ନୂଆଦିଲ୍ଲୀ, ୨୪/୧୦ : ଆରମ୍ଭ ହେଲା ଜଳ ଯୁଦ୍ଧ। ପଡୋଶୀଙ୍କ ସହ ପଙ୍ଗା ନେଇ ଏବେ ଅକଳରେ ଆତଙ୍କୀସ୍ତାନ। ଶୋଷରେ ମରିବ ପାକିସ୍ତାନ। ଭାରତ ସହ ଲାଗିଲା, ସିନ୍ଧୁ ନଦୀ ପାଣି ବନ୍ଦ ହୋଇଗଲା। ଏବେ ଆଫଗାନିସ୍ତାନ ଛାଡ଼ିବନି ପାଣି। କୁନାର ନଦୀ ଉପରେ ତିଆରି କରିବ ବନ୍ଧ। ତାଲିବାନ ମନ୍ତ୍ରୀ ମୁଜାହିଦ ଫାରାହିଙ୍କ ବଡ଼ ଘୋଷଣା। କୁନାର ନଦୀରେ ଖୁବଶୀଘ୍ର ଡ୍ୟାମ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ତାଲିବାନ ସର୍ବୋଚ୍ଚ ନେତା ଶେଖ ହିବାତୁଲ୍ଲା ଆଖୁନ୍ଦଜାଦା ଜଳ ଏବଂ ବିଦ୍ୟୁତ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି।
ପାକିସ୍ତାନ ପାଇଁ ଏକ ବଡ଼ ଜଳ ଉତ୍ସ ହେଉଛି କୁନାର ନଦୀ। ଏହା ପାକିସ୍ତାନର ଚିତ୍ରାଲ ଅଞ୍ଚଳରୁ ବାହାରି ଆଫଗାନିସ୍ତାନ ଦେଇ ପ୍ରାୟ ୩୦୦ ମାଇଲ୍ ଯାଏଁ ପ୍ରବାହିତ ହେଉଛି। ଏହାପରେ ପୁଣିଥରେ ପାକିସ୍ତାନ ଫେରି କାବୁଲ ନଦୀରେ ଯାଇ ମିଶିଛି। ପାକିସ୍ତାନ ଏହି ନଦୀର ପାଣିକୁ ପଖତୁନଖ୍ଵା ଅଞ୍ଚଳରେ ଚାଷବାସ ଓ ବିଜୁଳି ଉତ୍ପାଦନରେ ବ୍ୟବହାର କରୁଛି। ଏବେ ଏହି ନଦୀ ଉପରେ ଆଫଗାନିସ୍ତାନ ଚୀନ ସହ ମିଶି ୩ଟି ବଡ଼ ବନ୍ଧ ତିଆରି କରିବ। ଏହାଦ୍ଵାରା ୨ ହଜାର ମେଗାୱାଟ୍ ବିଜୁଳି ଉତ୍ପାଦନ ହେବ। ପାକିସ୍ତାନର ପାରମ୍ପରିକ ସହଯୋଗୀ ହେଉଛି ଚୀନ। ଏବେ ଚୀନ ଆଫଗାନିସ୍ତାନ ସହ ମିଶି ବନ୍ଧ ତିଆରି କରିବା ଘୋଷଣା ହେବା ପରେ ପାକିସ୍ତାନକୁ ଝଟ୍କା ଲାଗିଛି। ପାକିସ୍ତାନ ସରକାର ଏହାକୁ ଆଫଗାନର ଶତ୍ରୁତାପୂର୍ଣ୍ଣ ପଦକ୍ଷେପ କହିଛନ୍ତି।
ସବୁଠୁ ବଡ଼ କଥା ହେଲା ଆଫଗାନିସ୍ତାନଓ ପାକିସ୍ତାନ ମଧ୍ୟରେ କୌଣସି ଜଳ ଚୁକ୍ତି ନାହିଁ। ତେଣୁ କୁନାର ନଦୀ ଉପରେ ଆଫଗାନିସ୍ତାନ ବନ୍ଧ ତିଆରି କରିବାକୁ ଘୋଷଣା କରିଛି। ଆଫଗାନବାସୀଙ୍କୁ ସେମାନଙ୍କର ଜଳସମ୍ପଦ ପରିଚାଳନା କରିବାର ଅଧିକାର ଅଛି ବୋଲି ଜଳ ଏବଂ ଶକ୍ତି ମନ୍ତ୍ରୀ ମୁଲ୍ଲା ଅବଦୁଲ ଲତିଫ ମନସୁର ଜୋର ଦେଇ କହିଛନ୍ତି। ଏପଟେ କୁନାର ନଦୀରେ ବନ୍ଧ ତିଆରି ହେଲେ ପାକିସ୍ତାନରେ ଚାଷ ଜମିରେ ଜଳସେଚନ ଓ ବିଜୁଳି ଉତ୍ପାଦନ ପ୍ରଭାବିତ ହେବ। ପାକିସ୍ତାନର ଜଳାଶୟ ଗୁଡ଼ିକ ଶୁଖିଯିବ, ଅକାଳ ମରୁଡ଼ି ପଡ଼ିବ।