଏତେ ସଂଖ୍ୟକ ବନ୍ଦୀଙ୍କ ଜୀବନ ଅକାରଣରେ ଯାଇଛି । ତନ୍ମଧ୍ୟରେ ୩୪ ଜଣ ବନ୍ଦୀ କେବଳ ବେକରେ ରଶି ଲଗାଇ ଜେଲ୍ ପରିସରରେ ଜୀବନ ହାରିଛନ୍ତି । ସବୁଠୁ ଅଧିକ ଆତ୍ମହତ୍ୟା ଅଘଟଣ ୨୦୨୦ରେ ହୋଇଥିଲା । ଏହି ବର୍ଷ ବିଭିନ୍ନ ଜେଲ୍ରେ ୮ ଜଣ ଆତ୍ମହତ୍ୟା କରିଥିବା ବେଳେ ୨୦୨୩ରେ ୬ ଜଣ ଓ ୨୦୧୯ରେ ୪ ଜଣ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ଯାହା ଜେଲ୍ ଭିତରର ଢିଲା ସୁରକ୍ଷା ବ୍ୟବସ୍ଥାର ନଗ୍ନ ଚିତ୍ରକୁ ପଦାରେ ପକାଇଛି । ତେବେ ବ୍ୟବସ୍ଥାରେ କେଉଁଠି ତ୍ରୁଟି ରହୁଛି ସେ ସଂପର୍କରେ ମତାମତ ଜାଣିବା ପାଇଁ ଜେଲ୍ ବିଭାଗ ସହ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ହେଁ କେହି କିଛି ପ୍ରତିକ୍ରିୟା ଦେଇନାହାନ୍ତି ।