ଭୁବନେଶ୍ୱର ୧୬/୦୯: ମୌସୁମୀ ଅଧିବେଶନ ପୂର୍ବରୁ ସରିଲା ସର୍ବଦଳୀୟ ବୈଠକ । ସର୍ବଦଳୀୟ ବୈଠକକୁ ଅଧ୍ୟକ୍ଷତା କରିଥିଲେ ବାଚସ୍ପତି ସୁରମା ପାଢ଼ୀ। ଏହି ମିଟିଂରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ, ବିଧାୟକ ଜୟନାରାୟଣ ମିଶ୍ର, ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ, ବିରୋଧ ଦଳ ମୁଖ୍ୟ ସଚେତକ ପ୍ରମିଲା ମଲ୍ଲିକ, କଂଗ୍ରେସ ବିଧାୟକ ଦଳ ନେତା ରାମ ଚନ୍ଦ୍ର କାଡ଼ାମ୍ ଉପସ୍ଥିତ ରହିଥିଲେ। ସୁରୁଖୁରୁରେ ଗୃହ ଚଳାଇବାକୁ ବାଚସ୍ପତି ସମସ୍ତଙ୍କୁ ଅନୁରୋଧ କରିଥିଲେ।
ବୈଠକ ପରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପ୍ରତିକ୍ରିୟା ଦେଇ କହିଛନ୍ତି, ବାଚସ୍ପତି ସୁରମା ପାଢୀ ସବୁ ଦଳର ସହଯୋଗ ଲୋଢିଲେ । ସାମ୍ଭିଧାନିକ ଵିଧି ବ୍ୟବସ୍ଥା ଅନୁସାରେ ଆମେ ସହଯୋଗ କରିବୁ । ସରକାରଙ୍କ ବିରୋଧରେ ମାଳ ମାଳ ପ୍ରସଙ୍ଗ ରହିଛି । ଚାଷୀ ଓ ସାର ସମସ୍ୟା ସହ ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତା ସଂକୁଚିତ, ମହିଳା ବିରୋଧୀ ହିଂସା ବୃଦ୍ଧି ପ୍ରସଙ୍ଗ ଗୃହରେ ଉଠିବ । ପ୍ରଥମ ଦିନ ଦିବଂଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଅଣାଯିବ ବୋଲି ପ୍ରମିଳା ମଲ୍ଲିକ କହିଛନ୍ତି । ସେହିପରି କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡାମ କହିଛନ୍ତି, ଗୃହ ସ୍ୱାଭାବିକ ଚାଲିବା ନେଇ ବାଚସ୍ପତିଙ୍କ ସହ ଆଲୋଚନା ହୋଇଛି । ଅନେକ ପ୍ରସଙ୍ଗ ରହିଛି କଂଗ୍ରେସ ଆସନ୍ତାକାଲି ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ନେବ । ବାଚସ୍ପତି କହିଛନ୍ତି, ସର୍ବଦଳୀୟ ବୈଠକରେ ସବୁ ଦଳର ସହଯୋଗ ଲୋଢାଯାଇଛି ।ଆଶା କରୁଛୁ ମୌସୁମୀ ଅଧିବେଶନ ସୁରୁଖୁରୁରେ ଚାଲିବ ।
ଆସନ୍ତା ୧୮ରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ। ୨୫ ତାରିଖ ଯାଏ ଚାଲିବ ଅଧିବେଶନ। ଏଥର ବିଧାନସଭାର ମୋଟ୍ ୭ଟି କାର୍ଯ୍ୟଦିବସ ରହିଛି। ଏହି ସ୍ୱଳ୍ପକାଳୀନ ଅଧିବେଶନକୁ ସରଗରମ କରିବାକୁ ବିରୋଧୀ ଦଳ ପ୍ରସଙ୍ଗର ଲମ୍ବା ତାଲିକା ଧରି ଅପେକ୍ଷା କରିଛନ୍ତି । ବିରୋଧୀ ଦଳର ପ୍ରତି ଅଭିଯୋଗ ଉପରେ ଶାସକ ଦଳ ମଧ୍ୟ ମୁହଁତୋଡ଼ ଜବାବ ଦେବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି।