ରାୟଗଡ, ୨୨/୧୦: କିଛି ଦିନ ଧରି ସୋସିଆଲ ମିଡ଼ିଆ ଜରିଆରେ ଏକ ନିର୍ଦ୍ଧିଷ୍ଟ ଧର୍ମକୁ ଟାର୍ଗେଟ କରାଯାଇ ଦେଶରେ ଅରାଜକତା ସୃଷ୍ଟି କରାଯାଉଥିବାବେଳେ ଏହାକୁ ନେଇ ବିଭିନ୍ନ ସ୍ଥାନରେ ସାମ୍ପ୍ରଦାୟିକ ଦଙ୍ଗା ହେଉଥିବା ନଜିର ରହିଛି l ଯାଦ୍ୱାରା ଭାଇଚାରାର ଦେଶ ଭାବେ ବିଶ୍ୱରେ ପରିଚିତ ଭାରତର ଆତ୍ମସମ୍ମାନ ମଳିନ ହେବାରେ ଲାଗିଛି l ତେବେ ଏଥିରୁ ଗଜପତି ଜିଲ୍ଲା ରାୟଗଡ ବ୍ଲକ୍ ଅଧୀନ ଡମ୍ବାଳ ପଞ୍ଚାୟତ ମଧ୍ୟ ବର୍ତ୍ତି ପାରିନାହିଁ l
ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ହେଲା ଡମ୍ବାଳ ଗାଁର ରାହାସ ବିହାରୀ କାର୍ଜିଙ୍କ ଜ୍ୱାଇଁ ରଘୁନାଥ ହିନ୍ଦୁ ଧର୍ମର ଦେବାଦେବୀଙ୍କୁ ନେଇ ଅଶ୍ଳୀଳ କଟାକ୍ଷ କରିଥିବା ଅଭିଯୋଗ ହୋଇଛି । ଖାଲି ଏତିକି ନୁହେଁ ହଜାର ହଜାର ସମର୍ଥକଙ୍କୁ ସେ ପରୋକ୍ଷରେ ଧର୍ମାନ୍ତରୀକରଣ ପାଇଁ ପ୍ରବର୍ତ୍ତାଉଛନ୍ତି । ଏହାର ଏକ ଭିଡିଓ କରି ସୋସିଆଲ୍ ମିଡିଆରେ ପୋଷ୍ଟ ମଧ୍ୟ କରିଛନ୍ତି । ଏହା ଦ୍ୱାରା ହିନ୍ଦୁ ଧର୍ମ, ସଂସ୍କୃତି ଏବଂ ସନାତନୀଙ୍କ ଆତ୍ମସମ୍ମାନକୁ ପ୍ରଭାବିତ କରୁଛି । ଏନେଇ ମଣ୍ଡଳସାହିର କେନ୍ଦ୍ର ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ରାୟଗଡ ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି । ସ୍ଥାନୀୟ ଅଞ୍ଚଳରେ ଯେପକି ଦଙ୍ଗା ପରିସ୍ଥିତି ସୃଷ୍ଟି ନହେଉ, ସେଥିପ୍ରତି ଧ୍ୟାନ ଦେବାକୁ ପୁଲିସକୁ ଅନୁରୋଧ କରିଛନ୍ତି ।