ନୂଆଦିଲ୍ଲୀ,୦୭/୧୧; 'ଅପରେସନ୍ ସିନ୍ଦୂର'ରେ ଭାରତ-ପାକିସ୍ତାନ ଯୁଦ୍ଧକୁ ନେଇ ପୁଣି ଏକ ନୂଆ ଟ୍ୱିଷ୍ଟ ଆସିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗତ ମେ ମାସରେ ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧ ସମ୍ପର୍କରେ ପୁଣି ବୟାନ ଦେଇଛନ୍ତି । ଏହି ଯୁଦ୍ଧକୁ ସେ ରୋକିଥିବା ନେଇ ପୁଣି ଦାବି କରିଛନ୍ତି । ଯୁଦ୍ଧରେ ୭ ନୁହେଁ ୮ ବିମାନ ଖସାଯାଇଥିବା କହିଛନ୍ତି ।
ଫ୍ଲୋରିଡାର ମିଆମି ଠାରେ ଆୟୋଜିତ ଆମେରିକା ବ୍ୟବସାୟିକ ଫୋରମକୁ ସମ୍ବୋଧନ କରି ଟ୍ରମ୍ପ କହିଛନ୍ତି ଯେ, ''ଉଭୟ ଭାରତ ଓ ପାକିସ୍ତାନ ସହିତ ବ୍ୟବସାୟିକ ବୁଝାମଣା କରିବା ନେଇ ତାଙ୍କର ଆଲୋଚନା ଚାଲିଥିଲା । ଏହି ସମୟରେ ସେ ଶୁଣିବାକୁ ପାଇଲେ କି ଉଭୟ ଦେଶ ଯୁଦ୍ଧ ଲଢ଼ିବାକୁ ଯାଉଛନ୍ତି । ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇସାରିଛି । ସେତେବେଳକୁ ୭ଟି ବିମାନକୁ ଖସାଇ ଦିଆଯାଇଥିଲା ବେଳେ ଅଷ୍ଟମ ବିମାନଟିକୁ ନଷ୍ଟ କରିଦିଆଯାଇଥିଲା । ପ୍ରକୃତରେ ଅଷ୍ଟମ ବିମାନଟିକୁ ହିଁ ଗୁଳିକରି ଖସାଇ ଦିଆଯାଇଥିଲା ।''
ଟ୍ରମ୍ପ ଆହୁରି କହିଛନ୍ତି, ଏହି ଘଟଣାକୁ ନେଇ ସେ ଉଭୟ ଦେଶକୁ ତାଗିଦ୍ କରିଥିଲି । ଯଦି ଆପଣମାନେ ଶାନ୍ତି ପାଇଁ ସହମତ ନ ହୁଅନ୍ତି ତେବେ ଆପଣଙ୍କ ସହିତ କୌଣସି ପ୍ରକାର ବ୍ୟବସାୟିକ ବୁଝାମଣା ଆମେ କରିବୁ ନାହିଁ । ଏହି ତାଗିଦ୍ ପରେ ଉଭୟ ଦେଶ କହିଥିଲେ କି ବ୍ୟବସାୟ ସହିତ ଯୁଦ୍ଧର କୌଣସି ସମ୍ପର୍କ ନାହିଁ । କିନ୍ତୁ ମୁଁ କହିଥିଲେ କି ଆପଣ ଯଦି ଏଭଳି ଯୁଦ୍ଧ ଜାରି ରଖିବେ ତେବେ ଆମେ କୌଣସି ବ୍ୟବସାୟିକ ବୁଝାମଣା କରିବୁ ନାହିଁ । ଏହା ପରଦିନ ତାଙ୍କ ନିକଟକୁ ଉଭୟ ଦେଶ ଯୁଦ୍ଧବିରତି କରିଥିବାର ଫୋନ୍ ଆସିଥିଲା । ତେଣୁ ସେ ଭାରତ ଓ ପାକିସ୍ତାନ ସହ ବ୍ୟବସାୟିକ ବୁଝାମଣା ପାଇଁ ଆଗେଇଥିଲେ ।''
କହି ରଖୁଛି, ଏପ୍ରିଲ ୨୨ ତାରିଖରେ ଜମ୍ମୁକାଶ୍ମୀର ପହଲଗାମ ବୈସରନ ଘାଟିରେ ଆତଙ୍କୀ ହମ୍ଲା ହୋଇଥିଲା । ଏଥିରେ ୨୬ ଜଣଙ୍କର ମୃତ୍ୟୁ ହୋଇଥିଲା । ପହଲଗାମ ପ୍ରତିଶୋଧ ନେଇ ଆତଙ୍କୀସ୍ଥାନ ଉପରେ ମେ ୬,୭ରେ ଆକ୍ରମଣ କରିଥିଲା ଭାରତୀୟ ସେନା । ତାହାର ନାମ ଥିଲା 'ଅପରେସନ୍ ସିନ୍ଦୂର' । ଭାରତୀୟ ସଶସ୍ତ୍ର ବାହିନୀ ପିଓକେରେ ୯ଟି ଆତଙ୍କବାଦୀ ଶିବିରକୁ ଧ୍ୱଂସ କରିଥିଲା । ଏଥିରେ ୧୦୦ ଆତଙ୍କୀ ନିପାତ ହୋଇଥିଲେ । ଏହା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ତୀବ୍ର ହୋଇଥିଲା ।
ଭାରତର ଖଣ୍ଡନ- ଭାରତ ଲଗାତାର ଏହି ଯୁଦ୍ଧବିରାମରେ କୌଣସି ତୃତୀୟ ପକ୍ଷର ହସ୍ତକ୍ଷେପ ହୋଇଥିବାକୁ ଖଣ୍ଡନ କରି ଆସୁଛି । ଟ୍ରମ୍ପଙ୍କ ନୂଆ ଦାବିକୁ ବି ଖାରଜ କରିଛି ଭାରତ । ବୈଦେଶିକ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି କି, ''ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ଉଭୟ ପକ୍ଷର ସାମରିକ ଅଭିଯାନ ମହାନିର୍ଦ୍ଦେଶକ (ଡିଜିଏମ୍ଓଏସ) ମଧ୍ୟରେ ସାମରିକ ଆଲୋଚନା ପରେ ହୋଇଥିଲା । ଭାରତର ସ୍ଥିତି ଅପରିବର୍ତ୍ତିତ ରହିଛି । ବିନା କୌଣସି ତୃତୀୟ ପକ୍ଷର ହସ୍ତକ୍ଷେପରେ ପାକିସ୍ତାନ ସହିତ ସମସ୍ତ ପ୍ରସଙ୍ଗ ଦ୍ୱିପାକ୍ଷିକ ଭାବରେ ସମାଧାନ କରାଯିବ ।''