ଭୁବନେଶ୍ୱର/ରାଇରଙ୍ଗପୁର,୨୦/୬ : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କରକମଳରେ ପଶ୍ଚିମବଙ୍ଗର ହୂଗୁଳି ସ୍ଥିତ ତାରକେଶ୍ୱରଠାରେ ପିଏମ୍ କିଷାନ ଯୋଜନାର ୨୩ତମ କିସ୍ତି ଆଜି ପ୍ରଦାନ କରାଯାଇଛି I ସମଗ୍ର ଦେଶରେ ୯ କୋଟି ୪୪ଲକ୍ଷରୁ ଊର୍ଦ୍ଧ୍ୱ ଚାଷୀଙ୍କ ବ୍ୟାଙ୍କ ଖାତାକୁ ୧୮, ୮୮୦କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ସେଥିମଧ୍ୟରୁ ଓଡ଼ିଶାର ୩୪.୬୪ ଲକ୍ଷରୁ ଊର୍ଦ୍ଧ୍ୱ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଆଜି ୬୯୨.୮୬କୋଟିରୁ ଉର୍ଦ୍ଧ୍ୱ ଟଙ୍କା ପ୍ରଦାନ କରାଯାଇଛି । ପିଏମ୍ କିଷାନ ଯୋଜନା ଦେଶର ଏକ ପ୍ରମୁଖ କୃଷକ କଲ୍ୟାଣକାରୀ ଯୋଜନା। କେନ୍ଦ୍ର ସରକାରଙ୍କ ଏହି ଯୋଜନା ଅନ୍ତର୍ଗତ ମିଳୁଥିବା ଆର୍ଥିକ ସହାୟତାକୁ ଚାଷୀମାନେ ବିହନ, ସାର, କୀଟନାଶକ ଓ ଚାଷପାଇଁ ଆବଶ୍ୟକ ଅନ୍ୟାନ୍ୟ ଜିନିଷ କିଣିବା ପାଇଁ ବ୍ୟବହାର କରିପାରିବେ। ଏଥିରେ ସମସ୍ତ ଯୋଗ୍ୟ କୃଷକମାନଙ୍କୁ ସମାନ ତିନୋଟି କିସ୍ତିରେ ବର୍ଷକୁ ମୋଟ ୬ ,୦୦୦ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଉଛି । ଅନ୍ନଦାତାଙ୍କ ସମ୍ମାନାର୍ଥେ ଏହି ଦିନକୁ ସାରା ଦେଶ ତଥା ରାଜ୍ୟରେ ଉତ୍ସର୍ଗୀକୃତ ଭାବେ 'ରାଷ୍ଟ୍ରୀୟ କୃଷକ ଉତ୍ସବ ଦିବସ' ରୂପେ ପାଳନ କରାଯାଉଛି ।
କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ପିଏମ୍ କିଷାନ ସହାୟତା ପ୍ରଦାନ ଉତ୍ସବ ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରସ୍ଥିତ ମହତାବ ଭବନ ଟାଉନ ହଲଠାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗଦେଇ ଚାଷୀ ଭାଇଭଉଣୀଙ୍କୁ ସମ୍ବୋଧନ କରି କହିଥିଲେ ଯେ, ଓଡ଼ିଶା ଏପରି ଏକ ରାଜ୍ୟ ଯେଉଁଠି ରବି ଋତୁରେ ମଧ୍ୟ ଚାଷୀଙ୍କଠାରୁ ସରକାର କୁଇଣ୍ଟାଲ ପିଛା ୩୧୦୦ଟଙ୍କାରେ ଧାନ ସଂଗ୍ରହ କରୁଛନ୍ତି । ଗତ ଦୁଇବର୍ଷ ମଧ୍ୟରେ ରାଜ୍ୟର ଚାଷୀମାନେ ବିଭିନ୍ନ ଫଳ ପନିପରିବା ଚାଷ କରି ବିଦେଶକୁ ରପ୍ତାନି କରି ଭଲ ରୋଜଗାର କରିପାରିଛନ୍ତି ଏବଂ "ଚାଷୀ ହସିଲେ ଦେଶ ହସିବ" ଉକ୍ତିକୁ ସତ୍ୟରେ ପରିଣତ କରିପାରିଛନ୍ତି।
ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଥିଲେ ଯେ, ଚଳିତ ବର୍ଷ ଏଲ୍ ନିନୋର ପ୍ରଭାବ ଅନୁଭୂତ ହେବାର ଆଶଙ୍କା ରହିଛି ତେଣୁ ଚାଷୀମାନେ ସ୍ୱଳ୍ପ ଅବଧି ଯୁକ୍ତ ଫସଲ କିସମ ଚାଷ କରନ୍ତୁ । ଏହାଦ୍ୱାରା ଆପଣଙ୍କ ଫସଲ ଉତ୍ପାଦନ ପ୍ରଭାବିତ ହେବ ନାହିଁ। ଏଥିସହ, ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଆହ୍ୱାନ ଅନୁଯାୟୀ ଡାଲି ଓ ତୈଳ ଜାତୀୟ ଫସଲ ରାଜ୍ୟରେ ଅଧିକ ପରିମାଣରେ କରିବାକୁ ପରାମର୍ଶ ଦେଇଛନ୍ତି। ଏହା ଓଡ଼ିଶାକୁ ଡାଲି ଓ ତେଲରେ ଆତ୍ମନିର୍ଭର ପଥରେ ଅଗ୍ରସର କରିବ ଏବଂ ସରକାର ଏହାକୁ ଏମଏସପି ଦରରେ ଚାଷୀଙ୍କଠାରୁ ସଂଗ୍ରହ ମଧ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
କୃଷି ବିଭାଗର କମିଶନର ତଥା ଶାସନ ସଚିବ ସଚିନ ରାମଚନ୍ଦ୍ର ଯାଦବ ସ୍ୱାଗତ ଅଭିଭାଷଣ କହିଥିଲେ ଯେ, ସମସ୍ତ ଯୋଗ୍ୟ ଚାଷୀମାନେ ପିଏମ୍ କିଷାନ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ନିଜକୁ ପଞ୍ଜିକରଣ କରାନ୍ତୁ ଏବଂ ଯୋଜନାର ଲାଭ ଉଠାନ୍ତୁ। ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ଼ଃ କୃଷ୍ଣଚନ୍ଦ୍ର ମହାପାତ୍ର ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। କୃଷି ନିର୍ଦ୍ଦେଶକ ଶୁଭମ ସକ୍ସେନା, ବିଭାଗୀୟ ବରିଷ୍ଠ ଅଧିକାରୀବୃନ୍ଦ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ପିଏମ୍ କିଷାନ ଯୋଜନା ସମ୍ପର୍କରେ ଚାଷୀମାନଙ୍କୁ ଉପଦେଶ ପ୍ରଦାନ କରିଥିଲେ I ରାଜ୍ୟର ସମସ୍ତ ଜିଲ୍ଲାରେ ଅବସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର, ଜାତୀୟ କୃଷି ଅନୁଷ୍ଠାନ, କେନ୍ଦ୍ର ଓ ରାଜ୍ୟସ୍ତରୀୟ କୃଷି ବିଶ୍ୱବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମର ପ୍ରସାରଣ କରାଯାଇଛି ।