ନୂଆଦିଲ୍ଲୀ ୦୪/୦୩: ଲସ୍‌ ଆଞ୍ଜେଲସର ଡଲ୍‌ବି ଥିଏଟରରେ ରବିବାର ଆୟୋଜିତ ହୋଇଛି ୯୭ତମ ଅସ୍କାର ପୁରସ୍କାର ସମାରୋହ । ସେଥିରେ ବାଜିମାତ୍‌ କରିଛି ସିନ୍‌ ବେକରଙ୍କର ରୋମାଣ୍ଟିକ କମେଡି-ଡ୍ରାମା ‘ଅନୋରା’ । ୫ଟି ବିଭାଗରେ ଏହା ପୁରସ୍କାର ପୋଛି ନେଇଛି । ସେଥିମଧ୍ୟରେ ଶ୍ରେଷ୍ଠ ଚଳଚ୍ଚିତ୍ର, ଶ୍ରେଷ୍ଠ ଅଭିନେତ୍ରୀ, ଶ୍ରେଷ୍ଠ ନିର୍ଦ୍ଦେଶନା, ଶ୍ରେଷ୍ଠ ଚିତ୍ରନାଟ୍ୟ, ଶ୍ରେଷ୍ଠ ଏଡିଟିଂ ପ୍ରଭୃତି ସାମିଲ । ‘ଅନୋରା’ ଲାଗି ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଛନ୍ତି ମାଇକି ମାଡିସନ୍‌ । ଫିଲ୍ମଟି ଜଣେ ରୁଷୀୟ-ଆମେରିକୀୟ ଯୌନକର୍ମୀ ଆନ୍ନିଙ୍କ ଜୀବନ ଉପରେ ପର୍ଯ୍ୟବସିତ । ରୁଷ୍‌ର ଜଣେ ଧନାଢ଼୍ୟ ବ୍ୟବସାୟୀଙ୍କ ପୁଅ ବାନ୍ୟା ଆମେରିକାକୁ ପଢ଼ିବାକୁ ଆସିଥିବାବେଳେ ସମୟକ୍ରମେ ସେ ଆନ୍ନିଙ୍କ ସହ ପରିଚିତ ହୋଇଛନ୍ତି । ଗୋଟିଏ ସପ୍ତାହ ସାଙ୍ଗରେ ବିତାଇବାକୁ ଆନ୍ନିଙ୍କୁ ୧୫ ହଜାର ଡଲାର ଦେବାର ଅଫର୍‌ ଦେଇଛନ୍ତି ସେ । ପରେ ସେ ଆନ୍ନିଙ୍କ ଆଗରେ ବିବାହ ପ୍ରସ୍ତାବ ବି ରଖିଛନ୍ତି । ଏହାପରେ ନାଟକୀୟ ଭାବେ ବଦଳିଯାଇଛି ଆନ୍ନିଙ୍କ ଜୀବନ । 

କାନ୍‌ ଫିଲ୍ମ ମହୋତ୍ସବରେ ଏହି ଫିଲ୍ମକୁ ପାମ୍‌ ଡି ଓର ପୁରସ୍କାର ମିଳିଥିଲା । ଗତବର୍ଷ ମେ ୨୧ରେ ଫିଲ୍ମଟି ରିଲିଜ୍‌ ହୋଇଥିବାବେଳେ ତାହା ଭାରତୀୟ ମୁଦ୍ରାରେ ୩୫୮ କୋଟି ଟଙ୍କା ରୋଜଗାର କରିଥିଲା । ପିରିୟଡ୍‌ ଡ୍ରାମା ଫିଲ୍ମ ‘ଦ ବ୍ରୁଟାଲିଷ୍ଟ’ ଲାଗି ଆଡ୍ରିଏନ୍‌ ବ୍ରୋଡି ଶ୍ରେଷ୍ଠ ଅଭିନେତା ଭାବେ ଏକାଡେମୀ ପୁରସ୍କାର ପାଇଛନ୍ତି । ‘ଦ ବ୍ରୁଟାଲିଷ୍ଟ’ ମୋଟ ୩ଟି ବର୍ଗରେ ପୁରସ୍କାର ହାତେଇ ପୁରସ୍କାର ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି । ଏହି ଫିଲ୍ମ ଲାଗି ଲୋଲ କ୍ରଲି ଶ୍ରେଷ୍ଠ ସିନେମାଟୋଗ୍ରାଫର ପୁରସ୍କାର ମଧ୍ୟ ପାଇଛନ୍ତି । ସେହିପରି ‘ଡ୍ୟୁନ୍‌: ପାର୍ଟ ଟୁ’କୁ ମିଳିଛି ଦୁଇଟି ଅସ୍କାର । ‘ଏ ରିଅଲ ପେନ୍‌’ ଲାଗି କିରନ୍‌ କଲକିନ୍‌ ଶ୍ରେଷ୍ଠ ସହ-ଅଭିନେତା ପୁରସ୍କାର ପାଇଛନ୍ତି । ‘ଏମିଲିଆ ପେରେଜ୍‌’ପାଇଁ ଶ୍ରେଷ୍ଠ ସହ-ଅଭିନେତ୍ରୀ ପୁରସ୍କାର ପାଇଛନ୍ତି ଜୋ ସାଲଡାନା । ଅନ୍ତର୍ଜାତୀୟ ଫିଲ୍ମ ବର୍ଗରେ ପୁରସ୍କାର ହାତେଇଛି ‘ଆଇ ଆମ୍‌ ଷ୍ଟିଲ ହିଅର’ । ‘ନୋ ଅଦର ଲ୍ୟାଣ୍ଡ’କୁ ଶ୍ରେଷ୍ଠ ପ୍ରାମାଣିକ ଫିଚର ପୁରସ୍କାର ମିଳିଛି । ସେହିପରି ‘ଫ୍ଲୋ’କୁ ମିଳିଛି ଶ୍ରେଷ୍ଠ ଆନିମେଟେଡ୍‌ ଫିଲ୍ମ ପୁରସ୍କାର । ‘ୱିକେଡ୍‌’ରେ କଷ୍ଟ୍ୟୁମ ଡିଜାଇନ୍‌ ଲାଗି ପଲ୍‌ ତାଜୱେଲ ଏକାଡେମୀ ପୁରସ୍କାର ପାଇଛନ୍ତି ।