ଭୁବନେଶ୍ୱର : ବର୍ତ୍ତମାନ ଚିକିତ୍ସା ବିଜ୍ଞାନ ପାରମ୍ପରିକ ଚିକିତ୍ସା ପଦ୍ଧତିରୁ ଉର୍ଦ୍ଧକୁ ଗଲାଣି । ପୂର୍ବରୁ ଡାକ୍ତରମାନେ ବିଭିନ୍ନ ରୋଗ ପାଇଁ ଔଷଧ ଲେଖିପାରୁଥିଲେ। ମାତ୍ର ଏହି ଧାରାରେ ବର୍ତ୍ତମାନ ଆସିଛି। ବର୍ତ୍ତମାନ ସ୍ୱତନ୍ତ୍ର ରୋଗ ପାଇଁ ସ୍ୱତନ୍ତ୍ର ପ୍ରଶିକ୍ଷଣପ୍ରାପ୍ତ ଡାକ୍ତର ଚକିତ୍ସା ନିମନ୍ତେ ପରାମର୍ଶ ଦେଉଛନ୍ତି । ବିଭିନ୍ନ ରୋଗକୁ ନେଇ ସୁପର ସ୍ପେଶିଆଲିଷ୍ଟ ବିଭାଗ ଖୋଲିଛି। ଆଉ ଗବେଷଣାତ୍ମକ ପଦ୍ଧତିକୁ ନେଇ ଚିକିତ୍ସା ଜାରି ରହିଛି।

ପୂର୍ବରୁ ଅସ୍ଥିଶଲ୍ୟ ବିଭାଗ ଡାକ୍ତରମାନେ ଅସ୍ତ୍ରୋପଚାର ସମୟରେ ଯେଉଁ ପଦ୍ଧତି ପ୍ରୟୋଗ କରୁଥିଲେ ସେଥିରେ ଅନେକ ପରିବର୍ତନ ଆସିଛି । ବର୍ତମାନ ନୂଆ ଜ୍ଞାନ କୌଶଳ ମାଧ୍ୟମରେ ସଠିକ୍‌ ଭାବେ ଅତି ସହଜରେ ଅସ୍ତ୍ରୋପଚାର ହେଉଛି। ଏହା ସ୍ୱଳ୍ପ ସମୟ, ସ୍ୱଳ୍ପ ଯନ୍ତ୍ରଣା ଓ ସ୍ୱଳ୍ପ ମୂଲ୍ୟରେ ଉପଲବ୍ଧ ହୋଇ ପାରୁଛି। ଚିକିତ୍ସା ବିଜ୍ଞାନରେ ନୂଆ ନୂଆ କୌଶଳ ଆସୁଛି ତାହା ଆଗାମୀ ଦିନରେ ସମଗ୍ର ମାନବ ସମାଜ ପାଇଁ ବିରାଟ ସୁଯୋଗ ସୃଷ୍ଟି କରିବ ବୋଲି ଓଡ଼ିଶାର ପୂର୍ତ୍ତ ଆଇନ୍‌ ଓ ଅବକାରୀ ମନ୍ତ୍ରୀ  ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍‌ସେସ୍‌ ଆଣ୍ଡ ସମ୍‌ ହସ୍ପିଟାଲ୍‌ ଠାରେ ଓଡ଼ିଶା ଅର୍ଥୋସ୍କୋପି ସୋସାଇଟିର ୨-ଦିନିଆ ୫ମ ବାର୍ଷିକ ସମ୍ମିଳନୀକୁ ଶନିବାର ଦିନ ଉଦ୍‌ଘାଟନ କରି ଶ୍ରୀ ହରିଚନ୍ଦନ କହିଥିଲେ ଯେ, ବର୍ତମାନ ସମସ୍ତ ପ୍ରକାର ରୋଗର ଚିକିତ୍ସା ପାଇଁ ନୂତନ ପ୍ରଯୂକ୍ତିବିଦ୍ୟା ସମ୍ଭବ ହୋଇ ପାରିଛି । ସମ୍‌ ହସ୍ପିଟାଲ୍‌ ଯେଉଁଭଳି ଭାବେ ଏଠାରେ ନୂଆ ଉଦ୍ୟମ ଆରମ୍ଭ କରିଛି ତାହା ରୋଗୀଙ୍କ ପାଇଁ ଆଶ୍ୱସ୍ତିର ବାତାବରଣ ସୃଷ୍ଟି କରିବ ବୋଲି ସେ କହିଥିଲେ । ସମ୍‌ ହସ୍ପିଟାଲର ବିଭିନ୍ନ ଚିକିତ୍ସା କ୍ଷେତ୍ରରେ ଯେଉଁ ସବୁ ଦକ୍ଷତା ରହିଛି ତାହା ଆଗକୁ ଆହୁରି ଅଗ୍ରଗତି କରିବ ବୋଲି ସେ କହିଥିଲେ।

ଶ୍ରୀ ହରିଚନ୍ଦନ କହିଥିଲେ ଯେ ଆଗାମୀ ଦିନରେ ସମାଜ ପାଇଁ ବଡ଼ ଆହ୍ୱାନ ରହିଛି । ଜନସଂଖ୍ୟା ଇଣ୍ଡେକ୍ସରୁ ଜଣାପଡ଼ୁଛି ୨୦୩୬ ବେଳକୁ ଭାରତରେ ବୟସ୍କଙ୍କ ସଂଖ୍ୟା ବଢ଼ିବ । ତେଣୁ ବହୁବିଧ ବୟସ୍କଙ୍କ ରୋଗର ଚିକିତ୍ସା ନେଇ ଅଧିକ ଆବଶ୍ୟକତା ପଡ଼ିବ । ଏହି ଦିଗରେ ବର୍ତ୍ତମାନ ଠାରୁ ପ୍ରସ୍ତୁତି ଆରମ୍ଭ ହୋଇଛି ।

ଏଇ ସଭାରେ ଯୋଗ ଦେଇ ଆଇଏମ୍‌ଏସ୍‌ ଆଣ୍ଡ ସମ୍‌ ହସ୍ପିଟାଲର ଡିନ୍‌ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର କହିଥିଲେ ଯେ, ଆଗକୁ ବୟସ୍କଙ୍କ ସଂଖ୍ୟା ବୃଦ୍ଧି ପାଇବ । ତେଣୁ ବୟସ୍କଙ୍କ ପାଇଁ ଅସ୍ଥିଶଲ୍ୟ ଚିକିତ୍ସାର ଗୁରୁତ୍ୱ ବଢ଼ିବ। ଏଭଳି ସମ୍ମିଳନୀରେ ଡାକ୍ତରମାନେ ନୂଆ ନୂଆ ଜ୍ଞାନ କୌଶଳ ସମ୍ପର୍କରେ ଜାଣି ପାରିବେ। ସେଥିପାଇଁ ସମ ହସ୍ପିଟାଲ୍‌ ସବୁବେଳେ ଏଭଳି କାର୍ଯ୍ୟକ୍ରମକୁ ଆୟୋଜନ କରୁଛି। ଏହି କାର୍ଯ୍ୟକ୍ରମରେ ଯୁବ ଡାକ୍ତରଙ୍କ ପାଇଁ ନୂତନ ଜ୍ଞାନ ମିଳିବ। ତୃଣମୂଳ ସ୍ତରରେ ଡାକ୍ତରମାନେ ଯାଇ ଅତ୍ୟାଧୁନିକ ଚିକିତ୍ସା ସୁବିଧା ଯୋଗାଇବାରେ ସହାୟକ ହେବ।

ମେଡିକାଲ୍‌ ସୁପରିଟେଣ୍ଡେଣ୍ଟ ପ୍ରଫେସର ଡା. ପୁଷ୍ପରାଜ ସାମନ୍ତସିଂହାର କହିଥିଲେ ଯେ, ଏହି ସମ୍ମିଳନୀରେ ଭାରତ ତଥା ଭାରତ ବାହାରୁ ଆସିଥିବା ଅସ୍ଥିଶଲ୍ୟ ବିଶେଷଜ୍ଞମାନେ ନୂତନ ଚିକିତ୍ସା ବିଷୟରେ ଜ୍ଞାନ ପ୍ରଦାନ କରୁଛନ୍ତି । କିଭଳି ଭାବେ ନୂଆ ଜ୍ଞାନ କୌଶଳକୁ ରୋଗୀଙ୍କ ସ୍ୱାର୍ଥ ପାଇଁ ପ୍ରୟୋଗ କରାଯିବ ତାହା ଆମର ଦାୟିତ୍ୱ ବୋଲି ସେ କହିଥିଲେ । ଅସ୍ଥିଶଲ୍ୟ ଜନିତ ଅତି ଜଟିଳ ଅସ୍ତ୍ରୋପଚାର ସମ୍‌ ହସ୍ପିଟାଲରେ ହେଉଛି ବୋଲି ସେ କହିଥିଲେ ।

ଏହି ସଭାରେ ଓଡ଼ିଶା ଅର୍ଥୋସ୍କୋପି ସୋସାଇଟିର ସଭାପତି ଡାକ୍ତର ତନ୍ମୟ ମହାନ୍ତି ଅଧ୍ୟକ୍ଷତା କରିଥିଲେ। ଓଡ଼ିଶା ଅର୍ଥୋପେଡିକ୍‌ ଆସୋସିଏସନ୍‌ର ସଭାପତି (ଡାକ୍ତର) ଆର.ଏନ୍‌. ମହାନ୍ତି, ଭାରତ ଅର୍ଥୋସ୍କୋପି ସୋସାଇଟିର ସଂପାଦକ ଡାକ୍ତର ସନ୍ଦୀପ ଆର୍‌.ବିରାରିସ, ଓଡ଼ିଶା ଅର୍ଥୋସ୍କୋପି ସୋସାଇଟିର ସମ୍ପାଦକ ଡାକ୍ତର ଆଶୁତୋଷ ମହାପାତ୍ର, ଓଡ଼ିଶା ଅର୍ଥୋସ୍କୋପି ସୋସାଇଟିର ସମ୍ପାଦକ ଡାକ୍ତର ସତ୍ୟ ରଞ୍ଜନ ପାତ୍ର, ଆୟୋଜକ କମିଟି ଅଧ୍ୟକ୍ଷ ପ୍ରଫେସର (ଡାକ୍ତର) ଅନିରୁଦ୍ଧ ଦାଶ ଓ ଆୟୋଜକ କମିଟି ସଂପାଦକ ଡାକ୍ତର ସନ୍ଦୀପ ଲେଙ୍କା ପ୍ରମୁଖ ନିଜ ମତ ରଖିଥିଲେ । ଡାକ୍ତର ରବି ନାରାୟଣ ଓ ଡାକ୍ତର ନିରଞ୍ଜନ କରଙ୍କୁ ଜୀବନବ୍ୟାପୀ ସାଧନା ନିମନ୍ତେ ସମ୍ମାନିତ କରାଯାଇଥିଲା ।