ପୁରୀ, ୦୨/୦୯: ଅନ୍ଲାଇନ୍ରେ ହେବ ସମସ୍ତ ଅଫିସ୍ କାମ । କାଗଜଶୂନ୍ୟ ହେବ ପ୍ରଶାସନିକ ଫାଇଲ୍ ଚାଷ । ଏନେଇ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେଇଛି। ଚଳିତ ମାସ ୧୫ରୁ ୩୦ ତାରିଖ ଭିତରେ ଜିଲ୍ଲା ପ୍ରଶାସନର ସମସ୍ତ ବିଭାଗ ଓ କାର୍ଯ୍ୟାଳୟ ଏଥିନିମନ୍ତେ ବ୍ୟବସ୍ଥାକୁ ସଜାଡ଼ିବେ । ଏନେଇ ସୋମବାର ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସମସ୍ତ ବିଭାଗୀୟ ଅଧିକାରୀଙ୍କ ସହ ଆଭାସୀ ବୈଠକ କରିବା ସହ ଏନେଇ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।
ଗୋଟିଏ ବିଭାଗରୁ ଅନ୍ୟ ବିଭାଗ ଏବଂ ଗୋଟିଏ କାର୍ଯ୍ୟାଳୟରୁ ଅନ୍ୟ ଗୋଟିଏ କାର୍ଯ୍ୟାଳୟକୁ ଫାଇଲ୍ ପଠାଇବାରେ ଅଯଥା ସମୟ, କାଗଜ ଓ ଶ୍ରମ ଶକ୍ତି ଅପଚୟ ଏହାଦ୍ୱାରା ରୋକା ଯାଇପାରିବ । ପ୍ରଶାସନିକ କାର୍ଯ୍ୟକୁ ଶୀଘ୍ର କରିବା ନିମନ୍ତେ ଏହା ବେଶ ଉପଯୋଗୀ ହେବ ବୋଲି ସେ ସୂଚନା ଦେଇଛନ୍ତି ।