ଉମରକୋଟ, ୩।୫: ମାଟି ଘର ଭୁଶୁଡ଼ି ପଡ଼ିବାରୁ ତଳେ ଚାପି ହୋଇ ଜଣେ ୭ ବର୍ଷ ଝିଅର ମୃତ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅଧୀନରେ । ମୃତ ନାବାଳିକା ଜଣକ ହେଲେ ଉମରକୋଟ ବ୍ଲକ ଅନ୍ତର୍ଗତ ଅଞ୍ଚଳା ପଞ୍ଚାୟତ ପଇଁରିଚଚରା ଗ୍ରାମର ପିତବାସ ସାନ୍ତାଙ୍କ ୭ ବର୍ଷର ଝିଅ ଭୁମିକା ସାନ୍ତା ।
ସୂଚନାନୁସାରେ, ଗତ ୧ ତାରିଖ ଦିନ ଗ୍ରାମର ସନାଧର ସାନ୍ତାଙ୍କ ଦୁଇ ଝିଅ ୪ ବର୍ଷୀୟ ସୁତି ସାନ୍ତା ଓ ୨ ବର୍ଷୀୟ ଏଲିସା ସାନ୍ତା ଓ ୭ ବର୍ଷୀୟ ଭୁମିକା ସାନ୍ତା ତିନି ଜଣ ମିଶି ସନାଧର ସାନ୍ତାଙ୍କ ପୁରୁଣା ମାଟି ଘର ପାଖରେ ଖେଳୁଥିଲେ । ଏହି ସମୟରେ ପୁରୁଣା ମାଟି ଘରଟି ଭୁଶୁଡ଼ି ସେମାନଙ୍କ ଉପରେ ପଡ଼ିଯାଇଥିଲା । ଘର ଭୁଶୁଡ଼ି ପଡ଼ିବା ଫଳରେ ଘଟଣାସ୍ଥଳରେ ଭୂମିକାଙ୍କ ମୃତ୍ୟୁ ଘଟିଥିଲା । ଗୁରୁତର ଅବସ୍ଥାରେ ସୁତି ଓ ଏଲିସା ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଏକ ଗାଡ଼ିରେ ଉମରକୋଟ ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ । ଦୁହିଁଙ୍କ ମୁଣ୍ଡ, ଛାତି ଓ ମୁହଁରେ ଗଭୀର ଆଘାତ ଲାଗିଥିଲା । ପ୍ରାଥମିକ ଚିକିତ୍ସା ପରେ ଦୁଇଜଣଙ୍କ ଅବସ୍ଥା ଗୁରୁତର ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।