ନୂଆଦିଲ୍ଲୀ ୨୧/୧୦: ଜାତୀୟ ରାଜଧାନୀ ଦିଲ୍ଲୀରେ ୨୦୨୮ ମଧ୍ୟରେ ଆରମ୍ଭ ହୋଇପାରେ ଏୟାର ଟ୍ୟାକ୍ସି ସେବା । ଏହି ଏୟାର ଟ୍ୟାକ୍ସି ଯେ କୌଣସି ସ୍ଥାନରୁ ସିଧା ଉଡ଼ାଣ ଭରିପାରିବ ଏବଂ ଯେକୌଣସି ସ୍ଥାନରେ ଅବତରଣ କରିପାରିବ । ପଞ୍ଜାବର ମୋହାଲିସ୍ଥିତ ଷ୍ଟାର୍ଟଅପ୍ ନଲୱା ଏରୋ ପକ୍ଷରୁ ଏହି ସ୍ୱଦେଶୀ ଇଭିଟଲ୍(ଇଲେକ୍ଟ୍ରିକ୍ ଭର୍ଟିକାଲ୍ ଟେକ-ଅଫ୍ ଆଣ୍ଡ ଲ୍ୟାଣ୍ଡିଂ) ଏୟାର ଟ୍ୟାକ୍ସିକୁ ବିକଶିତ କରାଯାଇଛି । ଡିଜିସିଏ ଏହାକୁ ଡିଜାଇନ୍ ଅର୍ଗାନାଇଜେସନ୍ ଆପ୍ରୁଭାଲ ସାର୍ଟିଫିକେଟ୍ ମଧ୍ୟ ପ୍ରଦାନ କରିଛି ।
ନଲୱା ଏରୋର ସିଇଓ କୁଲଜିତ୍ ସିଂହ ସାନ୍ଧୁ କହିଛନ୍ତି, କୋଭିଡ୍-୧୯ ସମୟରେ ଏହି ଏୟାର ଟ୍ୟାକ୍ସିର ବିଚାର ମନକୁ ଆସିଥିଲା । ଜଣେ ବନ୍ଧୁ ତାଙ୍କୁ ଏକ ଜରୁରି ମେଡିକାଲ ସ୍ଥିତି ସଂପର୍କରେ କହିଥିଲେ । ସେହି ବ୍ୟକ୍ତିଙ୍କୁ ତୁରନ୍ତ ଉଦ୍ଧାରର ଆବଶ୍ୟକତା ଥିବାବେଳେ ଆଖପାଖରେ କୌଣସି ଏୟାର ଆମ୍ବୁଲାନ୍ସ କିମ୍ବା ହେଲିପ୍ୟାଡ୍ ଉପଲବ୍ଧ ନଥିଲା । ଏହାଦେଖି ତାଙ୍କ ମନରେ ଯେକୌଣସି ସ୍ଥାନରୁ ସିଧା ଉଡ଼ାଣ ଏବଂ ଯେକୌଣସି ସ୍ଥାନରେ ଅବତରଣ କରିପାରୁଥିବା ଭଳି ଏକ ମେସିନ୍ ବନାଇବାର ଚିନ୍ତାଧାରା ଆସିଲା । ଏହି ଏୟାରଟ୍ୟାକ୍ସିର ଡିଜାଇନ୍ ପର୍ଯ୍ୟାୟ ଶେଷ ହୋଇସାରିଛି । ମାସେ ମଧ୍ୟରେ ସବ୍-ସ୍କେଲ ପ୍ରୋଟୋଟାଇପ୍ ପ୍ରସ୍ତୁତ ହୋଇଯିବ । ପ୍ରାଥମିକ ଭାବେ ଦିଲ୍ଲୀ-ଏନ୍ସିଆର୍ରେ ପ୍ରୋଜେକ୍ଟକୁ ଶୁଭାରମ୍ଭ କରାଯିବ ।
ଦିଲ୍ଲୀର ଆଇଜିଆଇ ବିମାନବନ୍ଦରରୁ ଆନନ୍ଦବିହାର, ନୋଏଡା, ଗାଜିଆବାଦ, ପାନିପଥ ଭଳି ସ୍ଥାନକୁ ସଡ଼କ ପଥରେ ଗଲେ ପ୍ରାୟ ୩ ଘଣ୍ଟା ସମୟ ଲାଗିଥାଏ । ଇଭିଟଲ୍ ଏୟାର ଟ୍ୟାକ୍ସିରେ ସେହି ଯାତ୍ରା ୧୦-୧୨ ମିନିଟ୍ରେ ପୂରା ହେବ । ଆଇଜିଆଇ ବିମାନବନ୍ଦରରୁ ଆନନ୍ଦବିହାର ଯାଏ ପ୍ରାଥମିକ ଭଡ଼ା ବ୍ୟକ୍ତି ପିଛା ପ୍ରାୟ ୫୦୦ ଟଙ୍କା ରହିପାରେ । ଦିଲ୍ଲୀ ପରେ ମୁମ୍ବାଇ, କୋଲକାତା, ବେଙ୍ଗାଲୁରୁ ସମେତ ଅନ୍ୟ ମେଟ୍ରୋ ସହରରେ ଏହି ସେବା ଉପଲବ୍ଧ ହେବ ।
