ବାରଙ୍ଗ,୨୯/୧୦ : ଆମ ସମାଜରେ ପିତା ମାତାଙ୍କ ମୃତ୍ୟୁ ପରେ ଅନ୍ତିମ ସଂସ୍କାର କେବଳ ପୁଅମାନଙ୍କ ଅଧିକାର ରହିଛି l ଶବ ବୋହିବାଠାରୁ ଆରମ୍ଭ କରି ମୁଖାଗ୍ନି ଦେବା ଓ ଶୁଦ୍ଧ କ୍ରିୟା କେବଳ ପୁଅ ହିଁ କରିଥାଏ । ବର୍ତ୍ତମାନର ଯୁଗରେ ଝିଅମାନେ ମଧ୍ୟ ଏ ସବୁ କାମ କରି ଆଦର୍ଶ ସୃଷ୍ଟି କରିବା ଦେଖିବାକୁ ମିଳୁଛି । ଏଭଳି ଏକ ଘଟଣା କଟକ ଜିଲ୍ଲା ବାରଙ୍ଗ ବ୍ଲକ ବଛିପୁର ଗ୍ରାମରେ ଦେଖିବାକୁ ମିଳିଛି ।
ବଛିପୁର ଗ୍ରାମରେ ରୁହନ୍ତି ଦୁଇ ଭାଇ ବାବାଜୀ ସାହୁ ଓ ସଦାଶିବ ସାହୁ । ବାବାଜୀ ଜଣେ ସମାଜସେବୀ ଓ ପରୋପକାରୀ । ସମସ୍ତଙ୍କ ଦୁଃଖରେ ସେ ସବୁବେଳେ ଦୁଃଖୀ । ସାନଭାଇ ସଦାଶିବ ବିବାହ କରିଥିଲେ କିନ୍ତୁ ବାବାଜୀ ବିବାହ କରିନଥିଲେ । ସଦାଶିବଙ୍କ ଦୁଇ ଝିଅ ଶୁଭଶ୍ରୀ ସାହୁ ଓ ଇତିଶ୍ରୀ ସାହୁ । ଦୁଇ ବର୍ଷ ତଳେ ସଦାଶିବଙ୍କ ହଠାତ ହୃଦଘାତରେ ମୃତ୍ୟୁ ହୋଇଥିଲା । ସେବେଠାରୁ ବାବାଜୀଙ୍କ କାନ୍ଧରେ ପୁରା ପରିବାରର ବୋଝ ତା’ସହିତ ଅନ୍ୟମାନଙ୍କ ସେବା । ବାବାଜୀ କେତେବେଳେ ଘରେ ରୁହନ୍ତି ନାହିଁ। ରାଜମିସ୍ତ୍ରୀ କାମ ସରିଲେ ଘର ପାଖ ମନ୍ଦିରରେ ଦିନ ବିତିଯାଏ । ରାତିରେ ଘଡିଏ ଘରେ ରହି ପୁଣି ସକାଳୁ ଆରମ୍ଭ ହୋଇଯାଏ କର୍ମମୟ ଜୀବନ।
ରାଜମିସ୍ତ୍ରୀ କମ କରନ୍ତି ଯାହା ରୋଜଗାର ହୁଏ ପରିବାର ଖୁସିରେ ଚଳେ । କିନ୍ତୁ ବିଧିର ବିଧାନ ଥିଲା କିଛି ଅଲଗା। ଖୁସିର ପରିବାର ଭିତରେ ଘୋଟି ଆସିଲା କାଳ ବାଦଲ । ଗତ ସୋମବାର ସାନ ଭାଇର ମାରିବା ଦୁଇବର୍ଷ ହୋଇଯାଇଥିଲା । ଭୁଜ ଟେକ ହେବା ପାଇଁ ପରିବାର ବନ୍ଧୁ ବାନ୍ଧବ ଘରେ ଉପସ୍ଥିତ ଥିଲେ। ହଠାତ ବାବାଜୀଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା। ତାଙ୍କୁ ସଙ୍ଗେ ସାଙ୍ଗେ କଟକ ବଡ଼ ମେଡ଼ିକାଲ ନିଆଯାଇଥିଲା । କିନ୍ତୁ ଡାକ୍ତର ମୃତ ଘୋଷଣା କରିଥିଲେ। ଘରକୁ ବାବାଜୀଙ୍କ ମୃତଦେହ ଆସିଥିଲା। ଆରମ୍ଭ ହେଲା ସଂସ୍କର କାର୍ଯ୍ୟ । ବାବାଜୀ କହିଥିବା ଅନୁସାରେ ତାଙ୍କ ସାନଭାଇର ବଡ଼ ଝିଅ ଶୁଭଶ୍ରୀ ମୁଖାଗ୍ନି ଦେଇଥିଲେ । ଜଣେ ପୁଅ ଭଳି ଶୁଭଶ୍ରୀ ବାହାରି ପଡିଲେ । ବେକରେ ଗାମୁଛା ପକାଇ ଖଇ କଉଡ଼ି ଧରି ଗାଁ ରାସ୍ତାରେ ପକାଇ ସ୍ମଶାନକୁ ଚାଲିଲେ । ମୁଖାଗ୍ନି ଦେଇ ଘରକୁ ଫେରିଲେ। ଯାହା ଗୋଟିଏ ପୁଅ କରିଥାନ୍ତା ତାହା ୧୬ବର୍ଷିୟା ଝିଅ ଶୁଭଶ୍ରୀ କରି ଦେଖାଇଛନ୍ତି । ଗାଁ ରାସ୍ତାରେ ଶୁଭଶ୍ରୀ ଖଇ କଉଡ଼ି ପକେଇ ଗଲାବେଳେ ଗାଁ ଲୋକ ନିଜର କୋହ ସମ୍ଭାଳି ପାରିନଥିଲେ । ଚିରାଚରିତ ପରମ୍ପରାକୁ ଭଙ୍ଗ କରି ଝିଅଟି ଯେପରି ତାର ବଡ଼ବାପାଙ୍କୁ ମୁଖାଗ୍ନି ଦେଇ ନୂତନ ଉଦାହରଣ ସୃଷ୍ଟି କରିଥିବାରୁ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ବଡ଼ ବାପା ଦେଇଥିବା କଥା ଶୁଭଶ୍ରୀ ରଖିଛନ୍ତି ।