ଭୁବନେଶ୍ୱର ୧୭/୦୧: ଗଣତନ୍ତ୍ର ଦିବସ ସମାରୋହରେ ବର୍ଷ ବର୍ଷ ଧରି ପ୍ରଚଳିତ ଭିଆଇପି କଲ୍‌ଚର୍‌ରେ ପୂର୍ଣ୍ଣଚ୍ଛେଦ ପଡ଼ିବ । ପରେଡ୍ ଦେଖିବାକୁ ଆସୁଥିବା ଅତିଥିଙ୍କ ଚେୟାର୍‌ରେ ଏଣିକି ଭିଭିଆଇପି, ଭିଆଇପି ଓ ଡିଗ୍ନିଟୀ ଲେଖାଯିବ ନାହିଁ । ଏହା ବଦଳରେ ଦେଶର ନଦୀମାନଙ୍କର ନାମ ଲେଖାଯିବ । ଏଥିସହିତ ବିଟିଙ୍ଗ୍ ରିଟ୍ରିଟ୍ ସମାରୋହ ପାଇଁ ବାଦ୍ୟଯନ୍ତ୍ରଗୁଡ଼ିକର ନାମ ଅନୁସାରେ ଗ୍ୟାଲେରୀର ନାମ ରଖାଯିବ ।

ରକ୍ଷା ସଚିବ ରାଜେଶ କୁମାର ସିଂହ ଶୁକ୍ରବାର ଏହି ସୂଚନା ଦେଇଛନ୍ତି । ସରକାରଙ୍କ ଅନୁସାରେ, ଏହି ପରିବର୍ତ୍ତନ ଫଳରେ ସାଧାରଣ ଜନତା ଓ ଭିଆଇପିଙ୍କ ମଧ୍ୟରେ ଅନ୍ତର କମିବ । ଭାରତୀୟ ସଂସ୍କୃତି, ଐତିହ୍ୟ ଓ ସମାନତାକୁ ପ୍ରୋତ୍ସାହନ ମିଳିବ । ଏଥିସହିତ ପ୍ରତ୍ୟେକ ନାଗରିକ ନିଜକୁ ସମକକ୍ଷ ଅନୁଭବ କରିବେ ।

ଗଣତନ୍ତ୍ର ଦିବସରେ ବସିବାର ପୂର୍ବ ପ୍ରଚଳିତ ବ୍ୟବସ୍ଥାରେ ଭିଭିଆଇପିର ଅର୍ଥ ଅତି ସ୍ୱତନ୍ତ୍ର ବ୍ୟକ୍ତିବିଶେଷ- ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ । ସବୁଠୁ ଆଗରେ, ସବୁଠୁ ସୁରକ୍ଷିତ ଓ ସବୁଠୁ ଆରାମଦାୟକ ସ୍ଥାନ ସେମାନଙ୍କ ପାଇଁ ଥାଏ । ଭିଆଇପି ସିଟ୍ ସାଂସଦ, ବିଧାୟକ, ବରିଷ୍ଠ ଅଧିକାରୀଙ୍କ ପାଇଁ ସୁରକ୍ଷିତ ଥାଏ । ଡିଗ୍‌ନିଟୀ ଅର୍ଥ ସମ୍ମାନିତ ବ୍ୟକ୍ତି । ଏହି ସିଟ୍ ବିଦେଶୀ ଅତିଥି, ନ୍ୟାୟାଧୀଶ, ସେନାର ଉଚ୍ଚାଧିକାରୀ ଓ ବିଶେଷ ଆମନ୍ତ୍ରିତ ବ୍ୟକ୍ତିଙ୍କ ପାଇଁ ଉଦ୍ଦିଷ୍ଟ । ସୂଚନାଯୋଗ୍ୟ, ୟୁରୋପୀୟ ପରିଷଦର ମୁଖ୍ୟ ଅଧ୍ୟକ୍ଷ ୭୭ତମ ଗଣତନ୍ତ୍ର ଦିବସର ମୁଖ୍ୟ ଅତିଥି ହେବେ ।