ଚନ୍ଦ୍ରଶେଖରପୁର,୦୪/୦୨: କାମ ଚାଲିଛି ଯେ ଚାଲିଛି । ବର୍ଷେ କି ଦୁଇ ବର୍ଷ ନୁହେଁ । ଗତ ୭ ବର୍ଷ ହେବ କୋଠା ନିର୍ମାଣ କାମ ଚାଲିଛି । କେତେ ବେଳେ କୋଠାର ଇଣ୍ଟେରିୟର ନୂଆ ଡିଜାଇନ ହେଉଛି ତ ପୁଣି କେବେ ତାକୁ ବାତିଲ କରାଯାଉଛି । ଆଉ କେବେ କାମ ଅଧାରୁ ଠିକାଦାର ଚମ୍ପଟ୍‌ ମାରୁଛି । ନୀଳାଦ୍ରି ବିହାରରେ ନିର୍ମାଣଧୀନ ଭୁବନେଶ୍ୱର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ(ଆରଟିଓ)-୨ର ନୂତନ ବିଲ୍‌ଡିଂ ଅଧା ଖଣ୍ଡିଆ ଅବସ୍ଥାରେ ଏମିତି ଅଟକିଛି । କେବେ ଏ ବିଲ୍ଡିଂର କାମ ସରିବ ତାହା କିଛି ଆକଳନ କରି ହେଉନି । 


ସେପଟେ ଆର୍‌ଟିଓ-୨ କାର୍ଯ୍ୟାଳୟ ନନ୍ଦନବିହାରରେ ଭଡ଼ା ଘରେ ଚାଲିଛି । ସରକାର ଏ ବାବଦରେ ମୋଟା ଅଙ୍କର ଭଡ଼ା ଗଣି ଚାଲିଛନ୍ତି । ଏ ବିଷୟରେ ପୂର୍ତ୍ତ ବିଭାଗର ଅଧିକାରୀଙ୍କୁ ପଚାରିଲେ ସେମାନେ ଉତ୍ତର ଦେବାରେ ଥତମତ ହେଉଛନ୍ତି । ଆରଟିଓ-୨ କାର୍ଯ୍ୟାଳୟ କେବେ ନିଜସ୍ୱ କୋଠାରେ ଚାଲିବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।  ୨୦୧୯ ଗତ ୬ ମାର୍ଚ୍ଚରେ ନୀଳାଦ୍ରି ବିହାର ଗ୍ରୀଡ୍‌କୋ ଅଫିସ ନିକଟରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଏହି ବିଲ୍ଡିଂର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ୨୦୨୧ ସୁଦ୍ଧା କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିଲା । ପ୍ରାୟ ୯ କୋଟି ୧୬ ଲକ୍ଷ ଟଙ୍କା ବ୍ୟୟରେ ପୂର୍ତ୍ତ ବିଭାଗ ଏହି ବିଲ୍ଡିଂ ନିର୍ମାଣ କାମ ଆରମ୍ଭ କରିଥିଲା । ୧ ଏକର ଜମିରେ ବେସ୍‌ମେଣ୍ଟ ପାର୍କିଂ ସହ ୪ ମହଲା କୋଠା ନିର୍ମାଣ ପାଇଁ ପ୍ଲାନ୍‌ କରାଯାଇଛି । ଉଦ୍ଦେଶ୍ୟ ଥିଲା ଏହି ବିଲ୍ଡିଂ ନିର୍ମାଣ ଶେଷ ହେଲେ ଆରଟିଓ-୨ ଏବଂ ଏସ୍‌ଟିଏ କାର୍ଯ୍ୟାଳୟ ଏଠାରେ ରହିବ । କିନ୍ତୁ ବିଲ୍ଡିଂ ନିର୍ମାଣକୁ ଏହା ଭିତରେ ୭ ବର୍ଷ ବିତିଲାଣି ତଥାପି କାମ ସରୁନି ।

