ମାଲକାନଗିରି, ୧୫।୯(ଆପ୍ର): ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି।  ରୋଡୀଙ୍କ ପାଇଁ ଯଥେଷ୍ଟ ପରିମାଣର ବେଡ ନଥିବାରୁ ଗୁରୁତର ରୋଗୀମାନେ ପରିବାର ଲୋକଙ୍କ ସହାୟତାରେ ଚେୟାର ବସି ସାଲାଇନ ନେଉଛନ୍ତି। କିଛି ଏପରି ଚିତ୍ର ବର୍ତ୍ତମାନ ସାମାଜିକ ଗଣ ମାଧ୍ୟମରେ ଭାଇରାଲ ହୋଇଥିବା ବେଳେ ଏହା ଜିଲ୍ଲାର ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଯେଉଁଥିରେ ଜଣେ ରୋଗୀଙ୍କୁ ଗୋଟିଏ ସାଲାଇନ ଲାଗିଥିବାର ଫଟୋ ଦେଖିବାକୁ ମିଳିଥିବା ବେଳେ ରୋଗୀ ଜଣଙ୍କ ଏକ ଚେୟାରରେ ବସି ଏହି ସାଲାଇନ ନେଉଥିବା ଦେଖା ଯାଇଛି। ଏହା ସହ ସାଲାଇନକୁ ରଖିବା ପାଇଁ ଉପଯୁକ୍ତ ସ୍ଥାନ ନଥିବାରୁ ରୋଗୀଙ୍କ ସମ୍ପର୍କୀୟ ଏହି ସାଲାଇନଟିକୁ ନିଜ ହାତରେ ଧରି ଛିଡା ହୋଇଥିବା ଫୋଟରୁ ସ୍ପଷ୍ଟ ହୋଇଛି।

ସୂଚନା ମୁତାବକ, ଜିଲାଳରେ ୭ ମହଲା ବିଶିଷ୍ଟ ଅତ୍ୟାଧୁନିକ ଚିକିତ୍ସାଳୟରେ ରୋଗୀଙ୍କୁ ଏପରି ଚିକିତ୍ସା ସେବା ମିଳିବା ସ୍ୱାସ୍ଥ୍ୟ ସେବାର ଗୁମର ଖୋଲୁଥିବା ନେଇ ଆଲୋଚନା ହେଉଛି। ତେବେ ଏନେଇ ଆମେ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ବ୍ରଜବନ୍ଧୁ ଦାସଙ୍କୁ ଯୋଗଯୋଗ କରିବାରୁ ସେ ପ୍ରକାଶ କରିଛନ୍ତି ଯେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦିନକୁ ଦିନ କ୍ଷମତା ଠାରୁ ଅଧିକ ସଂଖ୍ୟକ ରୋଗୀଙ୍କ ଚିକିତ୍ସା କରାଯାଉଛି। ଫଳରେ ଆମ ନିକଟରେ ବେଡର ଅଭାବ ଦେଖା ଦେଇଛି। ସମସ୍ତ ରୋଗୀଙ୍କୁ ବେଡ ଦେବା ପାଇଁ ଆବଶ୍ୟକ ସଂଖ୍ୟାରେ ବେଡ ନଥିବାରୁ ଏପରି ସ୍ଥିତି ଉପୁଜିଥାଇପରେ ବୋଲି ସେ ପ୍ରକାଶ କରିଛନ୍ତି।