ରାୟଗଡ଼,୦୫/୧୦: ଗଜପତି ଜିଲ୍ଲା ବିଜେଡିକୁ ଏକ ବଡ଼ ଝଟକା ଲାଗିଛି । ୨୦୨୪ ସାଧାରଣ ନିର୍ବାଚନରେ ମୋହନା ବିଜେଡି ବିଧାୟକ ପ୍ରାର୍ଥୀ ହୋଇଥିବା ଅନ୍ତର୍ଯ୍ୟାମୀ ଗମାଙ୍ଗ ବିଜେଡିକୁ ବାଏ ବାଏ କହିଛନ୍ତି । ଦଳର ପ୍ରାଥମିକ ସଦସ୍ୟତାରୁ ସେ ଇସ୍ତଫା ଦେଇଛନ୍ତି । ୨୦୦୯ ମସିହାରେ ଅନ୍ତର୍ଯ୍ୟାମୀ ଗମାଙ୍ଗ ବିଜେପିର ମୋହନା ବିଧାୟକ ପ୍ରାର୍ଥୀ ଥିଲେ । ୨୦୧୪ରେ ବିଜେପି ଛାଡି ବିଜେଡିରେ ସାମିଲ ହୋଇଥିଲେ । ତାଙ୍କ ଯୋଗଦାନ ପରେ ମୋହନାରେ ବିଜେଡି ସଶକ୍ତ ହୋଇଥିଲା । ଏହାପରେ ଦଳ ତାଙ୍କ ପତ୍ନୀ ପୂର୍ଣ୍ଣବାସୀ ନାୟକଙ୍କୁ ବିଜେଡି ପ୍ରାର୍ଥୀ କରିଥିଲା । ୨୦୨୪ରେ ବିଜେଡି ପ୍ରାର୍ଥୀ ହୋଇଥିଲେ ଅନ୍ତର୍ଯ୍ୟାମୀ ।
ଇସ୍ତଫାକୁ ନେଇ ଅନ୍ତର୍ଯ୍ୟାମୀ ଗମାଙ୍ଗ କହିଛନ୍ତି,''ଦୀର୍ଘ ୧୦ ବର୍ଷରୁ ଅଧିକ ମୁଁ ରାଜନୈତିକ ବ୍ୟକ୍ତି ହିସାବରେ ବିଜୁ ଜନତା ଦଳରେ କାର୍ଯ୍ୟ କରୁଥିଲି । ବ୍ୟକ୍ତିଗତ କାରଣ ପାଇଁ ବିଜେଡିର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଜିଲ୍ଲା ସଭାପତି ପ୍ରଦୀପ ନାୟକଙ୍କ ଜରିଆରେ ମୋର ଇସ୍ତଫା ପତ୍ର ପ୍ରଦାନ କରିଛି । ହଠାତ୍ ବିଜେଡିରୁ ମୋହ ଭଙ୍ଗ କାହିଁକି ପ୍ରଶ୍ନରେ ଅନ୍ତର୍ଯ୍ୟାମୀ କହିଛନ୍ତି, ବ୍ୟକ୍ତିଗତ କାରଣ ପାଇଁ ୨୦୨୪ ନିର୍ବାଚନ ପରଠୁ ମୁଁ ଦଳର କୌଣସି କାର୍ଯ୍ୟକ୍ରମରେ ସାମିଲ ହୋଇନାହିଁ । ଦଳରେ ଦେଖାଦେଉଥିବା ଅନ୍ତକନ୍ଦଳ ଓ ବିଶୃଙ୍ଖଳା ପାଇଁ ଇସ୍ତଫା ଦେଇଛି ବୋଲି କହିଛନ୍ତି ।
ସେହିପରି ୨୦୦୭ ରୁ ୨୦୦୯ ପର୍ଯ୍ୟନ୍ତ ଜିଲ୍ଲା ବିଜେପି ସଭାପତି ଭାବେ ଦାୟିତ୍ୱ ତୁଲାଇ ରାଜ୍ୟ ନେତୃବୃନ୍ଦଙ୍କ ପ୍ରିୟଭାଜନ ହୋଇଥିଲେ । ଏଥିସହ ସେ ରାଜ୍ୟ ବିଜେପି ଆଦିବାସୀ ମୋର୍ଚ୍ଚା ସଭାପତି ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ । ଏହାରି ଭିତରେ ଦଳ ପକ୍ଷରୁ ତାଙ୍କୁ ମୋହନା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ କରାଯାଇଥିଲା । ତେବେ କମ୍ ଭୋଟ୍ ବ୍ୟବଧାନରେ ପରାଜିତ ହୋଇଥିଲେ ମଧ୍ୟ ଦଳର ସଂଗଠନ କାର୍ଯ୍ୟକୁ ଜାରି ରଖିଥିଲେ । ଏହାପରେ ଜିଲ୍ଲା ପରିଷଦ ସଭ୍ୟ ଭାବେ ୨୦୧୨ରୁ ୨୦୧୭ ପର୍ଯ୍ୟନ୍ତ କାର୍ଯ୍ୟ ତୁଲାଇଥିଲେ କିନ୍ତୁ ୨୦୧୪ ବିଧାନସଭା ନିର୍ବାଚନରେ ଦଳ ଗମାଙ୍ଗଙ୍କ ପରିବର୍ତ୍ତେ ପ୍ରଶାନ୍ତ କୁମାର ମଲ୍ଲିକଙ୍କୁ ପ୍ରାର୍ଥୀ କରିବାକୁ ନେଇ ଅସନ୍ତୋଷ ବ୍ୟକ୍ତକରି ଭାରତୀୟ ଜନତା ଛାଡ଼ି ବିଜୁ ଜନତା ଦଳରେ ସାମିଲ ହୋଇଥିଲେ । ୨୦୧୭ରୁ ୨୦୧୯ ଯାଏଁ ସ୍ବତନ୍ତ୍ର ଉନ୍ନୟନ ପରିଷଦର ଜିଲ୍ଲା ଅଧ୍ୟକ୍ଷ ଥିଲେ ।
୨୦୧୪ରେ ବିଜେଡି ବିଧାୟକ ପ୍ରାର୍ଥୀ ଭାବେ ଗମାଙ୍ଗ ପ୍ରତିଦ୍ବନ୍ଦିତା କରି ପରାଜିତ ହୋଇଥିଲେ l ଏଥି ପୂର୍ବରୁ ୨୦୨୨ପଞ୍ଚାୟତ ନିର୍ବାଚନରେ ମୋହନା ନିର୍ବାଚନ ମଣ୍ଡଳୀ ଅଧିନରେ ଥିବା ୪ଟି ବ୍ଲକ ଅଧ୍ୟକ୍ଷଙ୍କ ସମେତ ସମୁଦାୟ ୮ ଗୋଟି ଜିଲ୍ଲା ପରିଷଦ ସଭ୍ୟରୁ ୬ ଜଣ ପ୍ରାର୍ଥୀଙ୍କୁ ନିଜ ରଣକୌଶଳ ବଳରେ ଜିତାଇବାରେ ସଫଳ ହୋଇଥିଲେ ଗମାଙ୍ଗ l ଶେଷରେ ସେ ନିଜେ ଦଳର ବିଧାୟକ ପ୍ରାର୍ଥୀ ହୋଇ ନିର୍ବାଚନ ଲଢ଼ୁଥିବା ବେଳେ ତାଙ୍କୁ ସେଭଳି ସହଯୋଗ ମିଳିନଥିବାରୁ ଉଦବେଗ ପ୍ରକାଶ କରିଛନ୍ତି l