ଆଠଗଡ଼, ୭/୬ : କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ହାଟମାଳ ପଞ୍ଚାୟତ ବିଷ୍ଣୁପୁର ଗ୍ରାମରେ ମାଙ୍କଡ଼ଙ୍କ ଦୌରାତ୍ମ୍ୟ। ଅତିଷ୍ଠ ହୋଇପଡ଼ିଲେଣି ଗ୍ରାମବାସୀ। ଗାଁରେ ପଶି ଜଣଙ୍କ ପରେ ଜଣଙ୍କୁ ଆକ୍ରମଣ କରି ରକ୍ତାକ୍ତ କରୁଛନ୍ତି ମାଙ୍କଡ଼ପଲ। ଏମାନଙ୍କ ଆକ୍ରମଣରେ ଏଯାବତ୍ ବିଷ୍ଣୁପୁର ଏବଂ କଣ୍ଠିପୁର ଗ୍ରାମର ୭ରୁ ଉର୍ଦ୍ଧ୍ଵ ବ୍ୟକ୍ତି ଆହତ ହୋଇଛନ୍ତି। ସେମାନଙ୍କର ଚିକିତ୍ସା ଚାଲିଛି। ଗାଁରୁ ତୁରନ୍ତ ମାଙ୍କଡ଼ଙ୍କୁ ଘଉଡ଼ାଇବାକୁ ଗ୍ରାମବାସୀ ଦାବି କରିଛନ୍ତି।
ସୂଚନାନୁଯାୟୀ, ବିଷ୍ଣୁପୁର ଗାଁରେ ଏକ ମାସରୁ ଉର୍ଦ୍ଧ୍ଵ ଦିନ ହେବ ମାଙ୍କଡ଼ଙ୍କ ଦୌରାତ୍ମ୍ୟ ବଢିବାରେ ଲାଗିଛି। ମାଙ୍କଡ଼ପଲ ଗାଁ ଲୋକଙ୍କ ଘରେ ପଶି ଖାଦ୍ୟ ସାମଗ୍ରୀ ନଷ୍ଟ କରୁଛନ୍ତି। ଲୋକମାନଙ୍କୁ ଆକ୍ରମଣ କରୁଛନ୍ତି। ମାଙ୍କଡ଼ଙ୍କ ଆକ୍ରମଣରେ ଏଯାବତ୍ ୭ ଜଣ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ବନ ବିଭାଗ ପକ୍ଷରୁ ବହୁଥର ଉଦ୍ୟମ ସତ୍ତ୍ଵେ ମାଙ୍କଡ଼ଙ୍କୁ କାବୁ କରିପାରୁ ନାହାଁନ୍ତି। ତେଣୁ ଶୁକ୍ରବାର ରାତିରେ ଗ୍ରାମବାସୀ ମିଶି ଠେଙ୍ଗାବାଡ଼ି ଧରି ସେମାନଙ୍କୁ ଘଉଡ଼ାଇବାକୁ ଉଦ୍ୟମ ଚଳାଇଛନ୍ତି। ବନ ବିଭାଗ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି।