​​​​​​​ନୂଆଦିଲ୍ଲୀ, ୭।୫: ଯଦି ଆପଣଙ୍କ ଫୋନ୍‌ର ବ୍ୟାଟେରୀ କମିଗଲେ ଆପଣଙ୍କୁ ଚିନ୍ତା ଘାରୁଛି, ତେବେ ଜାଣି ରଖନ୍ତୁ ଯେ ଆପଣ ଏକୁଟିଆ ନୁହନ୍ତି । ଭାରତରେ ପ୍ରତି ୧୦ ଜଣ ମୋବାଇଲ୍ ବ୍ୟବହାରକାରୀଙ୍କ ମଧ୍ୟରୁ ୯ ଜଣ ଏହି ସମାନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଫୋନ୍ ବ୍ୟାଟେରୀର ରଙ୍ଗ ନାଲି ହେବା ମାତ୍ରେ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ବା 'ଏଙ୍ଗଜାଇଟି' ବଢ଼ିବାରେ ଲାଗୁଛି । ନିକଟରେ କାଉଣ୍ଟରପଏଣ୍ଟ ରିସର୍ଚ୍ଚ ଏବଂ ଫ୍ଲିପକାର୍ଟ ପକ୍ଷରୁ କରାଯାଇଥିବା ଏକ ସର୍ଭେରୁ ଏଭଳି କିଛି ଚଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି ।

ବ୍ୟାଟେରୀ ୩୦-୫୦ ପ୍ରତିଶତ ହେଲେ ବଢ଼ୁଛି ଚିନ୍ତା:

ରିପୋର୍ଟ ଅନୁଯାୟୀ, ପ୍ରାୟ ୯୦ ପ୍ରତିଶତ ବ୍ୟବହାରକାରୀଙ୍କ ମନରେ ସେତେବେଳେ ଚିନ୍ତା ବଢ଼ିଯାଏ, ଯେତେବେଳେ ସେମାନଙ୍କ ଫୋନ୍‌ର ବ୍ୟାଟେରୀ ଲେଭଲ୍ ୩୦ରୁ ୫୦ ପ୍ରତିଶତ ମଧ୍ୟକୁ ଖସି ଆସିଥାଏ । ଯେତିକି ଯେତିକି ବ୍ୟାଟେରୀ ପଏଣ୍ଟ କମିଥାଏ, ବ୍ୟବହାରକାରୀଙ୍କ ମାନସିକ ଚାପ ସେତିକି ବଢ଼ିଥାଏ । ଆଜିର ଦିନରେ ସ୍ମାର୍ଟଫୋନ୍ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇଥିବାରୁ, ଏହା ବନ୍ଦ ହୋଇଯିବା ଭୟ ଲୋକଙ୍କୁ ଘାରୁଛି ।

ସର୍ଭେରୁ ମିଳିଥିବା କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ:

ଚାର୍ଜିଂ ଅଭ୍ୟାସ: ପ୍ରାୟ ୯୦ ପ୍ରତିଶତ ଲୋକ ଦିନକୁ ଅତିକମରେ ଦୁଇଥର ନିଜ ଫୋନ୍ ଚାର୍ଜ କରୁଛନ୍ତି ।

ଚାର୍ଜ ସମୟରେ ବ୍ୟବହାର: ୪୦ ପ୍ରତିଶତ ଲୋକ ମାନିଛନ୍ତି ଯେ ସେମାନେ ଫୋନ୍ ଚାର୍ଜରେ ଲାଗିଥିବା ସମୟରେ ମଧ୍ୟ ଏହାକୁ ବ୍ୟବହାର କରନ୍ତି ।

ଫୋନ୍ ବଦଳାଇବା ପାଇଁ ପ୍ରସ୍ତୁତ: ୬୫ ପ୍ରତିଶତ ବ୍ୟବହାରକାରୀ କହିଛନ୍ତି ଯେ ଯଦି କୌଣସି ଫୋନ୍‌ରେ ବ୍ୟାଟେରୀ ପରଫରମାନ୍ସ ବହୁତ ଭଲ ମିଳେ, ତେବେ ସେମାନେ ନିଜର ବର୍ତ୍ତମାନର ଫୋନ୍ ବଦଳାଇବାକୁ ପ୍ରସ୍ତୁତ ଅଛନ୍ତି ।

ସକାଳୁ ରାତି ଯାଏଁ ଫୋନ୍: ୪୦ ପ୍ରତିଶତ ୟୁଜର୍ସ ସକାଳୁ ଆଖି ଖୋଲିବା ମାତ୍ରେ ପ୍ରଥମେ ଫୋନ୍ ଦେଖନ୍ତି ଏବଂ ରାତିରେ ଶୋଇବା ପୂର୍ବରୁ ମଧ୍ୟ ଶେଷ କାମ ଭାବେ ଫୋନ୍ ବ୍ୟବହାର କରନ୍ତି ।

ସୂଚନାଯୋଗ୍ୟ, ଭାରତ ବର୍ତ୍ତମାନ ୭୫ କୋଟି ମୋବାଇଲ୍ ୟୁଜର୍ସଙ୍କ ସହ ବିଶ୍ୱର ଦ୍ୱିତୀୟ ବୃହତ୍ତମ ସ୍ମାର୍ଟଫୋନ୍ ମାର୍କେଟ୍ ପାଲଟିଛି । ରିପୋର୍ଟରୁ ଆଉ ଏକ ଆଶ୍ଚର୍ଯ୍ୟଜନକ କଥା ଜଣାପଡ଼ିଛି ଯେ, ଲୋକେ ଏବେ କେବଳ କ୍ୟାମେରା କିମ୍ବା ବ୍ୟାଟେରୀ ଦେଖି ଫୋନ୍ କିଣୁନାହାନ୍ତି । ଏବେ ସ୍ମାର୍ଟଫୋନ୍ କିଣିବା ସମୟରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ଏକ ପ୍ରମୁଖ ନିର୍ଣ୍ଣାୟକ କାରକ (Deciding Factor) ସାଜିଛି । ୮୯ ପ୍ରତିଶତ ଗ୍ରାହକ ଫୋନ୍ କିଣିବା ପୂର୍ବରୁ ସେଥିରେ ଥିବା AI ଫିଚର୍ସକୁ ଗୁରୁତ୍ୱ ଦେଉଛନ୍ତି । ବିଶେଷ କରି ୧୫,୦୦୦ରୁ ୨୦,୦୦୦ ଟଙ୍କା ବଜେଟ୍ ମଧ୍ୟରେ ଥିବା ଫୋନ୍‌ରେ ମଧ୍ୟ ଗ୍ରାହକମାନେ AI ସୁବିଧା ଖୋଜୁଛନ୍ତି ।

​​​​​​​

କିଏ କେମିତି କରୁଛି AIର ବ୍ୟବହାର ?

ରିପୋର୍ଟ ଦର୍ଶାଇଛି ଯେ ବିଭିନ୍ନ ବର୍ଗର ଲୋକେ ଭିନ୍ନ ଭିନ୍ନ କାମ ପାଇଁ AIକୁ ବ୍ୟବହାର କରୁଛନ୍ତି:

ଜେନ୍-ଜି: ମୁଖ୍ୟତଃ କଣ୍ଟେଣ୍ଟ କ୍ରିଏସନ୍ ଏବଂ ମନୋରଞ୍ଜନ ପାଇଁ AI ବ୍ୟବହାର କରୁଛନ୍ତି ।

ମିଲେନିଆଲ୍ସ: ନିଜର କାର୍ଯ୍ୟଦକ୍ଷତା ଅର୍ଥାତ୍ ପ୍ରଡକ୍ଟିଭିଟି ବଢ଼ାଇବା ଏବଂ ପ୍ଲାନିଂ ପାଇଁ ଏହାର ସାହାରା ନେଉଛନ୍ତି ।

ମହିଳା: ଦୈନନ୍ଦିନ କାର୍ଯ୍ୟରେ ସହାୟତା ଏବଂ ନିଜର ଲାଇଫଷ୍ଟାଇଲ୍ ଆବଶ୍ୟକତା ପାଇଁ AI ଫିଚର୍ସକୁ ପସନ୍ଦ କରୁଛନ୍ତି ।

ମୋଟାମୋଟି ଭାବେ ଦେଖିବାକୁ ଗଲେ, ଭାରତୀୟ ସ୍ମାର୍ଟଫୋନ୍ ବଜାରରେ ଏବେ 'ବ୍ୟାଟେରୀ ବ୍ୟାକଅପ୍' ସହ 'ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ'ର ଯୁଗ ଆରମ୍ଭ ହୋଇଛି ।