ନୂଆଦିଲ୍ଲୀ: ଆଫଗାନିସ୍ତାନର ତାଲିବାନି ବିଦେଶୀ ମନ୍ତ୍ରୀ ଆମିର ଖାନ୍ ମୁତ୍ତାକୀ ଆଗାମୀ ସପ୍ତାହରେ ଭାରତ ଆସିବାକୁ ଯୋଜନା କରିଛନ୍ତି। ୨୦୨୧ ମସିହାରେ ତାଲିବାନ କାବୁଲରେ ଶାସନ ଭାପ ସମ୍ଭାଳିବା ପରଠୁ ଏହା ହେବ ଦୁଇ ଦେଶ ମଧ୍ୟରେ ପ୍ରଥମ ଉଚ୍ଚସ୍ତରୀୟ ବୈଠକ। ଯଦି ଏହି ଗସ୍ତ ସଫଳ ହୁଏ, ତେବେ ଏହା ଦୁଇଦେଶ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ବୈଠକ ହେବ।

ସୂଚନା ମୁତାବକ, ଭାରତ ଏଯାଏ ତାଲିବାନ ସରକାର ସହିତ ସୀମିତ ଯୋଗାଯୋଗ ରଖିଛି, ଯାହା ପ୍ରଧାନତଃ ମାନବୀୟ ସହାୟତା ଏବଂ ଲୋକଙ୍କ ମଧ୍ୟରେ ସମ୍ପର୍କ ଉପରେ କେନ୍ଦ୍ରୀଭୂତ ରହିଛି। ସେହିପରି ଭାରତ ଆଫଗାନିସ୍ତାନରେ ଆତଙ୍କବାଦ ଏବଂ ମହିଳା ଓ ଅଳ୍ପସଂଖ୍ୟକଙ୍କ ଅଧିକାର ସମ୍ପର୍କରେ ନିଜର ଚିନ୍ତାକୁ ଜାହିର କରିଛି। ବର୍ତ୍ତମାନ ସମୟରେ ଏହି ଗସ୍ତ ବିଶେଷ ଗୁରୁତ୍ୱପୂର୍ଣ୍ଣ ରହିଛି, କାରଣ ମୁତ୍ତାକୀ ଜାତିସଂଘର ସୁରକ୍ଷା ପରିଷଦର ନିଷେଧାଜ୍ଞା ଅଧୀନରେ ଅଛନ୍ତି। ଯେଉଁଥିପାଇଁ ତାଙ୍କ ବିଦେଶ ଯାତ୍ରା ନିଷିଦ୍ଧ ରହିଛି। ବିଦେଶ ଯାତ୍ରା ପାଇଁ ସେମାନଙ୍କୁ ବିଶେଷ ଛାଡ଼ର ଆବଶ୍ୟକତା ରହିଛି।

ପୂର୍ବରୁ ଏଭଳି ନିଷେଧାଜ୍ଞା ଯୋଗୁଁ ତାଙ୍କ ରାଜନୈତିକ ଯାତ୍ରା ବାରମ୍ବାର ବାଧାଗ୍ରସ୍ତ ହୋଇଛି। ଉଦାହରଣ ସ୍ୱରୁପ, ଗତ ମାସରେ ସେ ସ୍ଥିର କରିଥିବା ପାକିସ୍ତାନ ଗସ୍ତ ଏହି କାରଣ ପାଇଁ ରଦ୍ଧ ହୋଇଥିଲା। କାରଣ ଆମେରିକା ଜାତିସଂଘର ନିଷେଧାଜ୍ଞା କମିଟିରେ ଛାଡ଼ ଆଦେଶକୁ ରୋକିଥିଲା ବୋଲି ପାକିସ୍ତାନୀ ମିଡ଼ିଆ ରିପୋର୍ଟ୍ ପ୍ରକାଶ କରିଛି।

୨୦୨୧ ଅଗଷ୍ଟ ମାସରେ ତାଲିବାନ ବାହିନି ଆଫଗାନିସ୍ତାନର ସତ୍ତା ଆରୋହଣ କରିବା ପରେ ରାଜନୈତିକ ପରିସ୍ଥିତିରେ ପୂର୍ଣ୍ଣ ପରିବର୍ତ୍ତନ ଆସିଥିଲା। ଆମେରିକା-ନେତୃତ୍ୱାଧୀନ ବାହିନୀର ସ୍ୱଦେଶ ପ୍ରତ୍ୟାବର୍ତ୍ତନ ପରେ, ତାଲିବାନମାନେ ଅଗଷ୍ଟ ୧୫ ତାରିଖରେ କାବୁଲ୍ ଦଖଲ କରିଥିଲେ। ଯାହା ସେତେବେଳେର ରାଷ୍ଟ୍ରପତି ଆଶ୍ରଫ୍ ଘନୀଙ୍କୁ ଦେଶ ଛାଡ଼ିବାକୁ ବାଧ୍ୟ କରିଥିଲା। ସେତେବେଳେରୁ ତାଲିବାନ ସରକାର ବିଶ୍ୱବ୍ୟାପୀ ଅଧିକାରୀକୃତ ସ୍ୱୀକୃତି ପାଇପାରି ନାହିଁ। ତେବେ ଅନେକ ଦେଶ ସୁରକ୍ଷା ଏବଂ ମାନବୀୟ ସହାୟତା ପାଇଁ ତାଲିବାନ ସରକାର ସହ ଯୋଗାଯୋଗରେ ରହିଛନ୍ତି।

ଗତ ଜୁଲାଇ ମାସରେ ରୁଷ ପ୍ରଥମ ଦେଶ ଭାବେ ତାଲିବାନ ସରକାରକୁ ଅଧିକାରୀକ ଭାବେ ସ୍ୱୀକୃତି ଦେଇଥିଲା। ପୂର୍ବ ସରକାର ସମୟରେ ଭାରତ ଆଫଗାନିସ୍ତାନର ପୁନର୍ନିର୍ମାଣରେ ବିପୁଳ ନିବେଶ କରିଥିଲା। ଯାହାମଧ୍ୟରେ ସଂଯୋଗ, ବିଦ୍ୟାଳୟ ଏବଂ ହସ୍ପିଟାଲ୍ ନିର୍ମାଣ ଆଦି  ରହିଥିଲା। କିନ୍ତୁ ତାଲିବାନ ସରକାର ଗଢିବା ପରେ ନୂଆଦିଲ୍ଲୀ ନିଜର ରାଜଦୂତ ଏବଂ ନାଗରିକମାନଙ୍କୁ ଭାରତକୁ ସ୍ଥାନନ୍ତରିତ କରି ଆଣିଥିଲା। ୨୦୨୨ ମସିହାରେ ଭାରତ ପୁଣି ଆଫଗାନିସ୍ତାନକୁ ମାନବୀୟ ସହାୟତା ପଠାଇବା ସହ ନିଜ ରାଜଦୂତ ନିୟୋଜିତ କରିଥିଲା।

ଯଦି ମୁତ୍ତାକୀଙ୍କ ଏହି ଗସ୍ତ ଅନୁମୋଦିତ ହୁଏ, ତେବେ ଏହା ଭାରତ ଓ ତାଲିବାନ ସରକାର ମଧ୍ୟରେ ଏକ ନୂଆ ରାଜନୈତିକ ସମ୍ପର୍କ ସ୍ଥିର ହେବ ବୋଲି ବିଶେଷଜ୍ଞମାନେ ମତ୍ତ ପ୍ରକାଶ କରୁଛନ୍ତି।