ସାନ୍ଧୁଙ୍କ ଅନୁସାରେ, ଇଭିଟଲ୍ରେ ୮ଟି ରୋଟର ବ୍ୟବସ୍ଥା ରହିଛି । ସେଥିମଧ୍ୟରୁ ଦୁଇଟି ରୋଟର ଫେଲ୍ ହୋଇଗଲେ ବି ବିମାନ ଦୁର୍ଘଟଣାଗ୍ରସ୍ତ ହେବନାହିଁ । ୩ଟି ରୋଟର ବନ୍ଦ ହୋଇଗଲେ ବି ସୁରକ୍ଷିତ ଭାବେ ଲ୍ୟାଣ୍ଡିଂ ସମ୍ଭବପର ହେବ । ଖାସ୍ ସେହି କାରଣରୁ ଏହା ପାରମ୍ପରିକ ହେଲିକପ୍ଟରଠାରୁ ମଧ୍ୟ ସୁରକ୍ଷିତ । କେବଳ ସେତିକି ନୁହେଁ, ହେଲିକପ୍ଟର ତୁଳନାରେ ଇଭିଟଲ୍ ଟ୍ୟାକ୍ସିର ପରିଚାଳନା ଖର୍ଚ୍ଚ ୯୦ ପ୍ରତିଶତ ଶସ୍ତା । ହେଲିକପ୍ଟରରେ ଏକ ଘଣ୍ଟାର ଉଡ଼ାଣ ପାଇଁ ପ୍ରାୟ ୫ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବାବେଳେ ଇଭିଟଲ୍ ଏହାର ୧୦ ପ୍ରତିଶତ ଅର୍ଥରେ ଉଡ଼ିପାରିବ । ଏହାକୁ ଫେଡେରାଲ୍ ଆଭିଏସନ୍ ଆଡ୍ମିନିଷ୍ଟ୍ରେସନ ଏବଂ ୟୁରୋପିଆନ୍ ୟୁନିଅନ୍ ଆଭିଏସନ୍ ସେଫ୍ଟି ଏଜେନ୍ସିର ନିୟମାବଳୀ ପାଳନ କରି ବିକଶିତ କରାଯାଉଛି । ଏବେ ଗୁଜରାଟ ଏବଂ ଆନ୍ଧ୍ରପ୍ରଦେଶରେ ୱାର୍ଲଡ ଇକୋନୋମିକ୍ ଫୋରମ୍ ସହଭାଗିତାରେ ଇଭିଟଲ୍ ଲାଗି ସ୍ୟାଣ୍ଡ ବକ୍ସ ଟ୍ରାଏଲ୍ ସାଇଟ୍ ପ୍ରସ୍ତୁତ କରାଯାଉଛି ।
କମ୍ପାନି ପ୍ରାଥମିକ ଭାବେ ଏହି ଏୟାର ଟ୍ୟାକ୍ସିର ୨ଟି ମଡେଲ୍ ଉପରେ କାମ କରୁଛି । ପ୍ରଥମଟି ଲିଥିୟମ୍ ଆୟନ ବ୍ୟାଟେରି ସଞ୍ଚାଳିତ । ଏହା ଥରେ ଚାର୍ଜ ହେଲେ ୯୦ ମିନିଟ୍ କିମ୍ବା ୩୦୦ କିମି ଯାଏ ଉଡ଼ାଣ ଭରିପାରିବ । ଦ୍ୱିତୀୟଟି ହାଇଡ୍ରୋଜେନ୍ ଫୁଏଲ୍ ସେଲ୍ ମଡେଲ । ତାହାର ରେଞ୍ଜ ୮୦୦ କିମି ଯାଏ ରହିବ । ଫାଷ୍ଟ ଚାର୍ଜର ଦ୍ୱାରା ତାହାର ବ୍ୟାଟେରୀ ୫୦ ମିନିଟ୍ରେ ଚାର୍ଜ ହୋଇଯିବ । ଏହାକୁ ଯାତ୍ରୀମାନେ ସାଧାରଣ ଟ୍ୟାକ୍ସି ଭଳି ବୁକିଂ କରିପାରିବେ ।