ନୂଆଦିଲ୍ଲୀ,୦୫/୦୯: ଭାରତର ଭେଟେରାନ ଲେଗ ସ୍ପିନର ଅମିତ ମିଶ୍ରା ଗତକାଲି (ଗୁରୁବାର) ସମସ୍ତ ଫର୍ମାଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ସେ ସୋସିଆଲ୍‌ ମିଡିଆ ‘ଏକ୍ସ’ ପୃଷ୍ଠାରେ ଏକ ଲମ୍ବା ପୋଷ୍ଟ ଲେଖି ଦୀର୍ଘ ୨୫ବର୍ଷର ପେସାଦାର କ୍ରିକେଟ୍‌ କ୍ୟାରିୟରରେ ପୂର୍ଣ୍ଣଛେଦ ପକାଇଛନ୍ତି । ମାତ୍ର ସେ କୋଚିଂ, ଭାଷ୍ୟକାର ଏବଂ ଯୁବ ଖେଳାଳିଙ୍କ ମାର୍ଗଦର୍ଶକ ଭାବେ କ୍ରିକେଟ୍‌ ସହ ଜଡ଼ିତ ରହିବେ ବୋଲି ସ୍ପଷ୍ଟ କରିଛନ୍ତି । ଅବସର ପରେ ଟିମ୍‌ ଇଣ୍ଡିଆରୁ ବାହାରେ ରହିବାକୁ ନେଇ ଅମିତ ମିଶ୍ରା ତାଙ୍କ ଦୁଃଖ କହିଛନ୍ତି । ସେ ଅନେକ ସମୟ ଉଦାସ ଥିବା କହିଛନ୍ତି । ଭାରତୀୟ ଦଳରେ ଚୟନକୁ ନେଇ ପକ୍ଷପାତିତା ହେଉଥିବା କହି ତାଙ୍କର ହତାଶାଜନକ ବୟାନ ଦେଇଛନ୍ତି ।

କ୍ୟାରିୟର ବିଷୟରେ ଗଣମାଧ୍ୟମ ସହ କଥାବାର୍ତ୍ତା ସମୟରେ ମିଶ୍ରା ଦଳରେ ଦୀର୍ଘ ସମୟ ଧରି ସୁଯୋଗ ପାଇବାକୁ ନେଇ ହତାଶାଜନକ ମନ୍ତବ୍ୟ ଦେଇଛନ୍ତି । ଟିମ୍‌ ଇଣ୍ଡିଆ ଚୟନ ପ୍ରକ୍ରିୟାରେ ପକ୍ଷପାତିତା ହେଉଥିବା ନେଇ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଯେ, ''କିଛି ଖେଳାଳି ଅଧିନାୟକଙ୍କ ପ୍ରିୟ ଥିଲେ, ତେଣୁ ତାଙ୍କୁ ସୁଯୋଗ ମିଳୁଥିଲା । କିନ୍ତୁ ମୁଁ ଯେବେ ବି ସୁଯୋଗ ପାଇଛି ସର୍ବଦା ନିଜକୁ ପ୍ରମାଣିତ କରିବା ଉପରେ ଗୁରୁତ୍ୱ ଦେଇଛି । କେବେ ତୁମେ ଦଳରେ ଥାଅ ତ ପୁଣି ନଥାଅ ଏହା ବହୁତ ନିରାଶାଜନକ ଥିଲା । ଯେବେ ତୁମେ ପ୍ଲେଇଂ ଇଲେଭେନରେ ସୁଯୋଗ ପାଅ ତ ପୁଣି ପାଅନାହିଁ । ଏହା ନିରାଶାଜନକ, ଏବଂ ମୁଁ ଅନେକ ଥର ନିରାଶ ହୋଇଛି । ଏଥିରେ କୌଣସି ସନ୍ଦେହ ନାହିଁ । କିଛି ଖେଳାଳି ଅଧିନାୟକଙ୍କ ପ୍ରିୟ ହୋଇଥାନ୍ତି କିନ୍ତୁ ଏହା ଗୁରୁତ୍ୱପୂର୍ଣ୍ଣ ନୁହେଁ । ଯେତେବେଳେ ବି  ସୁଯୋଗ ପାଇବ, ତୁମକୁ ନିଜକୁ ପ୍ରମାଣିତ କରିବାକୁ ପଡିବ ।''

