ନୂଆଦିଲ୍ଲୀ: ଆଫଗାନିସ୍ତାନ ବିପକ୍ଷ ଅନ୍ତିମ ଦିନିକିଆରେ ଚମକିଲା ଜୟସ୍ବାଲଙ୍କ ବ୍ୟାଟ୍ । ଅପରାଜିତ ଶତକ ମାରି ଦଳକୁ ବିଜୟ କରାଇବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କଲେ ଜୟସ୍ବାଲ । ଆଫଗାନିସ୍ତାନକୁ ୯ ଓ୍ବିକେଟରେ ହରାଇଲା ଟିମ୍ ଇଣ୍ଡିଆ । ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜକୁ କ୍ଲିନ୍ ସୁଇପ୍ କରିଛି ଗିଲ୍ ବାହିନୀ । ତେବେ ଅନ୍ତିମ ଦିନିକିଆରେ ପ୍ରଥମରୁ ଆକ୍ରମଣାତ୍ମକ ଢ଼ଙ୍ଗରେ ଖେଳି ଶତକ ହାସଲ କରି ରେକର୍ଡ କରିଛନ୍ତି ଜୟସ୍ବାଲ ।

ପ୍ରଥମ ମ୍ୟାଚରେ ଜୟସ୍ବାଲ ଖେଳିବାର ସୁଯୋଗ ପାଇନଥିବାବେଳେ ଦ୍ବିତୀୟ ଦିନିକିଆରେ ଖରାପ ପ୍ରଦର୍ଶନ କରିଥିଲେ । ମାତ୍ର ତୃତୀୟ ଦିନିକିଆରେ ୮୬ ବଲରୁ ୧୧୦ ରନ କରି ଅପରାଜିତ ରହିଛନ୍ତି । ତେବେ ଜୟସ୍ବାଲ ୮୩ ବଲରେ ନିଜର ଶତକ ହାସଲ କରିଥିବାବେଳେ ଏକ ରେକର୍ଡ ନିଜ ନାମରେ କରିଛନ୍ତି । ଜୟସ୍ବାଲ ଜିନର ଶେଷ ୩ ମ୍ୟାଚ ମଧ୍ୟରେ ଦୁଇଟି ଶତକ ମାରିଛନ୍ତି । ସେ ଏକଦିବସୀୟରେ ଦ୍ରୁତତମ ଦୁଇଟି ଶତକ ହାସଲ କରିବାର ରେକର୍ଡ କରିଛନ୍ତି । ଯାହାକି ପୂର୍ବରୁ ଶିଖର ଧାଓ୍ବନଙ୍କ ନାମରେ ରହିଥିଲା ।

ଶିଖର ଧାଓ୍ବନ ଏହି ଉପଲବ୍ଧି ପାଇଁ ୭ଟି ପାଳି ଖେଳିବାକୁ ପଡ଼ିଥିଲା । ମାତ୍ର ଜୟସ୍ବାଲ ୬ଟି ପାଳିରେ ଏହି ରେକର୍ଡ କରିଛନ୍ତି । କେଦାର ଯାଦବ ୯ ପାଳି ଖେଳି ତୃତୀୟ ସ୍ଥାନରେ ରହିଛନ୍ତି । ବିରାଟ ୧୭ ଏବଂ ଗିଲ ୧୮ ପାଳିରେ ଏହି ଉପଲବ୍ଧି ହାସଲ କରିଥିଲେ । ଆଫଗାନିସ୍ତାନ ବିପକ୍ଷରେ ଶତକ ମାରିବାରେ ଜୟସ୍ବାଲଙ୍କ ନାମ ଯୋଡ଼ି ହୋଇଛି । ରୋହିତ ପୂର୍ବରୁ ୬୩ ବଲରେ ଶତକ ହାସଲ କରିଥିଲେ । ଏବେ ୮୩ ବଲରେ ଶତକ ହାସଲ କରି ତାଲିକାରେ ସାମିଲ ହୋଇଛନ୍ତି ଜୟସ୍ବାଲ ।