ନୂଆଦିଲ୍ଲୀ: ବୁଲଡୋଜର କାର୍ଯ୍ୟାନୁଷ୍ଠାନକୁ ନେଇ ସୁପ୍ରିମକୋର୍ଟ ବଡ଼ ନିଷ୍ପତ୍ତି ଶୁଣାଇବା ପରେ ଏବେ ସମାଜବାଦୀ ପାର୍ଟି ପ୍ରମୁଖ ଅଖିଳେଶ ଯାଦବ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଟାର୍ଗେଟ କରିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ କହିଛନ୍ତି, ଯେଉଁମାନେ ଘର ଭାଙ୍ଗିବା ଜାଣିଛନ୍ତି ସେମାନଙ୍କ ପାଖରୁ କଣ ଆଉ ଆଶା କରାଯାଇପାରେ । ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ଏଭଳି ଲୋକମାନଙ୍କ ବୁଲଡୋଜ୍ ସବୁଦିନ ପାଇଁ ଗ୍ୟାରେଜରେ ହିଁ ରହିଯିବ । ଏବେ ଆଉ କୌଣସି ଗରିବ ଲୋକର ଘର ଭାଙ୍ଗିବ ନାହିଁ ବୋଲି ଅଖିଳେଶ ଯାଦବ କହିଛନ୍ତି ।
ନିର୍ବାଚନୀ ସଭାରେ ଏଭଳି କହିଛନ୍ତି ସପା ଅଧ୍ୟକ୍ଷ । ଉତ୍ତର ପ୍ରଦେଶର ୯ଟି ବିଧାନସଭା ଆସନରେ ଉପନିର୍ବାଚନ ହୋଇଛି । ଏହି ଉପନିର୍ବାଚନରେ ବିଜେପି ଏବଂ ସମାଜବାଦୀ ପାର୍ଟି ମଧ୍ୟରେ ଟକ୍କର ହୋଇଛି । ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ବାଚନୀ ପ୍ରଚାରର ଦାୟିତ୍ବ ସମ୍ଭାଳୁଥିବା ବେଳେ ଏସପି ପକ୍ଷରୁ ଅଖିଳେଶ ଯାଦବ ନିର୍ବାଚନୀ ସଭା ଏବଂ ରାଲିକୁ ସମ୍ବୋଧନ କରୁଛନ୍ତି ।
ବୁଲଡୋଜର ଆକ୍ସନ ବିରୋଧରେ ରାୟ ଦେଇଥିବାରୁ ସୁପ୍ରିମକୋର୍ଟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଅଖିଳେଶ ଯାଦବ । ଏହା ସହ ପ୍ରୟାଗରାଜରେ ଛାତ୍ରଙ୍କ ଦ୍ବାରା କରାଯାଉଥିବା ବିରୋଧ ପ୍ରଦର୍ଶନର ପ୍ରସଙ୍ଗ ଉଠାଇଛନ୍ତି । ଯେଉଁମାନେ ରୋଜଗାର ଦେଇପାରୁ ନାହାନ୍ତି ସେମାନେ ଛାତ୍ରମାନଙ୍କୁ ହଇରାଣ କରୁଛନ୍ତି । ଭୁଲ ପ୍ରଶ୍ନପତ୍ର ତିଆରି କରୁଥିବା ଲୋକ ଆଉ କେହି ନୁହଁନ୍ତି ବରଂ ସେମାନେ ବିଜେପି ନେତା । ପରୀକ୍ଷା ତାରିଖ ଧାର୍ଯ୍ୟ କରିବା ପାଖରୁ ବାତିଲ କରିବା ପର୍ଯ୍ୟନ୍ତ ସବୁ କିଛି ବିଜେପି ନେତା କରୁଛନ୍ତି ବୋଲି ଅଖିଳେଶ ଅଭିଯୋଗ କରିଛନ୍ତି ।
ସୂଚନାଯୋଗ୍ୟ, ଯୋଗୀ ଆଦିତ୍ୟନାଥଙ୍କ ‘କଟେଙ୍ଗେ ତୋ ବଟେଙ୍ଗେ’ ନାରାକୁ ନେଇ ଉତ୍ତର ପ୍ରଦେଶ, ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡରେ ରାଜନୈତିକ ଚର୍ଚ୍ଚା ଲାଗି ରହିଛି । ଯୋଗୀଙ୍କ ଏହି ନାରା ଅସାମ୍ବିଧାନିକ ଏବଂ ସବୁଠୁ ଖରାପ ନାରା ବୋଲି କହିଛନ୍ତି ଅଖିଳେଶ । କିଛି ଦିନ ପୂର୍ବରୁ ଅଖିଳେଶ ଯାଦବ ଭବିଷ୍ୟବାଣି କରିଥିଲେ ଯେ , ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପରେ ଯୋଗୀ ଆଦିତ୍ୟନାଥଙ୍କୁ ପଦରୁ ହଟାଇ ଦିଆଯିବ । ୨୦୨୪ ଲୋକସଭା ନିର୍ବାଚନ ସମୟରେ ଆପ୍ର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିଓ୍ବାଲ ମଧ୍ୟ ଏଭଳି କିଛି ଦାବି କରିଥିଲେ ।