ମାଲକାନଗିରି /କୋରକୁଣ୍ଡା, ୨୫/୯(ଆପ୍ର ) : ଟ୍ରକରେ ଗଞ୍ଜେଇ ରାଜସ୍ଥାନକୁ ଚାଲାଣ କରୁଥିବା ବେଳେ ପୁଲିସ ଚଢାଉ କରି ୬୧୫ କେଜି ଗଞ୍ଜେଇ ଜବତ କରିଛି। ଏଥିସହ ପୋଲିସ ଦୁଇଜଣ ଙ୍କୁ ଗିରଫ କରିଛି। ଗିରଫ ଦୁଇଜଣ ହେଲେ ରାଜସ୍ଥାନ ଯୋଧପୁର ଅଞ୍ଚଳର ଭାଗିରଥୀ ମେଘବାହନ (୩୪) ଓ ମାଲକାନଗିରି ଜିଲ୍ଲା ମୋଟୁ ଥାନା ଏମପିଭି ୪୭ ଗ୍ରାମର ରାହୁଲ ଓରଫ ମାଧବ ସରକାର (୨୬)।
ମାଲକାନଗିରି ବାଲିମେଳା ରାସ୍ତା ତାର୍ଲାକୋଟା ରାସ୍ତାରେ ସଦର କୋରକୁଣ୍ଡା ଥାନା ଅଧିକାରୀ ହିମାଂଶୁ ଶେଖର ବାରିକଙ୍କ ନେତୃତ୍ୱରେ ପୁଲିସ କର୍ମଚାରୀମାନେ ବୁଧବାର ଅପରାହ୍ନରେ ପାଟ୍ରୋଲିଂ କରୁଥିଲେ। ବାଲିମେଳା ଆଡୁ ଦୃତ ଗତିରେ ଏକ ଟ୍ରକ ଆସୁଥିବା ଦେଖି ତାକୁ ଅଟକାଇଥିଲେ। ଯାଞ୍ଜ କରିବାରୁ ଟ୍ରକ ଡାଲାରେ ଜରି ବସ୍ତାରେ ଗଞ୍ଜେଇ ଥିବାର ଦେଖି ଟ୍ରକ ସହିତ ଗଞ୍ଜେଇକୁ ଜବତ କରିଥିଲେ। ଟ୍ରକରେ ଥିବା ଦୁଇଜଣ ବ୍ୟକ୍ତିଙ୍କୁ ଥାନାକୁ ନେଇ ପଚରାଉଚରା କରିଥିଲେ। ଟ୍ରକରେ ଚିତ୍ରକୋଣ୍ଡା କୁ ସିମେଣ୍ଟ ନେଇ ଯାଇଥିଲେ । ସେଠାରେ ସିମେଣ୍ଟ ଅନଲୋଢ କରି ସାରିବା ପରେ ଗଞ୍ଜେଇ ବୋଝେଇ କରି ରାଜସ୍ଥାନକୁ ବିକ୍ରୀ ପାଇଁ ନେଉଥିଲେ। ଗଞ୍ଜେଇ ଓଜନ କରିବାରୁ ୬୧୫ କେଜି ହୋଇଥିଲା। ଗିରଫ ଦୁଇଜଣଙ୍କୁ କୋର୍ଟ ଚାଲାଣ କରା ଯାଇଥିବାର କୋରକୁଣ୍ଡା ଥାନା ଅଧିକାରୀ ସୂଚନା ଦେଇଛନ୍ତି।