ଭୁବନେଶ୍ୱର, ୨୩।୨: ସହରାଞ୍ଚଳ ପରିବହନ ପାଇଁ ରାଜ୍ୟ ସରକାର ବଜେଟରେ ୪୨୧ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି। ଏହା ପରେ ଏବେ ଅଧିକରୁ ଅଧିକ ସଂଖ୍ୟକ ପରିବେଶ ଅନୁକୂଳ ଇ-ବସ୍ ଆଣିବା ପାଇଁ ସରକାର ଅଣ୍ଟା ଭିଡିଛନ୍ତି । ରାଜ୍ୟରେ ଚାଲୁଥିବା ଇ-ବସ୍ ତାଲିକାରେ ଆଉ ୬୦୦ ଇ-ବସ୍ ଯୋଡାଯିବ ବୋଲି ସୂଚନା ମିଳିଛି ।

ବଜେଟରେ ଅର୍ଥ ବରାଦ ଓ ନୂତନ ପଦକ୍ଷେପ ସଂକ୍ରାନ୍ତରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ଯେ ଏହି ବଜେଟ୍ ଆମ ସରକାରଙ୍କ ଲୋକ-କୈନ୍ଦ୍ରିକ ବିକାଶର ପ୍ରତିଫଳନ l ଆମ ବସ୍ ଓଡ଼ିଶାରେ ସାଧାରଣ ପରିବହନର ସଂଜ୍ଞା ବଦଳାଇ ଦେଇଛି l ଆମେ କେବଳ ସଂଯୋଗୀକରଣ ବଢ଼ାଉନାହୁଁ, ବରଂ ଭବିଷ୍ୟତ ପାଇଁ ଏକ ସ୍ୱଚ୍ଛ ଓ ସବୁଜ ସହର ନିର୍ମାଣ କରୁଛୁ । ଆମ ବସ୍ ସେବାରେ ଅଧିକରୁ ଅଧିକ ଇ-ବସ୍ ସାମିଲ କରି ଆମେ ସହରାଞ୍ଚଳ ପରିବହନକୁ ଅଧିକ ସୁଲଭ ଏବଂ ପରିବେଶ ଅନୁକୂଳ କରିବାକୁ ଲକ୍ଷ୍ୟ ରଖିଛୁ ବୋଲି ବିଭାଗୀୟ ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀମତୀ ଉଷା ପାଢୀ କହିଛନ୍ତି ।

ରାଜ୍ୟରେ ସହରାଞ୍ଚଳ ପରିବହନ ବ୍ୟବସ୍ଥାରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବା ପାଇଁ ରାଜ୍ୟ ସରକାର ୨୦୨୬-୨୭ ବଜେଟରେ ୪୨୧ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି । ଏହି ପଦକ୍ଷେପ ମାଧ୍ୟମରେ ରାଜ୍ୟରେ ଇ-ବସ୍ ସେବା ଏବଂ ପ୍ରଯୁକ୍ତିବିଦ୍ୟା-ଭିତ୍ତିକ ସାର୍ବଜନୀନ ପରିବହନ ବ୍ୟବସ୍ଥାକୁ ବ୍ୟାପକ କରାଯିବ । ରାଜ୍ୟ ସରକାର ୬୦୦ ଇ-ବସ୍ କିଣିବାକୁ ଯୋଜନା କରୁଥିବାବେଳେ ପ୍ରଧାନମନ୍ତ୍ରୀ ଇ-ବସ୍ ସେବା ଯୋଜନାରେ ରାଜ୍ୟକୁ ଆଉ ୪୦୦ ଇ-ବସ୍ ଆସିବ ବୋଲି ଜଣାଯାଇଛି । ଏହା ଫଳରେ ରାଜ୍ୟରେ ଆମ ବସ୍ ସେବାର କଳେବର ବୃଦ୍ଧି ପାଇବା ସହିତ ସହରାଞ୍ଚଳରେ ଏହା ଅଧିକରୁ ଅଧିକ ଲୋକଙ୍କୁ ସେବା ଯୋଗାଇବ ।

ଆହୁରି ପଢନ୍ତୁ : ମାର୍ଚ୍ଚ ୩୧ ସୁଦ୍ଧା ଦାଖଲ କର ସମ୍ପତ୍ତି ତାଲିକା , ନଚେତ କାର୍ଯ୍ୟାନୁଷ୍ଠାନ