୪୨ବର୍ଷୀୟ ମିଶ୍ରା ଅବସର ଘୋଷଣା କରି ଲେଖିଛନ୍ତି, କ୍ରିକେଟରେ ଦୀର୍ଘ ୨୫ବର୍ଷ ଧରି ସକ୍ରୀୟ ରହିଥିଲି । ସେଥିପାଇଁ ମୁଁ ବିସିସିଆଇ, ହରିୟାଣା କ୍ରିକେଟ ସଂଘ, ସପୋର୍ଟ ଷ୍ଟାଫ୍‌, ସାଥୀ ଖେଳାଳି ଏବଂ ପରିବାର ସଦସ୍ୟଙ୍କୁ ଧନ୍ୟବାଦ ଜଣାଉଛି । ମୋତେ ଭଲ ପାଇବା ଏବଂ ସମର୍ଥନ କରି ଆସିଥିବା ପ୍ରଶଂସକମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଉଛି । କ୍ରିକେଟ୍‌ ମୋତେ ଅଗଣିତ ସ୍ମୃତି ଏବଂ ଶିକ୍ଷା ଦେଇଛି ଯାହା ସବୁବେଳେ ମୋ’ସହ ରହିବ ।’ 

୨୦୦୩ରେ ମିଶ୍ରା ଅନ୍ତର୍ଜାତୀୟ ଦିନିକିଆରେ ପଦାର୍ପଣ କରିଥିଲେ । ଏହାର ୫ବର୍ଷ ପରେ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ପଦାର୍ପଣ କରି ୫ ୱିକେଟ୍‌ ସଫଳତା ହାସଲ କରିଥିଲେ । ସେ ୨୦୧୪ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ରନର୍ସ ଅପ୍‌ ଭାରତୀୟ ଦଳର ସଦସ୍ୟ ଥିଲେ । ୨୦୧୭ରେ ସେ ଶେଷ ଥର ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିଲେ ଏବଂ ଏହାପରଠୁ ଘରୋଇ କ୍ରିକେଟ୍‌ ଖେଳି ଆସୁଥିଲେ । ସେ ୨୨ଟି ଟେଷ୍ଟରେ ୭୬ଟି ୱିକେଟ୍‌, ୩୬ ଦିନିକିଆରେ ୬୪ଟି ୱିକେଟ୍‌ ଏବଂ ୧୦ ଟି-ଟ୍ୱେଣ୍ଟିରେ ୧୬ଟି ୱିକେଟ୍‌ ନେଇଥିଲେ । ପ୍ରଥମ ଶ୍ରେଣୀ କ୍ରିକେଟରେ ମିଶ୍ରା ୧୫୨ଟି ମ୍ୟାଚ୍‌ ଖେଳି ୫୩୫ଟି ଏବଂ ୧୫୨ ଲିଷ୍ଟ-ଏ’ ମ୍ୟାଚ୍‌ରେ ୨୫୨ଟି ୱିକେଟ୍‌ ହାସଲ କରିଥିବାବେଳେ ଟି-ଟ୍ୱେଣ୍ଟି ଫର୍ମାଟରେ ୨୫୯ଟି ମ୍ୟାଚ୍‌ ଖେଳି ୨୮୫ଟି ୱିକେଟ୍‌ ନେବାରେ ସଫଳ ହୋଇଥିଲେ । ସୂଚନାଯୋଗ୍ୟ, ଆଇପିଏଲ୍‌ରେ ମିଶ୍ରା ୧୬୨ଟି ମ୍ୟାଚ୍‌ ଖେଳି ମୋଟ ୧୭୪ଟି ୱିକେଟ୍‌ ନେଇଥିଲେ । ଏପରିକି ସେ ଏକମାତ୍ର ବୋଲର ଭାବେ ୩ଥର ହ୍ୟାଟ୍ରିକ୍‌ ୱିକେଟ୍‌ ଅକ୍ତିଆର କରିଥିଲେ ।