ଭୁବନେଶ୍ୱର,୨୪/୦୬: କଳିଙ୍ଗ ଷ୍ଟାଡ଼ିୟମ୍‌ ଆକ୍ୱାଟିକ୍‌ ସେଣ୍ଟରରେ ଚାଲିଥିବା ୭୮ତମ ସିନିୟର ଜାତୀୟ ସନ୍ତରଣ ପ୍ରତିଯୋଗିତାର  ଦ୍ୱିତୀୟ ଦିବସରେ ୩ଟି ଜାତୀୟ ରେକର୍ଡ ପ୍ରତିଷ୍ଠା ହୋଇଛି ।  ମହିଳା ୨୦୦ ମିଟର ଫ୍ରୀଷ୍ଟାଇଲରେ ଧୀନିଧି  ଦେସିଂହୁ, ପୁରୁଷ ୨୦୦ ମିଟର ମେଡଲେରେ  ସୋହନ ଗାଙ୍ଗୁଲି ଏବଂ ମିକ୍ସଡ ୪ ଗୁଣା ୪୦୦  ମିଟରରେ କର୍ଣ୍ଣାଟକ ଦଳ ଏହି ରେକର୍ଡ କରିଥିଲେ । 

ପୁରୁଷ ୧୫୦୦ ମିଟରରେ ଦିଲ୍ଲୀର କୁସଙ୍ଗା ରାୱତ  (୧୫:୩୨.୯୫) ସ୍ୱର୍ଣ୍ଣ, ଗୁଜରାଟର ଆର୍ଯ୍ୟନ ନେହରା  (୧୫:୫୨.୯୭) ରୌପ୍ୟ ଏବଂ ମଧ୍ୟପ୍ରଦେଶରେ ଏ.  ପେଜ (୧୬:୧.୫୪) ବ୍ରୋଞ୍ଜ ଜିତିଛନ୍ତି । ମହିଳା ୨୦୦  ମିଟର ଫ୍ରୀଷ୍ଟାଇଲରେ କର୍ଣ୍ଣାଟକର ଧୀନିଧି ୨:୦୨.୯୭  ସେକେଣ୍ଡ ସହ ନୂଆ ରେକର୍ଡ ପ୍ରତିଷ୍ଠା କରି ସ୍ୱର୍ଣ୍ଣ ଜିତିଥିଲେ । ତାଙ୍କ ନାମରେ ପୂର୍ବ ଜାତୀୟ ରେକର୍ଡ (୨:୦୪.୨୪) ରହିଥିଲା। ଦିଲ୍ଲୀର ଭବ୍ୟା ସଚଦେବ ରୌପ୍ୟ ଓ  ମହାରାଷ୍ଟ୍ରର ଅଦିତି ହେଗଡେ ବ୍ରୋଞ୍ଜ ଜିତିଥିଲେ । 

ପୁରୁଷ ୨୦୦ ମିଟର ମେଡଲେରେ କର୍ଣ୍ଣାଟକର  ସୋହନ (୨:୪.୩୪) ସ୍ୱର୍ଣ୍ଣ, ଏସ୍‌ଏସସିବିର ବିନାୟକ  ବିଜୟ ଶଙ୍କର ରୌପ୍ୟ ଓ କର୍ଣ୍ଣାଟକର ଶିବ ଶ୍ରୀଧର  ବ୍ରୋଞ୍ଜ ପାଇଥିଲେ । ମହିଳା ୨୦୦ ମିଟର ମେଡଲେ  ମହାରାଷ୍ଟ୍ରର ସାନଭି ଦେଶୱାଲ ସ୍ୱର୍ଣ୍ଣ, ତାମିଲନାଡୁ ଶ୍ରୀନିଥି ନାତେସାନ ରୌପ୍ୟ ଏବଂ କର୍ଣ୍ଣାଟକର ତନ୍ୟା  ବ୍ରୋଞ୍ଜ ପଦକ ଲାଭ କରିଛନ୍ତି । ମିକ୍ସଡ ୪ ଗୁଣା ୧୦୦  ମିଟର ଫ୍ରୀଷ୍ଟାଇଲରେ କର୍ଣ୍ଣାଟକ ଦଳ (୩:୪୧.୧୮)  ସ୍ୱର୍ଣ୍ଣ, ତାମିଲନାଡୁ ରୌପ୍ୟ ଓ ଆରଏସ୍‌ପିବି ବ୍ରୋଞ୍ଜ  ପଦକ ଜିତିଛି । ପୁରୁଷ ୫୦ ମିଟର ଫ୍ରୀଷ୍ଟାଇଲରେ  ତାମିଲନାଡୁର ଯଶୁଆ ଥୋମାସ, ମହାରାଷ୍ଟ୍ରରର ହୀର  ଗିତେଶ ଶାହା ଓ କର୍ଣ୍ଣାଟକର ଆକାଶ ମଣି ଯଥାକ୍ରମେ  ସ୍ୱର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ ବିଜେତା ହୋଇଛନ୍ତି ।