ଭୁବନେଶ୍ୱର ୨୨/୦୯:  ନିକଟରେ ରିଲିଜ୍‌ ହୋଇଥିବା ତେଲୁଗୁ ଫିଲ୍ମ  ‘ବିଉଟି’ରେ ନଜର ଆସିଛନ୍ତି ଓଡ଼ିଆ ଝିଅ ନିଳାକ୍ଷୀ  ପାତ୍ର । ରାୟଗଡ଼ାରେ ଜନ୍ମିତ ନିଳାକ୍ଷୀ ଫିଲ୍ମରେ ନିଜର ଦମ୍‌ଦାର ଅଭିନୟ ଲାଗି ଏବେ ଅନେକ  ଦର୍ଶକୀୟ ପ୍ରଶଂସା ସାଉଁଣ୍ଟୁଛନ୍ତି ।

ଜେଏସ୍‌ଏସ୍‌  ବର୍ଦ୍ଧନଙ୍କ ନିର୍ଦ୍ଦେଶିତ ଏହି ରୋମାଣ୍ଟିକ ଡ୍ରାମାଟି ସେପ୍ଟେମ୍ବର ୧୯ରେ ରିଲିଜ୍‌ ହୋଇଥିଲା ।  ସେଥିରେ ନିଳାକ୍ଷୀଙ୍କ ସହ ଯୋଡ଼ି ବାନ୍ଧିଛନ୍ତି  ଅଙ୍କିତ କୋୟା । ଭିକେ ନରେଶ, ବାସୁକୀ ଆନନ୍ଦ  ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ରହିଛନ୍ତି । ଫିଲ୍ମର  କାହାଣୀ କଲେଜ ଛାତ୍ରୀ ଅଲେଖ୍ୟା(ନିଳାକ୍ଷୀ) ଓ  ପୋଷାକୁକୁରଙ୍କ ପ୍ରଶିକ୍ଷକ ଅର୍ଜ୍ଜୁନ(ଅଙ୍କିତ)ଙ୍କ  ପ୍ରେମ ଉପରେ ଆଧାରିତ । ଅଲେଖ୍ୟା ଘରୁ ନିଖୋଜ ହୋଇଯିବା ପରେ ପରିବାର ଲୋକେ  ଅତି ଆକଳୁତାର ସହ ତାଙ୍କ ସନ୍ଧାନରେ  ଲାଗିଯାନ୍ତି । ପିତା ନାରାୟଣ(ନରେଶ)ଙ୍କର  ଦୁନିଆ ଯେପରି ଓଲଟପାଲଟ ହୋଇଯାଏ । ଏହା  ଏକ ପ୍ରେମକାହାଣୀ ହୋଇଥିଲେ ମଧ୍ୟ ଏଥିରେ  ପିତାପୁତ୍ରୀଙ୍କ ସଂପର୍କକୁ ଖୁବ୍‌ ଅଧିକ ଗୁରୁତ୍ୱ ଦିଆଯାଇଛି ଯାହାକି  ଦର୍ଶକଙ୍କୁ ବାନ୍ଧି ରଖିବାରେ  ସଫଳ ହୋଇଛି ବୋଲି  ସମୀକ୍ଷକଙ୍କ ମତ ।

ସୂଚନା ଥାଉକି,  ପୂର୍ବରୁ ନିଳାକ୍ଷୀ  କିଛି ପ୍ରସିଦ୍ଧ ଓଡ଼ିଆ  ମ୍ୟୁଜିକ ଭିଡିଓ,  ଧାରାବାହିକରେ  କାମ କରିସାରିଛନ୍ତି ।  ଏକ ଓଡ଼ିଆ  ଫିଲ୍ମରେ ମଧ୍ୟ  ତାଙ୍କୁ ଦେଖିବାକୁ  ମିଳିଥିଲା ।