ଭୁବନେଶ୍ଵର, ୨୪/୦୬ : ମଧୁମେହରୁ ରକ୍ଷା ପାଇବାର ଅନେକ ଉପାୟ ରହିଛି। ବନ୍ଧୁ ସାଥିରେ ଥିଲେ ବି ଆପଣଙ୍କୁ ଏହି ରୋଗରୁ ରକ୍ଷା ମିଳିପାରେ। ଭାରତରେ ହୋଇଥିବା ଏକ ଅଧ୍ୟୟନରୁ ଏହି ତଥ୍ୟ ସାମ୍ନାକୁ ଆସିଛି । ଅଧ୍ୟୟନ ଅନୁସାରେ, ଯେଉଁମାନେ ସାଙ୍ଗଙ୍କ ସହ ଭଲ ଜୀବନ ବିତାନ୍ତି ଏବଂ ଏଥିପାଇଁ ପ୍ରେରିତ କରନ୍ତି, ସେମାନଙ୍କୁ ମଧୁମେହ ବିପଦ କମ୍‌ । କେରଳରେ ଦୀର୍ଘ ୯ ବର୍ଷ ଧରି ଏହି ଅଧ୍ୟୟନ ଚାଲିଥିଲା । ଏହାର ଫଳ ମଧୁମେହ ନିବାରଣ ଲାଗି ପରସ୍ପର ପ୍ରୟାସର ଗୁରୁତ୍ୱକୁ ଦର୍ଶାଇଛି । ଦ ଲାନ୍‌ସେଟ୍‌ ରେ ଅଧ୍ୟୟନର ଫଳ ପ୍ରକାଶ ପାଇଛି । ମଧୁମେହ ନିବାରଣ କାର୍ଯ୍ୟକ୍ରମ ଅଧୀନରେ ଏହି ଅଧ୍ୟୟନ କରାଯାଇଛି । 

କେରଳର ୧୦୦୭ ଲୋକଙ୍କୁ ଏଥିରେ ସାମିଲ କରାଯାଇଥିଲା । ଏମାନଙ୍କ ବୟସ ୩୦ରୁ ୬୦ ବର୍ଷ ଥିଲା । ଭବିଷ୍ୟତରେ ଏମାନଙ୍କୁ ମଧୁମେହ ହେବାର ଆଶଙ୍କା ସର୍ବାଧିକ ଥିଲା । ଅଧ୍ୟୟନରେ ଏମାନଙ୍କୁ ଦୁଇଟି ସମୂହରେ ବଣ୍ଟାଯାଇଥିଲା । ଗୋଟିଏ ସମୂହକୁ ସେମାନଙ୍କ ସାଙ୍ଗଙ୍କ ସହ ରଖାଗଲା । ସେମାନଙ୍କୁ ପରସ୍ପରକୁ ସାହାଯ୍ୟ କରିବା ଏବଂ ଭଲ ଜୀବନଶୈଳୀ ଆପଣେଇବାକୁ ପ୍ରେରିତ କରିବାକୁ କୁହାଗଲା । ସମସ୍ତଙ୍କୁ ଏକ ଜୀବନଶୈଳୀ କାର୍ଯ୍ୟକ୍ରମରେ ସାମିଲ କରାଗଲା । ପ୍ରତି ମାସ ସେମାନେ ଏକ ବୈଠକ କଲେ, ଯେଉଁଥିରେ ଅନ୍ୟକୁ ସାହାଯ୍ୟ କଲେ ଏବଂ ନିଜ ଅନୁଭବ ବାଣ୍ଟିଲେ । ବୈଠକରେ ମଧୁମେହକୁ ନିୟନ୍ତ୍ରଣ କରୁଥିବା ଜୀବନଶୈଳୀ ଆପଣେଇବାକୁ ପ୍ରେରିତ କଲେ । 

