ଭୁବନେଶ୍ୱର, ୧୦/୦୧ : କିଏ ଖାତରେ ପଡ଼ି, ତ ଆଉ କିଏ ପରିତ୍ୟକ୍ତ କୂଅ ଓ ପୁଣି କିଏ ଦୁର୍ଘଟଣାର ଶିକାର ହୋଇ ଉଦ୍ଧାର ହୋଇଛନ୍ତି । ସଭିଙ୍କୁ ସେମାନଙ୍କ ମା’ ପର କରି ଛାଡ଼ି ପଳାଇଛନ୍ତି । ବନବିଭାଗ କର୍ମଚାରୀଙ୍କ ଶତଚେଷ୍ଟା ସତ୍ତ୍ଵେ ମା’ କି ପଲ ଆଉ ଗ୍ରହଣ କରି ନାହାନ୍ତି । କାରଣ ମଣିଷ ଛୁଆଁର ପାତକ ଲାଗିଗଲା । ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଉଦ୍ଧାର ହୋଇଥିବା ଏହି ମା’ ଛେଉଣ୍ଡ ୭ ହାତୀ ଶାବକମାନେ ଏବେ ଏକାଠି । ସେମାନେ ହେଲେ ‘ଚନ୍ଦୁ’, ‘ସୀମା’, ‘ଜଗନ୍ନାଥ ଓରଫ ଜଗା’, ‘ଉମା’, ‘କାହ୍ନା’, ‘ରାଧିକା’ ଏବଂ ‘କାର୍ତ୍ତିକ’ । ଏମାନଙ୍କୁ ମା’ ସିନା ପର କରିଦେଲା, ହେଲେ ସମସ୍ତଙ୍କୁ ଚନ୍ଦକା-ଡମପଡ଼ା ଅଭୟାରଣ୍ୟର କୁମାରଖୁଣ୍ଟି କୋଳେଇ ନେଲା। ଏହି ହାତୀ ପାଠଶାଳାରେ ଏବେ ଏକାଠି ରହୁଛନ୍ତି ସମସ୍ତେ।
ଏକାଠି ଖିଆପିଆ, ଖେଳକୁଦ ସାଙ୍ଗକୁ ପାଠପଢ଼ା
୩ ବର୍ଷ ଠାରୁ ଆରମ୍ଭ କରି ୧୫ ବର୍ଷ ବୟସ୍କ ଏହି ମା’ ଛେଉଣ୍ଡ ହାତୀମାନେ ଏବେ ଏକାଠି ହୋଇ ପାଠପଢ଼ା ସାଙ୍ଗକୁ ଖେଳକୁଦରେ ଲାଗିଛନ୍ତି। ଆଉ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ଏଲିଫ୍ୟାଣ୍ଟ୍ ରେସ୍ତୋରାଁରେ ମନଭରି ଖିଆପିଆ କରି ସମୟ ବିତାଉଛନ୍ତି। ସମସ୍ତେ ଯିଏ ଯାହାର ମା’ଙ୍କୁ ଭୁଲି ଏବେ ପୁରା ଖୁସ୍ ।
ସାଜିବେ ଜଙ୍ଗଲ ରକ୍ଷକ
ବନବିଭାଗ କରିଥିବା ଯୋଜନା ଅନୁଯାୟୀ, ଏହି ହାତୀଛୁଆମାନଙ୍କୁ ‘କୁମ୍କୀ’ ପ୍ରଶିକ୍ଷଣ ଦିଆଯାଉଛି । ତାଲିମପ୍ରାପ୍ତ ହେବା ପରେ ଏମାନଙ୍କୁ ରାଜ୍ୟର ବିଭିନ୍ନ ଜଙ୍ଗଲରେ ଛଡ଼ାଯାଇ ଜଙ୍ଗଲ ଜଗିବା କାମରେ ନିୟୋଜିତ କରାଯିବ । ଜଙ୍ଗଲରୁ ଶିକାରୀ ଏବଂ କାଠ ଚୋରଙ୍କୁ ତଡ଼ିବା ଠାରୁ ଆରମ୍ଭ କରି ଜଙ୍ଗଲ ଛାଡ଼ି ଜନବସତି ମୁହାଁ ହେଉଥିବା ହାତୀଙ୍କୁ ପୁଣି ଜଙ୍ଗଲକୁ ଫେରାଇ ଆଣିବା କାମରେ ନିୟୋଜିତ କରାଯିବ । ଏଥିସହ ପର୍ଯ୍ୟଟକମାନଙ୍କୁ ପିଠିରେ ବସାଇ ଜଙ୍ଗଲ ବୁଲାଇବା କାମରେ ମଧ୍ୟ ଲଗାଯିବ । ଫଳରେ ବନବିଭାଗର ରାଜସ୍ୱ ବୃଦ୍ଧି ଘଟିବ । ଏଭଳି ମହାନ ଉଦ୍ଦେଶ୍ୟ ରଖି କୁମାରଖୁଣ୍ଟି ଠାରେ ୨୦୨୪ ମାର୍ଚ୍ଚ ୬ରୁ ଆରମ୍ଭ ହୋଇଛି ହାତୀଙ୍କ ପାଠଶାଳା ।
