ଭୁବନେଶ୍ବର, ୨୧।୩ : ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ପାଇଁ କାର୍ଯ୍ୟାନୁଷ୍ଠାନ। ବିଜେଡିର  ପିଏସି ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି। ବିଜେଡିର ୬ ବିଧାୟକ ନିଲମ୍ବିତ।  ବସ୍ତା ବିଧାୟକ ସୁବାସୀନି ଜେନା, କଟକ-ଚୌଦ୍ବାର ବିଧାୟକ ସୌଭିକ ବିଶ୍ବାଳ, ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ବାଲଗୁଡା ବିଧାୟକ ଚକ୍ରମଣି କହଁର, ଜୟଦେବ ବିଧାୟକ ନବ କିଶୋର ମଲ୍ଲିକଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଛି। ବିଜେଡିର ଶୃଙ୍ଖଳା କମିଟି ରିପୋର୍ଟ ଆଧାରରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଏହି କାର୍ଯ୍ୟାନୁଷ୍ଠାନ ନେଇ ନବୀନ ପଟ୍ଟନାୟକ ସ୍ପଷ୍ଟ ସନ୍ଦେଶ ଦେଇଛନ୍ତି ଯେ, ଦଳ ବିରୋଧୀ କାର୍ଯ୍ୟ କଲେ ଆଦୌ ବରଦାସ୍ତ କରାଯିବନି।

ରାଜ୍ୟସଭା ନିର୍ବାଚନରେ ଦଳ ବିରୋଧରେ ଯାଇ ଏହି ୬ ଜଣ ବିଧାୟକ କ୍ରସ ଭୋଟିଂ କରିଥିଲେ। ବିଜେଡି ଓ  କଂଗ୍ରେସ ଦଳର ମିଳିତ ପ୍ରାର୍ଥୀ ଦତ୍ତେଶ୍ବର ହୋତାଙ୍କୁ ଭୋଟ ଦେଇ ନ ଥିଲେ।  ସ୍ବାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ଏହି ୬ ଜଣ ବିଧାୟକ ଭୋଟ ଦେଇଥିଲେ।  ଏହାକୁ ନେଇ ବିଜେଡି ପକ୍ଷରୁ ୬ ଜଣ ବିଧାୟକଙ୍କୁ  କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା। ନୋଟିସର ଉତ୍ତର ଗତ ୨୦ ତାରିଖ ସୁଦ୍ଧା ଦେବାକୁ  ଦର୍ଶାଯାଇଥିଲା।  ୬ ଜଣ ବିଧାୟକ ନୋଟିସର ଉତ୍ତରରେ ଉଲ୍ଲେଖ କରିଥିଲେ ଯେ ଏଭଳି ନୋଟିସ୍ ଆଇନ୍ ଅନୁଯାୟୀ ଅସିଦ୍ଧ । ସୁପ୍ରିମକୋର୍ଟ ଏବଂ ଇସିଆଇର ନିୟମ ଉଂଲଘନ ମଧ୍ୟ  କରୁଛି । ତେବେ ଏଭଳି ନୋଟିସରୁ ଦଳ କ୍ଷାନ୍ତ ରହୁ ବୋଲି ମଧ୍ୟ ଅନୁରୋଧ କରିଥିଲେ । ରାଜ୍ୟସଭା ନିର୍ବାଚନରେ ଆମେ ସ୍ୱାଧୀନ ମତଦାନ କରି କୌଣସି ଆଇନର ଉଲ୍ଲଘଂନ କରିନାହୁଁ ।  ରାଜ୍ୟସଭା ନିର୍ବାଚନରେ ସ୍ୱାଧୀନ ମତଦାନ କରିବା ପାଇଁ ଜଣେ ଭୋଟରଙ୍କୁ ସମ୍ବିଧାନର ଦଶମ ସୂଚୀ ମୁତାବକ ଦଣ୍ଡ ବ୍ୟବସ୍ଥାର ଲାଗୁ ହୁଏ ନାହିଁ ବୋଲି ଦର୍ଶାଇଥିଲେ ।

  ଏହା ପରେ ଶନିବାର ନବୀନଙ୍କ ଅଧ୍ୟକ୍ଷତାରେ ବିଜେଡିର ପିଏସି ବୈଠକ ଅନୁଷ୍ଠିତ ହୋଇଥିଲା।  ବିଜେଡିର ଶୃଙ୍ଖଳା କମିଟି ରିପୋର୍ଟକୁ ଆଧାର କରି ଦଳର ସୁପ୍ରିମୋ କ୍ରସ ଭୋଟିଂ କରିଥିବା  ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି।  କ୍ରସ ଭୋଟିଂ କରିଥିବା ୬ ବିଧାୟକଙ୍କୁ ନିଲମ୍ବିତ କରିଛନ୍ତି।

ସୂଚନାଯୋଗ୍ୟ, ମାର୍ଚ୍ଚ ୧୬ରେ ଓଡ଼ିଶାରେ ଖାଲି ଥିବା ୪ ରାଜ୍ୟସଭା ସିଟକୁ ନେଇ ନିର୍ବାଚନ ହୋଇଥିଲା। ତେବେ ଚତୁର୍ଥ ଆସନ ପାଇଁ ମୋଟ୍ ୧୧ ଜଣ ବିଧାୟକ କ୍ରସ ଭୋଟିଂ କରି ବିଜେପି ସମର୍ଥିତ ସ୍ଵାଧୀନ ପ୍ରାର୍ଥୀ ଦିଲୀପ ରାୟଙ୍କୁ ଭୋଟ୍ ଦେଇଥିଲେ। ୧୧ ଜଣରୁ ତିନି ଜଣ କଂଗ୍ରେସର ବିଧାୟକ ଥିବା ବେଳେ ବାକି ୮ ଜଣ ବିଜେଡିର ବିଧାୟକ ଥିଲେ।  ରାଜ୍ୟସଭା ନିର୍ବାଚନ ପୂର୍ବରୁ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ଓ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କୁ ଦଳ ନିଲମ୍ବିତ କରିଥିଲା।