ମାଲକାନଗିରି/କୋରକୁଣ୍ଡା,୨୮/୧୦ : ଓରକେଲ ପୁଲିସକୁ ମିଳିଛି ସଫଳତା । ପୁଲିସ ପାଟ୍ରୋଲିଂବେଳେ କଣ୍ଟେନର ସହ ୭୭୦କେଜି ଗଞ୍ଜେଇ ଜବତ କରିବା ସହ ୩ଜଣ ଚାଲାଣକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏ ସମ୍ପର୍କରେ ଓରକେଲ ପୁଲିସ ଗଣମାଧ୍ୟମକୁ ସୂଚନା ଦେଇଛି।
ଅଭିନବ ଉପାୟରେ କଣ୍ଟେନର ସିକ୍ରେଟ ଚ୍ୟାମ୍ବର ମାଧ୍ୟମରେ ଗଞ୍ଜେଇ ଚୋରା ଚାଲାଣବେଳେ ୭୭୦କିଲୋ ଗଂଜେଇ ଜବତ କରିବାରେ ଓରକେଲ ପୁଲିସ ସଫଳ ହୋଇଛି । ପୋଲିସର ସୂଚନା ଅନୁସାରେ ସୋମବାର ସନ୍ଧ୍ୟା ସମୟରେ ଚିତ୍ରକୋଣ୍ଡା ଏସଡିପିଓ ପ୍ରଦୋଷ ପ୍ରଧାନ ତମସା ମୁଖ୍ୟ କେନାଲ ଦେଇ ସୋରଲୁକୋଣ୍ଡା ବ୍ୟାରେଜ ଆଡକୁ ଏକ ଗଂଜେଇ ଗାଡି ଆସୁଥିବା ବିଶେଷ ସୁତ୍ରୁରୁ ଖବର ପାଇଥିଲେ। ଏହାପରେ ତାଙ୍କ ନିର୍ଦ୍ଦେଶକ୍ରମେ ଥାନାଧିକାରୀ ଧୀରେନ ପଟ୍ଟନାୟକଙ୍କ ନେତୃତ୍ୱରେ ଏସଆଇ ମିଲନ ବରିହା ଏବଂ ଟିମ୍ ସୋରଲୁକୋଣ୍ଡା ବ୍ୟାରେଜ ନିକଟରେ ଗାଡ଼ି ଯାଞ୍ଚ କରିବା ଆରମ୍ଭ କରିଥିଲେ । ଗାଡ଼ି ଯାଞ୍ଚ ସମୟରେ ଏକ ବଡ଼ ଟ୍ରକ କଣ୍ଟେନରଟି କାମବେଡା ପଟୁ ଆସୁଥିବା ଦେଖି ଅଟକାଇଥିଲେ।
କଣ୍ଟେନରରେ କ’ଣ ସାମଗ୍ରୀ ଥିବା ପୋଲିସ ପଚାରିବାରୁ କିଛି ଜରି ବସ୍ତା ରହିଥିବା ଡ୍ରାଇଭର ଜଣଙ୍କ ଉତ୍ତର ଦେଇଥିଲେ। କଣ୍ଟେନର ଭିତରକୁ ଯାଇ ଯାଞ୍ଚ କରିଥିଲେ । ସେଥିରେ ଗଞ୍ଜେଇ ବସ୍ତା ଥିବା ଦେଖି ଗାଡ଼ି ଟିକୁ ଜବତ କରିଥିଲେ । ପୋଲିସ କରି ଯାଞ୍ଚ କରିବା ପରେ ଟ୍ରକ କଣ୍ଟେନର ଡ୍ରାଇଭର ପଛ ଥିବା ସିକ୍ରେଟ ଚ୍ୟାମ୍ବର ଭିତରେ ୧୭ଟି ବସ୍ତାରେ ୭୭୦କିଲୋ ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲେ । ଟ୍ରକରେ ଥିବା ଚାଲାଣକାରୀମାନଙ୍କୁ ଗିରଫ କରି ଥାନାକୁ ନିଆଯାଇଥିଲା। ଗାଡ଼ିରେ ଡ୍ରାଇଭର ସମେତ ଜଣେ ହେଲପର ଏବଂ ଗାଡି ମାଲିକ ମଧ୍ଯ ଉପସ୍ଥିତ ଥୂବା ଜଣାପଡିଛି। ଗିରଫ ୩ଚାଲାଣକାରୀ ଉତ୍ତରପ୍ରଦେଶ ରାଜ୍ୟର ହୋଇଥିବାବେଳେ ସେମାନଙ୍କ ମଧ୍ୟରେ ରାଜ ବାହାଦୂର(୫୫), ଘର ଚିତ୍ରକୁଟ ଜିଲ୍ଲାର ଗଣ୍ଡା ଗ୍ରାମ, ଜେମଶ ଚୌହାନ(୪୫), ଘର ବନ୍ଦା ଜିଲ୍ଲାର ସାହବ ତଲବ ଏବଂ ଅନ୍ୟ ଜଣେ ରିତିକ ଗୁମ୍ଫା(୨୫), ବନ୍ଦା ଜିଲ୍ଲାର ପଲାରା ଗ୍ରାମ ବୋଲି ପୋଲିସ ସୂଚନା ଦେଇଛି। ତେବେ ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୮୦ ଲକ୍ଷରୁ ଊର୍ଦ୍ଧ୍ବ ହେବ ବୋଲି ଚିତ୍ରକୋଣ୍ଡା ଏସଡିପିଓ ଶ୍ରୀ ପ୍ରଧାନ କହିଛନ୍ତି। ଏଥିସହ ଚାଲାଣକାରୀମାନେ ଏହି ଗଂଜେଇକୁ କାମବେଡ଼ା ଅଞ୍ଚଳରୁ କ୍ରୟ କରି ଉତ୍ତରପ୍ରଦେଶକୁ ଚାଲାଣ କରୁଥିବା ଜଣାପଡିଛି। ତେବେ ଏହି ଘଟଣାରେ ଆଉ କେଉଁମାନେ ସମ୍ପୂକୁ ଅଛନ୍ତି ଏବଂ ଏହି ଚାଲାଣକାରୀମାନଙ୍କ ମୁଖ୍ୟ ରିଙ୍ଗ ମାଷ୍ଟର କିଏ ସେ ନେଇ ପୋଲିସ ଚାଲାଣକାରୀମାନଙ୍କ ଫୋନରୁ ତଥ୍ୟ ବାହାର କରି ଅଧିକ ତଦନ୍ତ ଜାରି ରଖୁଥିବା ବେଳେ ଆଜି ୩ ଚାଲାଣକାରୀଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଚିତ୍ରକୋଣ୍ଡା ଏସଡିପିଓ ଶ୍ରୀ ପ୍ରଧାନ କହିଛନ୍ତି।