ନୂଆଦିଲ୍ଲୀ,୧୭/୧୨: ଗୁଜୁରାଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବସ-ଟ୍ରକ  ମୁହାଁମୁହିଁ ଧକ୍କା। ଫଳରେ ଚାଲିଗଲା ୬ଜଣଙ୍କ ଜୀବନ। ଏଥିସହ ୧୦ରୁ ଅଧିକ ଆହତ ହୋଇଥିବା  ସୂଚନା । ଗୁଜୁରାଟ ଭାବାନଗର ଜିଲ୍ଲାର ତ୍ରପଜ ଗାଁରୁ ସାମ୍ନାକୁ ଆସିଛି ଏହି ଘଟଣା। ସେପଟେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। 

ସୂଚନା ମୁତାବକ, ଆଜି ସକାଳ ପ୍ରାୟ ୬ଟା ସମୟରେ ବସଟି ଭାବାନଗରରୁ ମହୁବା ଅଭିମୁଖେ ଯାତ୍ରା କରୁଥିଲା । ସେହି ସମୟରେ ତ୍ରପଜ ଗାଁ ନିକଟରେ ଏହି ଦୁର୍ଘଟଣା ହୋଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ୬ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଗୁରୁତର ହୋଇଥିଲେ । ତେବେ ଏହି ଦୁର୍ଘଟଣାରେ ବସଟି ଭାଙ୍ଗି ଚୁରମାର ହୋଇଯାଇଥିବା ଜଣାପଡ଼ିଛି । ସେହିପରି ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେପଟେ ପୋଲିସ ଘଟଣା ବିଷୟରେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କେଉଁ କାରଣରୁ ଏହି ଦୁର୍ଘଟଣା ହେଲା ଏନେଇ କୌଣସି ସୂଚନା ମିଳିନଥିବା ବେଳେ କୁହୁଡି ଯୋଗୁଁ ଦୁର୍ଘଟଣା ଘଟିଥିବା ଅନୁମାନ କରୁଛି ପୋଲିସ ।