ନୂଆଦିଲ୍ଲୀ ୨୧/୦୯: ଆଜିକାଲି ବିମାନ ଯାତ୍ରାରେ ଲଗେଜ୍ ଶୁଳ୍କ ବଢ଼ାଇ ଦିଆଯାଇଛି । ବିମାନରୁ ଜିନିଷ ନେବା ପାଇଁ ଅନେକ ଦେଶରେ ବିମାନସେବା ସଂସ୍ଥା ଖୁବ୍ ଅଧିକ ଶୁଳ୍କ ନେଉଛନ୍ତି । ବ୍ୟାଗ୍ର ଓଜନ ଯେତେ ଅଧିକ ହେବ, ଶୁଳ୍କ ସେହି ଅନୁସାରେ ବଢ଼ିଚାଲିବ । ଏଥିରୁ ବଞ୍ଚିବା ପାଇଁ ଲୋକଙ୍କ ମଧ୍ୟରେ ଏକ ଟ୍ରେଣ୍ଡ୍ ଆରମ୍ଭ ହୋଇଛି । ତାହା ହେଉଛି ‘ଫ୍ଲାଇଙ୍ଗ୍ ନେକେଡ୍ ଟ୍ରେଣ୍ଡ୍’ ।
‘ଫ୍ଲାଇଙ୍ଗ୍ ନେକେଡ୍ ଟ୍ରେଣ୍ଡ୍’ର ଅର୍ଥ ନୁହେଁ ଯେ ଲୋକେ ବିନା ପୋଷାକରେ ବିମାନ ଯାତ୍ରା କରୁଛନ୍ତି । ଏହି ଟ୍ରେଣ୍ଡ୍ରେ ଲୋକେ ଠିକ୍ ତା’ର ଓଲଟା କାମ କରୁଛନ୍ତି । ବ୍ୟାଗ୍ ଉପରେ ଲାଗୁ ହେଉଥିବା ଅତିରିକ୍ତ ଶୁଳ୍କରୁ ରକ୍ଷା ପାଇବା ପାଇଁ ବିମାନ ଯାତ୍ରୀ ସାଙ୍ଗରେ କୌଣସି ବଡ଼ କିମ୍ବା ଅଧିକ ଓଜନର ଲଗେଜ୍ ନେଉନାହାନ୍ତି । ବରଂ ଏକାଧିକ ପୋଷାକ ପିନ୍ଧୁଛନ୍ତି ।
ଡେଲି ମେଲ୍ର ରିପୋର୍ଟ ଅନୁସାରେ, ଏହି ଟ୍ରେଣ୍ଡ୍ରେ ଅଧିକାଂଶ ଜେନ୍ଜି ଓ ୮୦-୯୦ ଦଶକର ଲୋକ ଅଛନ୍ତି । ଆଜିକାଲି ଅନେକ ଯାତ୍ରୀ କେବଳ ଫୋନ୍ ଓ ପର୍ସ ବ୍ୟତୀତ କୌଣସି ଜିନିଷ ନ ନେଇ ବିମାନ ଯାତ୍ରା କରୁଛନ୍ତି । ଏହି ସ୍ଥିତିରେ ସେମାନେ ପକେଟ୍ରେ ପୋଷାକ ଓ ଅନ୍ୟ ଆବଶ୍ୟକ ସାମଗ୍ରୀ ଭର୍ତ୍ତି କରି ନେଉଛନ୍ତି । ଏହା ପରେ ଡାକ ମାଧ୍ୟମରେ ଓଜନିଆ ବ୍ୟାଗ୍ ମଗାଇ ଦେଉଛନ୍ତି । ଡାକରେ ଜିନିଷ ମଗାଇବା ବିମାନରେ ଲଗେଜ୍ ନେବା ତୁଳନାରେ ଶସ୍ତା । ବିମାନ ସଂସ୍ଥାଗୁଡ଼ିକ ଜାଣିଶୁଣି ଭ୍ରମାତ୍ମକ ଲଗେଜ୍ ପଲିସି ଜରିଆରେ ଲାଭ ଉଠାଉଥିବା ଲୋକେ ଜାଣିବା ପରେ ‘ଫ୍ଲାଇଙ୍ଗ୍ ନେକେଡ୍ ଟ୍ରେଣ୍ଡ୍’ ବଢ଼ିବାରେ ଲାଗିଛି । ଫ୍ଲାଇଙ୍ଗ୍ ନେକେଡ୍ ଟ୍ରେଣ୍ଡ୍ରେ ଲୋକେ ଗୋଟିଏ ଉପରେ ଗୋଟିଏ ଅନେକ ପୋଷାକ ପିନ୍ଧୁଛନ୍ତି । ଏହାକୁ ଅନୁସରଣ କରୁଥିବା ହାରାହାରି ୩ରୁ ଜଣେ ବ୍ୟକ୍ତି ଏଭଳି କରୁଛନ୍ତି ।