ଆଠଗଡ଼, ୧୩।୧୦ : ଖୁଣ୍ଟୁଣୀ ବନାଞ୍ଚଳ ଅଧିନ କପୁରସିଂ ଠାରେ ପରିତ୍ୟକ୍ତ ଅବସ୍ଥାରେ ଥିବା ଏକ ବନସ୍ପତି କାରଖାନା ଭିତରୁ ବାଦୁଡି ଓ ଚେମେଣି ପକ୍ଷୀ ଶିକାର କରିବା ଅଭିଯୋଗରେ ୯ ଜଣଙ୍କୁ ବନବିଭାଗ ଅଟକ ରଖିଛି। ପରିତ୍ୟକ୍ତ ଅବସ୍ଥାରେ ଥିବା ଏକ ବନସ୍ପତି କାରଖାନା ଭିତରୁ ବାଦୁଡି ଓ ଚେମେଣି ପକ୍ଷୀ ମାରୁଥିବା ବେଳେ ସ୍ଥାନୀୟ ଲୋକମାନେ ଦେଖି ଖୁଣ୍ଟୁଣୀ ବନାଞ୍ଚଳ ଅଧିକାରୀଙ୍କୁ ଖବର ଦେଇଥିଲେ । ବନାଞ୍ଚଳ ଅଧିକାରୀ ୩ ଟି ବସ୍ତାରେ ଥିବା ଏକ ହଜାରରୁ ଅଧିକ ପକ୍ଷୀ ସହ ୯ ଜଣଙ୍କୁ ଧରି ବନାଞ୍ଚଳ ହାଜତରେ ରଖିଛନ୍ତି । ଏମାନଙ୍କ ବିରୁଦ୍ଧରେ ଜଙ୍ଗଲ ଆଇନ ପଶୁପକ୍ଷୀ ଶିକାର କରିଥିବା ଅଭିଯୋଗରେ ମାମଲା ରୁଜୁ ହେବ ବୋଲି ବନାଞ୍ଚଳ ଅଧିକାରୀ ନୀଳମାଧଵ ସାହୁ କହିଛନ୍ତି ।