ମୁମ୍ବାଇ ୧୫/୧୦ : ୬୦ କୋଟି ଟଙ୍କା ଜାଲିଆତି ମାମଲାରେ ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି । ମଙ୍ଗଳବାର ବମ୍ବେ ହାଇକୋର୍ଟରୁ ତାଙ୍କୁ ଆଶ୍ୱସ୍ତି ମିଳିପାରି ନାହିଁ । ଶୁଣାଣି ବେଳେ ଶିଳ୍ପା ଦର୍ଶାଇଥିଲେ କି ତାଙ୍କ ସ୍ୱାମୀ ରାଜ୍‌ କୁନ୍ଦ୍ରାଙ୍କ କମ୍ପାନି ସହ ତାଙ୍କର କୌଣସି ଦେଣନେଣ ନାହିଁ । ତେଣୁ ତାଙ୍କ ବିରୋଧରେ ଜାରି ହୋଇଥିବା ଲୁକ୍‌ ଆଉଟ୍‌ ସର୍କୁଲାର୍‌(ଏଲ୍‌ଓସି)କୁ ରଦ୍ଦ କରାଯାଉ । କିନ୍ତୁ କୋର୍ଟ ଏହାକୁ ଗ୍ରହଣ କରି ନ ଥିଲେ । ଅଦାଲତ ଏହି ମାମଲାରେ ରାଜ୍‌ କୁନ୍ଦ୍ରାଙ୍କ ତରଫରୁ ସତ୍ୟପାଠ ଦାଖଲ ଲାଗି କହିଥିଲେ ।

ଏମିତି କି ଶିଳ୍ପା ଯଦି ବିଦେଶ ଯିବାକୁ ଚାହୁଁଛନ୍ତି, ତେବେ ତାହା ପୂର୍ବରୁ ସରକାରୀ ସାକ୍ଷୀ ବନନ୍ତୁ ଏବଂ ପ୍ରଥମେ ୬୦ କୋଟି ଟଙ୍କା ଜମା କରନ୍ତୁ ବୋଲି କହିଛନ୍ତି କୋର୍ଟ । ଏଥିସହ ଶିଳ୍ପା ଓ ରାଜ୍‌ କୁନ୍ଦ୍ରାଙ୍କ ବିରୋଧରେ ଜାରି ହୋଇଥିବା ଲୁକ୍‌ ଆଉଟ୍‌ ନୋଟିସ୍‌ ଉପରେ ରହିତାଦେଶ ଲାଗୁ ପାଇଁ ମନା କରିଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ, ମୁମ୍ବାଇ ପୁଲିସର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଶିଳ୍ପା ଓ କୁନ୍ଦ୍ରାଙ୍କୁ ୬୦ କୋଟି ଟଙ୍କା ଜାଲିଆତି ମାମଲାରେ ଅଭିଯୁକ୍ତ ଦର୍ଶାଇଛି । ସେମାନଙ୍କ ଯୋଗୁ ଏକ ଋଣ-ନିବେଶ ଚୁକ୍ତିରେ ବ୍ୟବସାୟୀ ଦୀପକ କୋଠାରୀଙ୍କର ୬୦ କୋଟି ଟଙ୍କା କ୍ଷତି ହୋଇଥିବା କୁହାଯାଇଛି । ଏ ନେଇ କୋଠାରୀ ଶିଳ୍ପା ଓ କୁନ୍ଦ୍ରାଙ୍କ ବିରୋଧରେ ଗତ ଅଗଷ୍ଟରେ ଜୁହୁ ଥାନାରେ ଅଭିଯୋଗ କରିଥିଲେ । ଏବେ ଏ ନେଇ ଇଓଡବ୍ଲ୍ୟୁ ତଦନ୍ତ ଜାରି ରଖିଛି ।