ନୂଆଦିଲ୍ଲୀ, ୨୪/୧୧ : ସରକାରୀ କର୍ମଚାରୀଙ୍କ ପାଇଁ ଏବେ ସବୁଠୁ ଚର୍ଚ୍ଚାର ବିଷୟ ଅଷ୍ଟମ ବେତନ ଆୟୋଗ। ଗତ ମାସରେ ସରକାର ଏହାର ସର୍ତ୍ତାବଳୀ ଜାରି କରିଥିଲେ। ଏହାପରେ ଦରମା କେତେ ବଢିବ? ପେମେଣ୍ଟ ଫ୍ୟାକ୍ଟର କ'ଣ ରହିବ ? ତାହାକୁ ନେଇ କେନ୍ଦ୍ରୀୟ କର୍ମଚାରୀଙ୍କ ମଧ୍ୟରେ ଉତ୍ସୁକତା ବଢିଯାଇଛି। କାରଣ ନୂଆ ବେସିକ୍ ଦରମା କେତେ ମିଳିବ ଏହି ପେମେଣ୍ଟ ଫ୍ୟାକ୍ଟର ନିର୍ଦ୍ଧାରିତ କରିବ।

ଫିଟମେଣ୍ଟ ଫ୍ୟାକ୍ଟର କ'ଣ ? କେମିତି ନିର୍ଦ୍ଧାରିତ ହୁଏ ?

ଫିଟମେଣ୍ଟ ଫ୍ୟାକ୍ଟର ହେଉଛି ଏକ ମଲ୍ଟିପ୍ଲାୟର। ୭ମ ବେତନ ଆୟୋଗ ସମୟରେ ଏହା ୨.୫୭ ନିର୍ଦ୍ଧାରିତ ହୋଇଥିଲା। ଅର୍ଥାତ୍ ବେସିକ୍ର ୨.୫୭ ଗୁଣା କରି ନୂଆ ବେସିକ୍ ନିର୍ଦ୍ଧାରିତ କରାଯାଇଥିଲା। ଏବେ ୮ମ ବେତନ ଆୟୋଗରେ ଫିଟମେଣ୍ଟ ଫ୍ୟାକ୍ଟର ସବୁଠୁ ବଡ଼ ପ୍ରଶ୍ନ। ତେବେ ଦରଦାମ୍ ବୃଦ୍ଧି, ଦୈନିକ ଖର୍ଚ୍ଚ, ପରିବାରର ଆବଶ୍ୟକତା ଇତ୍ୟାଦି ଖର୍ଚ୍ଚକୁ ଦୃଷ୍ଟିରେ ରଖି ଫିଟମେଣ୍ଟ ଫ୍ୟାକ୍ଟର ନିର୍ଦ୍ଧାରିତ ହେବ।

କେତେ ବଢିବ ଫିଟମେଣ୍ଟ ଫ୍ୟାକ୍ଟର ?

ବ୍ୟବସାୟିକ ପ୍ଲାଟଫର୍ମ ଏମ୍ବିଟ୍ କ୍ୟାପିଟାଲର ରିପୋର୍ଟ ଅନୁସାରେ, ଫିଟମେଣ୍ଟ ଫ୍ୟାକ୍ଟର ୧.୮୩ ରୁ ୨.୪୬ ମଧ୍ୟରେ ରହିବ। ଯଦି ଏଭଳି ହୁଏ ତାହେଲେ ୧୮ ହଜାର ଟଙ୍କା ନ୍ୟୁନତମ ବେସିକ୍ ଦରମା ଏଭଳି ବଢିବ।୧.୮୩ ଫ୍ୟାକ୍ଟରରେ ଏହା ୩୨ ହଜାର ୯୪୦ ଟଙ୍କା ହେବ।୨.୪୬ ଫ୍ୟାକ୍ଟରରେ ଏହା ୪୪ ହଜାର ୨୮୦ ଟଙ୍କା ହେବ।ଅର୍ଥାତ୍ ନ୍ୟୁନତମ ବେତନରେ ୧୪ ପ୍ରତିଶତରୁ ୫୪ ପ୍ରତିଶତ ଯାଏ ବୃଦ୍ଧି ଘଟିବ। ତେବେ ୫୪ ପ୍ରତିଶତ ବୃଦ୍ଧି ହେବାର ସମ୍ଭାବନା ଖୁବ୍ କମ୍ ରହିଛି। କାରଣ ସରକାରଙ୍କ ଉପରେ ବାଣିଜ୍ୟିକ ବୋଝ ବଢିଯିବ।

କେବେ ବଢିବ ଦରମା ?

ଅବସରପ୍ରାପ୍ତ ଜଷ୍ଟିସ୍ ରଞ୍ଜନା ଦେଶାଇଙ୍କ ଅଧ୍ୟକ୍ଷତାରେ ତିଆରି ହୋଇଥିବା ୮ମ ବେତନ ଆୟୋଗ ଆସନ୍ତା ଦେଢ ବର୍ଷ ଅର୍ଥାତ୍ ପ୍ରାୟ ୧୮ ମାସ ଭିତରେ ରିପୋର୍ଟ ଦେବେ। ଏହି ରିପୋର୍ଟରେ କର୍ମଚାରୀଙ୍କ ଦରମା, ବେସିକ୍ ପେ, ଫିଟମେଣ୍ଟ ଫ୍ୟାକ୍ଟର ଏବଂ ଦରମା ସହ ସମ୍ପର୍କିତ ସୁପାରିଶ ସାମିଲ ରହିବ। କ୍ୟାବିନେଟ ମଞ୍ଜୁରି ମିଳିବା ପରେ ଦରମା, ପେନସନ ଏବଂ ଭତ୍ତାରେ ପରିବର୍ତ୍ତନ କରାଯିବ। ଏହାଦ୍ଵାରା ପ୍ରାୟ ୫୦ ଲକ୍ଷ ରୁ ୬୫ ଲକ୍ଷ କର୍ମଚାରୀ ଉପକୃତ ହେବେ।