 ବର୍ଷେ ପୂର୍ବେ ଗଢା ହୋଇଥିବା ବିଲ୍ଡିଂର କାନ୍ଥକୁ ରାତାରାତି ଭାଙ୍ଗି ଦିଆଯାଇଥିଲା । ଝରକାର ଆକାର ବଡ ହୋଇଯାଇଥିବାରୁ ଏହାକୁ ଭଙ୍ଗା ଯାଇଥିବା ପୂର୍ତ୍ତ ବିଭାଗର ଅଧିକାରୀ ସଫେଇ ଦେଇଥିଲେ । ଯେମିତି କାହା ମନମାନିରେ କାମ ଚାଲୁଛି । ଏବେ ସୁଦ୍ଧା ମାତ୍ର ୫୦ ପ୍ରତିଶତ କାମ ଶେଷ ହୋଇଥିବା କୁହାଯାଉଛି । ଭିତର ଇନଣ୍ଟେରିୟର, ଟାଇଲ୍‌, ଲିଫ୍ଟ ସହ ଅନ୍ୟାନ୍ୟ କାମ ବାକି ରହିଛି । ମଝିରେ ମଝିରେ ଠିକାଦାର ଅଧାରୁ କାମ ବନ୍ଦ କରି ଦେଉଥିବା ଦେଖାଯାଉଛି । ଏହି ନିର୍ମାଣ କାମ ଭିତରେ ପୂର୍ତ୍ତ ବିଭାଗର ୫ ଜଣ ଅଧିକାରୀ ବଦଳି ହୋଇଗଲେଣି ।  ତେବେ ଗତ ୩ ବର୍ଷ ହେବ ଏହି ବିଲ୍ଡିଂର ପ୍ରଥମ ମହଲାରେ ଅସ୍ଥାୟୀ ଭାବେ ଆର୍‌ଟିଓର କମାଣ୍ଡ ଆଣ୍ଡ୍‌ କଣ୍ଟ୍ରୋଲ ରୁମ ଚାଲିଛି । ପ୍ରାୟ ୩୦ ଜଣ କର୍ମଚାରୀ ୨୪ ଘଣ୍ଟିଆ କାମ କରୁଛନ୍ତି । ସବୁଠୁ ବଡ଼ କଥା ହେଲା ବିଲ୍ଡିଂ ଆରମ୍ଭ ସମୟରେ ୯ କୋଟି ୧୬ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ହୋଇଥିଲା । ହେଲେ ଏବେ ଏହାର ବ୍ୟୟ ଅଟକଳ ପ୍ରାୟ ଦ୍ୱିଗୁଣିତ ହୋଇଯାଇଛି ।  

ଆହୁରି ପଢନ୍ତୁ-କଏଦୀଙ୍କ ଆତ୍ମହତ୍ୟା ରୋକିବା ପାଇଁ ବିଶେଷ ପ୍ରୋଟୋକଲ , ବନ୍ଦୀଙ୍କ ମାନସିକ ସ୍ୱାସ୍ଥ୍ୟ ପରୀକ୍ଷା ବାଧ୍ୟ୍ୟତାମୂଳକ

ଗତ ୧୧ ବର୍ଷ ହେବ ଶିଖରଚଣ୍ଡୀ ନଗର ସାମ୍ନା ନନ୍ଦନବିହାରରେ ମାସିକ ଲକ୍ଷାଧିକ ଟଙ୍କା ଭଡ଼ାରେ ଚାଲିଛି ଆର୍‌ଟିଓ ଅଫିସ । ହେଲେ ନୂଆ ବିଲ୍ଡିଂ କାମ ଶେଷ ପାଇଁ ଅଧିକାରୀଙ୍କ ମନବଳୁନି । ଏନେଇ ପୂର୍ତ୍ତ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ଦୁଇ ବର୍ଷ ହେବ କାମ ବନ୍ଦ ରହିଥିଲା । ନୂଆ ଟେଣ୍ଡର ଡକାଯାଇ କାମ ଆରମ୍ଭ ହୋଇଛି । ୨୦୨୬ ଭିତରେ କାମ ଶେଷ ପାଇଁ ଲକ୍ଷ୍ୟ ରହିଛି ।