ଅନ୍ୟପକ୍ଷେ, ଅନ୍ୟ ସମୂହକୁ କେବଳ ଗୋଟିଏ ପୁସ୍ତକ ଦିଆଗଲା । ପୁସ୍ତକ ପଢ଼ି ଜୀବନଶୈଳୀକୁ ସୁଧାରିବାକୁ ସେମାନଙ୍କୁ କୁହାଗଲା । ଏହି ସମୂହରେ କୌଣସି ବୈଠକ କିମ୍ବା କାହାର ସାହାଯ୍ୟ ମଧ୍ୟ ନିଆଗଲା ନାହିଁ । ପ୍ରତି ବର୍ଷ ସମସ୍ତଙ୍କ ସ୍ୱାସ୍ଥ୍ୟ ରେକର୍ଡ କରାଗଲା । ୯ ବର୍ଷ ପରେ ୧୦୦୭ ଜଣଙ୍କ ମଧ୍ୟରୁ ୮୪୧ ଜଣ ଥିଲେ । ଅଧ୍ୟୟନର ଶେଷ ବର୍ଷମାନଙ୍କରେ କିଛି ଲୋକ ସାମିଲ ହେଲେ ନାହିଁ ଏବଂ କିଛି ଲୋକଙ୍କର ମୃତ୍ୟୁ ହୋଇଥିଲା । ଅଧ୍ୟୟନର ଶେଷ ସମୟରେ ସମସ୍ତଙ୍କର ପୁନଃ ମଧୁମେହର ଏଚ୍‌ବିଏ୧ସି ଯାଞ୍ଚ କରାଗଲା । ପରୀକ୍ଷଣରୁ ଜଣାପଡ଼ିଲା, ବନ୍ଧୁଙ୍କ ସହ ବିତାଇଥିବା ସମୂହରେ ଥିବା ୪୧୯ ଲୋକଙ୍କ ମଧ୍ୟରୁ ୧୨୫ ଜଣଙ୍କୁ ମଧୁମେହ ହେଲା । ଅନ୍ୟପକ୍ଷେ, କେବଳ ପୁସ୍ତକ ଦିଆଯାଇଥିବା ୪୨୨ ଜଣଙ୍କ ମଧ୍ୟରୁ ୧୪୨ ଜଣଙ୍କୁ ଏହି ରୋଗ ହେଲା । 

ତଥ୍ୟରୁ ଜଣାପଡ଼ିଲା, ଭଲ ଜୀବନଶୈଳୀ ଆପଣେଇଥିବା ଲୋକଙ୍କ ମଧ୍ୟରେ ମଧୁମେହ ରୋଗୀଙ୍କ ସଂଖ୍ୟା କମ୍‌ ଥିଲା । ଦୁଇ ସମୂହ ମଧ୍ୟରେ ଏହି ସଂଖ୍ୟାରେ ବେଶି ଅନ୍ତର ନଥିଲା । କିନ୍ତୁ ଏଥିରୁ ଅନେକ ଅନ୍ୟ ପାରାମିଟର ସୁଧୁରି ଯାଇଥିବା ଏଥିରୁ ଜଣାପଡ଼ିଲା । ବନ୍ଧୁଙ୍କ ସହ ବୈଠକ କରିଥିବା ଲୋକଙ୍କ ରକ୍ତ ଶର୍କରା ସ୍ତର କମ୍‌ ହୋଇଥିଲା । ସେମାନଙ୍କୁ ମଧୁମେହ ଆଶଙ୍କା ଅନ୍ୟ ସମୂହ ତୁଳନାରେ ୨୮ ପ୍ରତିଶତ କମ୍‌ ଥିଲା । ଅଧ୍ୟୟନରୁ ବୈଜ୍ଞାନିକମାନେ କହିଲେ ଯେ ବନ୍ଧୁଙ୍କ ସହ ସ୍ୱାସ୍ଥ୍ୟକର ଜୀବନଶୈଳୀ ଆପଣେଇବା ଦ୍ୱାରା ଦୀର୍ଘ ସମୟ ଯାଏ ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିବାରେ ସହାୟକ ହୁଏ ।

ଆହୁରି ପଢନ୍ତୁ- ଯଦି ଆପଣଙ୍କ ଶରୀରରେ ଏମିତି ସଙ୍କେତ ଥାଏ, ଏହା ହାର୍ଟ ଖରାପର ଲକ୍ଷଣ ହୋଇପାରେ : ବିଶେଷଜ୍ଞଙ୍କ ଠାରୁ ଜାଣନ୍ତୁ ବିସ୍ତୃତରେ

ମଣିଷର ମୃତ୍ୟ କେବେ ହେବ ? କହିଦେବ ଘଣ୍ଟା !​​​​​​​