ନୂଆଦିଲ୍ଲୀ, ୧୧/୯ : ଏୟାର ଇଣ୍ଡିଆର ବୋଇଙ୍ଗ ୭୮୭-୯ ଡ୍ରିମଲାଇନର ବିମାନରେ ଯାତ୍ରୀ ହନ୍ତସନ୍ତ। ଚାଲିଲାନି ଏସି କି ଜଳିଲାନି ଲାଇଟ୍... ଦୀର୍ଘ ୨ ଘଣ୍ଟା ଯାଏଁ ବିମାନ ଭିତରେ ଫସି ରହିଲେ ୨୦୦ରୁ ଅଧିକ ଯାତ୍ରୀ। ବୁଧବାର ରାତିରେ ଦିଲ୍ଲୀରୁ ସିଙ୍ଗାପୁର ଯାଉଥିବା ଏୟାର ଇଣ୍ଡିଆର ଉଡାଣ AI2380ରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଯାତ୍ରୀମାନଙ୍କୁ ଦୁଇ ଘଣ୍ଟା ଯାଏଁ ବିମାନ ଭିତରେ ଅପେକ୍ଷା କରାଇବା ପରେ ଶେଷରେ ଓହ୍ଲାଇ ଦିଆଯାଇଥିଲା। 

ସୂଚନାନୁଯାୟୀ, ବୁଧବାର ରାତି ୧୧ଟାରେ ଏୟାର ଇଣ୍ଡିଆ ବିମାନ ଦିଲ୍ଲୀରୁ ସିଙ୍ଗାପୁର ଅଭିମୁଖେ ଉଡାଣ ଭରିବାର ଥିଲା। ହେଲେ ବିମାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଯାତ୍ରୀମାନଙ୍କୁ ବିମାନ ଭିତରେ ପ୍ରାୟ ୨ ଘଣ୍ଟା ଯାଏଁ ଅପେକ୍ଷା କରିବାକୁ ପଡ଼ିଥିଲା। ବିମାନ ବିତରେ ଏସି କି ଲାଇଟ୍ ନଜଳିବା ଯୋଗୁଁ ଯାତ୍ରୀମାନେ ଗରମରେ ବେହାଲ୍‌ ହୋଇଯାଇଥିଲେ। ୨ ଘଣ୍ଟା ପରେ ଯାତ୍ରୀଙ୍କୁ ବିମାନର ଓହ୍ଲାଇ ଟର୍ମିନାଲ୍‌କୁ ପଠାଇ ଦିଆଯାଇଥିଲା। ଆଶ୍ଚର୍ଯ୍ୟର ବିଷୟ କ୍ରୁ ମେମ୍ଵରମାନେ ଯାତ୍ରୀମାନଙ୍କୁ ଏହି ଅସୁବିଧାର କାରଣ ସମ୍ପର୍କରେ ଜଣାଇନଥିଲେ। ଏୟାର ଇଣ୍ଡିଆ ପକ୍ଷରୁ ମଧ୍ୟ କୌଣସି ଔପଚାରିକ ସୂଚନା ଦିଆଯାଇ ନାହିଁ। ଏତେ ବଡ଼ ଅସୁବିଧା ନେଇ କମ୍ପାନୀ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆନଯିବାରୁ ଯାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସୋସିଆଲ ମିଡିଆରେ ଯାତ୍ରୀମାନେ କମ୍ପାନୀର ଅବ୍ୟବସ୍ଥା ନେଇ ଅସନ୍ତୋଷ ଝାଡ଼ିଛନ୍ତି।