କେଉଁଠୁ, କେବେ ଉଦ୍ଧାର ହୋଇଥିଲେ
କାର୍ତ୍ତିକ: ୨୦୧୦ ଜୁଲାଇ ୭ରେ ଆଠଗଡ଼ ଜଙ୍ଗଲରୁ ଉଦ୍ଧାର ହୋଇଥିଲା କାର୍ତ୍ତିକ । ଆଠଗଡ଼ ଜଙ୍ଗଲରେ ଏକ ଖାତରେ ପଡ଼ିଥିବାବେଳେ ମା’ ଓ ହାତୀପଲ ଉଦ୍ଧାର କରିବାକୁ ବହୁ ଉଦ୍ୟମ କରି ବିଫଳ ହୋଇଥିଲେ । ପରେ ବନ କର୍ମଚାରୀମାନେ ଛୁଆକୁ ଉଦ୍ଧାର କରିଥିଲେ ମଧ୍ୟ ଆଉ ମା’ କି ପଲ ଗ୍ରହଣ କରି ନଥିଲା । ତେଣୁ ତାକୁ କପିଳାସକୁ ଅଣାଯାଇ ସେଠାରେ କାର୍ତ୍ତିକ ନାମକରଣ କରାଯାଇଥିଲା । ଏବେ ତାକୁ ୧୪ ବର୍ଷ ପୂରିଲାଣି । ୨୦୨୪ ମାର୍ଚ୍ଚ ୧୫ରେ କାର୍ତ୍ତିକ କୁମାରଖୁଣ୍ଟିକୁ ଆସିଛି ।
ଉମା: ଢେଙ୍କାନାଳ ଜିଲ୍ଲା ଷଡ଼ଙ୍ଗୀ ବନାଞ୍ଚଳରୁ ୨୦୧୨ ସେପ୍ଟେମ୍ବର ୪ରେ ଉମା ଉଦ୍ଧାର ହୋଇଥିଲା । ବିଲ ଭିତରେ ଥିବା ଏକ କୂଅରେ ପଡ଼ିଥିବାବେଳେ ତାକୁ ବନବିଭାଗ ଲୋକଙ୍କ ସହ ମିଶି ଉଦ୍ଧାର କରିଥିଲା । ମଣିଷ ସଂସ୍ପର୍ଶରେ ଆସିଥିବାରୁ ତାକୁ ମା’ ଓ ହାତୀ ପଲ ଗ୍ରହଣ କରି ନଥିଲେ । ତେଣୁ ତାକୁ କପିଳାସକୁ ଅଣାଯାଇଥିଲା । ଏଠାରେ ତା’ର ନାମ ‘ଉମା’ ରଖାଯାଇଥିଲା । ଏବେ ଉମାକୁ ୧୧ ବର୍ଷ ପୂରିଲାଣି । ସେ ୨୦୨୪ ମାର୍ଚ୍ଚ ୧୫ରେ ଏଠାକୁ ଆସିଛି ।
ଚନ୍ଦୁ: ୨୦୧୧ ଡିସେମ୍ବର ୨୪ରେ ବରଗଡ଼ ବନଖଣ୍ଡରୁ ଉଦ୍ଧାର ହୋଇଥିଲା ଅଣ୍ଡିରା ହାତୀ ଛୁଆ ‘ଚନ୍ଦୁ’ । ଏକ ଖାତରେ ପଡ଼ି ମଣିଷ ସଂସ୍ପର୍ଶରେ ଆସିଥିବାରୁ ତାକୁ ଆଉ ମା’ କି ପଲ ଗ୍ରହଣ କରି ନଥିଲେ । ତେଣୁ ତାକୁ କପିଳାସକୁ ଅଣାଯାଇଥିଲା । ବନ କର୍ମଚାରୀମାନେ ତା’ ନାମ ରଖିଥିଲେ ‘ଚନ୍ଦୁ’ । ୧୫ ବର୍ଷର ଚନ୍ଦୁ ଏଠାରେ ପର୍ଯ୍ୟଟକଙ୍କ ମୁଖ୍ୟ ଆକର୍ଷଣ ପାଲଟିଥିଲା । ଇଏ ବି ୨୦୨୪ ମାର୍ଚ୍ଚ ୧୫ରେ କୁମାରଖୁଣ୍ଟି ଆସିଛି।
