ଖୋର୍ଦ୍ଧା, ୧୨/୦୯: ଅଗଷ୍ଟ ୨୪ ତାରିଖରେ ଜଙ୍କିଆ ଥାନା ଛଣଗିରୀ ବଜାର ସ୍ଥିତ ଏକ ଜୁଏଲାରୀ ଦୋକାନରୁ ଡକାୟତି ଘଟଣାରେ ଗିରଫ ସଂଖ୍ୟା ୬କୁ ବୃଦ୍ଧି ପାଇଛି। ଏ ଘଟଣାରେ ଶୁକ୍ରବାର ଜଙ୍କିଆ ପୁଲିସ ପୁରୀ ଜିଲ୍ଲା କଣାସ ଥାନା ଅଞ୍ଚଳର ଅଜିତ୍ ପାଇକରାୟ(୨୪ ବର୍ଷ) ଏବଂ ପୁରୀଘାଟର ପ୍ରଭାକର ଜେନା(୨୫ ବର୍ଷ) ନାମକ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତଙ୍କଠାରୁ ପୁଲିସ ଶୁକ୍ରବାର ଏକ କିଲୋ ୧୩ ଗ୍ରାମ ସୁନା ଓ ଦୁଇ କିଲୋ ୨୩୧ ଗ୍ରାମ ରୂପା ଅଳଙ୍କାର ଜବତ କରିଛି । ଜିଲ୍ଲା ଆରକ୍ଷୀ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମଳନୀରେ ଏସପି ବିବେକାନନ୍ଦ ଶର୍ମା ଏନେଇ ସୂଚନା ଦେଇଛନ୍ତି। ଏହି ଘଟଣାରେ ସମୁଦାୟ ୧୯୧୩ ଗ୍ରାମ ୬୫୦ମିଲିଗ୍ରାମ ସୁନା ଓ ୪ କିଲୋ ୪୯୫ ଗ୍ରାମ ୯୫୦ ମିଲିଗ୍ରାମ ରୂପା ଅଳଙ୍କାର ଜବତ କରିଥିବା ଏସପି ବିବେକାନନ୍ଦ ଶର୍ମା ସୂଚନା ଦେଇଛନ୍ତି। ୨ ଅଭିଯୁକ୍ତଙ୍କୁ କଣାସ ଓ ପୁରୀ ଅଞ୍ଚଳରୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ନାମରେ ବିଭିନ୍ନ ଥାନାରେ ଏକାଧିକ ଡକାୟତି ମାମଲା ଥିବା ଏସପି ପ୍ରକାଶ କରିଛନ୍ତି।
ଘଟଣାରୁ ପ୍ରକାଶ, ଅଗଷ୍ଟ ୨୪ ତାରିଖରେ ଆଠ ଜଣ ଦୁର୍ବୃତ୍ତ ଛଣଗିରୀ ଠାରେ ଥିବା ଏକ ଜୁଏଲାରୀ ସମ୍ମୁଖରେ ବୋମାମାଡ଼ କରିବା ସହ ଜଣଙ୍କୁ ଗୁଳି ମାରିଥିଲେ। ପରେ ଦୋକାନ କର୍ମଚାରୀଙ୍କୁ ଭୟଭୀତ କରାଇ ୧୧ କିଲୋ ୫ଗ୍ରାମ ସୁନା ଓ ୫ କିଲୋ ରୂପା ଅଳଙ୍କାର ବ୍ୟାଗ୍ରେ ଭର୍ତ୍ତି କରି ଚମ୍ପଟ ମାରିଥିଲେ । ଏନେଇ ଦୋକାନ ମାଲିକାଣୀ ଅରୁନ୍ଧତୀ ସାହୁ ଜଙ୍କିଆ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣା ତଦନ୍ତ କରୁଥିଲା।ଚଳିତ ମାସ ଦୁଇ ତାରିଖରେ ଜଙ୍କିଆ ପୁଲିସ ୪ ଜଣଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ ୯ ଶହ ଗ୍ରାମ ୬୫୦ ମିଲିଗ୍ରାମ ସୁନା, ଦୁଇ କିଲୋ ୩୬୩ ଗ୍ରାମ ୯୪୦ମିଲିଗ୍ରାମ ରୂପା ଅଳଙ୍କାର, ନଗଦ ୯ ଲକ୍ଷ ୫୪ ହଜାର ଟଙ୍କା, ଗୋଟିଏ ଭୁଜାଲି, ଦେଶୀ ବନ୍ଧୁକ ଓ ଗୋଟିଏ ଅଫୁଟା ଗୁଳି ଜବତ କରିଥିବା କେନ୍ଦ୍ରାଞ୍ଚଳ ଡି଼ଆଜି ସତ୍ୟଜିତ ନାୟକ ଏନେଇ ସୂଚନା ଦେଇଥିଲେ।