ସୀମା: ରାଉରକେଲା ପାନପୋଷରେ ୨୦୨୪ ଅକ୍ଟୋବର ୧୪ରେ ଏକ ୨୩ ଟିକିଆ ହାତୀ ପଲ ଟ୍ରେନ୍ ଲାଇନ୍ ଅତିକ୍ରମ କରୁଥିବାବେଳେ ଟ୍ରେନ୍ ଧକ୍କାରେ ମା’ ସହ ଦୁର୍ଘଟଣାର ଶିକାର ହୋଇଥିଲା ‘ସୀମା’ । ଛୋଟେଇ ଛୋଟେଇ ଚାଲୁଥିବା ବେଳେ ମା’ ହାତୀ ସହ ପଲ ପଳାଇଥିଲା । ଅକ୍ଟୋବର ୧୬ରେ ବନବିଭାଗ ଛୁଆଟିକୁ ଉଦ୍ଧାର କରିଥିଲା । ଆହତ ଅବସ୍ଥାରେ ଉଦ୍ଧାର ହୋଇଥିବାରୁ ତାକୁ ଚିକିତ୍ସା ପାଇଁ ସେହିଦିନ ନନ୍ଦନକାନନକୁ ପଠାଇ ଦିଆଯାଇଥିଲା । ସୁସ୍ଥ ହେବାପରେ ତାକୁ ଗତବର୍ଷ ଅକ୍ଟୋବର ୩୧ରେ କୁମାରଖୁଣ୍ଟିକୁ ଅଣା ଯାଇଥିଲା ।
ରାଧିକା: ୨୦୨୪ ସେପ୍ଟେମ୍ବର ୧୬ରେ କଳାହାଣ୍ଡି ନର୍ଲାରୁ ଉଦ୍ଧାର ହୋଇଥିଲା ଛୁଆ ହାତୀ ‘ରାଧିକା’ । ଦୁଇଦିନ ପର୍ଯ୍ୟନ୍ତ ତାକୁ ମା’ ଓ ପଲ ସହ ଫେରାଇବା ପାଇଁ ବନବିଭାଗ ଆପ୍ରାଣ ଚେଷ୍ଟା କରିଥିଲେ ମଧ୍ୟ ମା’ ଆଉ ଗ୍ରହଣ କରି ନଥିଲା । ତେଣୁ ତାକୁ କଳାହାଣ୍ଡି ଚିପୁଲ ସେଣ୍ଟ୍ରାଲ ନର୍ସରୀକୁ ସ୍ଥାନାନ୍ତର କରା ଯାଇଥିଲା । ସେତେବେଳେ ମାତ୍ର ଦେଢ଼ବର୍ଷର ଥିଲା ରାଧିକା । ୨୦୨୪ ନଭେମ୍ବର ୨୬ରେ ରାଧିକାକୁ କୁମାରଖୁଣ୍ଟିକୁ ଅଣାଯାଇଥିଲା ।
କାହ୍ନା: ୨୦୨୪ ନଭେମ୍ବର ୨ରେ କେନ୍ଦୁଝର ଚମ୍ପୁଆ ରେଞ୍ଜରୁ ଉଦ୍ଧାର ହୋଇଥିଲା ଛୁଆ ହାତୀ ‘କାହ୍ନା’ । ଡିହାଇଡ୍ରେସନ୍ରେ ଆକ୍ରାନ୍ତ ହୋଇଥିବା ଅବସ୍ଥାରେ ତାକୁ ଉଦ୍ଧାର କରାଯାଇଥିଲା । ଦୁଇଦିନ କାହ୍ନାର ଚିକିତ୍ସା କରିବା ପରେ ତାକୁ ମା’ ଓ ପଲ ସହ ଫେରାଇ ନେବା ପାଇଁ ଉଦ୍ୟମ କରାଯାଇଥିଲେ ମଧ୍ୟ ବନବିଭାଗ ବିଫଳ ହୋଇଥିଲା । ତେଣୁ ତାକୁ ପଦ୍ମପୁର ମେଗା ନର୍ସରୀରେ ଆଣି ରଖାଯାଇଥିଲା । ସେଠାରୁ ତାକୁ ୨୦୨୪ ନଭେମ୍ବର ୨୩ରେ ଚନ୍ଦକା କୁମାରଖୁଣ୍ଟିକୁ ଅଣା ଯାଇଥିଲା ।
ଜଗା: ଶିମିଳିପାଳ ଅଭୟାରଣ୍ୟରେ ମା’ ଓ ପଲଠାରୁ ଅଲଗା ହୋଇ ଏକାକୀ ବୁଲୁଥିବା ଜଗା ଓରଫ ଜଗନ୍ନାଥକୁ ବନବିଭାଗ ଉଦ୍ଧାର କରି ଶିମିଳିପାଳ ଜେନାବିଲି ହାତୀ ରେସ୍କ୍ୟୁ ସେଣ୍ଟରରେ ରଖିଥିଲା । ସେଠାରେ ତା’ର ଯତ୍ନ ନିଆଯାଉଥିବା ବେଳେ ୨୦୨୪ ମାର୍ଚ୍ଚ ୫ରେ ଜଗାକୁ ଚନ୍ଦକା କୁମାରଖୁଣ୍ଟିକୁ ଅଣାଯାଇଥିଲା । ଏହି ପାଠଶାଳା ଆରମ୍ଭରୁ ଜଗା ପ୍ରଥମ ଛାତ୍ର ଭାବେ ପାଠପଢ଼ା ଜାରି ରଖିଛି ।