ଅନୁଗୁଳ,୧୯/୯ : ଦିନ ହେଉ କି ରାତି, ସକାଳ ହେଉ କି ସଞ୍ଜ । ଅଧିକାଂଶ ସମୟରେ ଜମୁଛି ମଦର ଆସର । ଦିନବେଳା ଲୁଚାଛପାରେ, ସଞ୍ଜ ନଇଁଲେ ଖୁଲ୍ମଖୁଲା । ମଦ ପିଆ ସରିଲେ, ବୋତଲକୁ ପଡ଼ିଆ ଭିତରକୁ ଫିଙ୍ଗି ଦେଉଛନ୍ତି ମଦ୍ୟପ । ଫଳରେ ପଡ଼ିଆ ସାରା ଯୁଆଡେ ଚାହିଁବ, ଭଳି କି ଭଳି ବ୍ରାଣ୍ଡ୍ର ମଦ ବୋତଲ ଗଡୁଛି । ଅନୁଗୁଳ ସହରର ଛାତି ଉପରେ ଥିବା ଅନୁଗୁଳ ହାଇସ୍କୁଲ ପଡ଼ିଆର ଅବସ୍ଥା ଏବେ ଏମିତି । ଟାଉନ୍ ଥାନାଠୁ ଅନତି ଦୂରରେ ବେଧଡ଼କ ନିଶା କାରବାର ଚାଲିଛି । ଅଥଚ ଜଗିବାକୁ କି କହିବାକୁ କେହି ନାହିଁ । ଫଳରେ ଛେଉଣ୍ଡ ହୋଇପଡିଛି ହାଇସ୍କୁଲ ପଡ଼ିଆ । ମଦ ବୋତଲ ଯୋଗୁଁ ଖେଳିବାରେ ସମସ୍ୟା ଭୋଗୁଛନ୍ତି ଖେଳାଳି । ଖୋ-ଖୋଠୁ ନେଇ ହକି, କ୍ରିକେଟ୍, ଫୁଟବଲ୍ ଆଦି ଖେଳାଯାଉଥିବା ବେଳେ ଖେଳାଳିଙ୍କୁ ଘାରୁଛି ଭଙ୍ଗା କାଚର ଭୟ । ପ୍ରଥମେ ବୋତଲ ଓ ଗ୍ଲାସ ସଫେଇ ସାରିବା ପରେ ଆରମ୍ଭ ହେଉଛି ଖେଳ । ପଡିଆରୁ ମଦ ବୋତଲ ଗୋଟାଇବା ଖେଳାଳିଙ୍କ ଦୈନନ୍ଦିନ କାର୍ଯ୍ୟରେ ପରିଣତ ହୋଇଛି । ଖେଳାଳି ଏଥିପ୍ରତି ଅତିଷ୍ଠ ହୋଇସାରିଥିବା ବେଳେ ସେମାନଙ୍କ ଗୁହାରି ଶୁଣିବାକୁ କେହି ନାହିଁ ।
ଅନୁଗୁଳ ହାଇସ୍କୁଲ ପଡ଼ିଆ ଏବେ ଓପନ୍ ବାର୍ ପାଲଟିଛି । ଅସାମାଜିକ ଯୁବକ ଏହାକୁ ନିଶା କାରବାରର ସୁରକ୍ଷିତ ସ୍ଥାନ ମଣିଛନ୍ତି । ଟାଉନ୍ ଥାନାର ନାକ ତଳେ ନିଶା କାରବାର ଚାଲିଥିଲେ ହେଁ ପୁଲିସ୍ର କାର୍ଯ୍ୟାନୁଷ୍ଠାନ ନାହିଁ । ଯାହାଦ୍ୱାରା ଅସାମାଜିକଙ୍କ ସାହସ ବଢ଼ୁଛି । ଦିନ ବେଳା ପାଚେରି କଡ଼କୁ ଦଳ ଦଳ ହୋଇ କିଏ କାର୍ ଡିକିରେ ମଦ ରଖି ତ ଆଉ କିଏ ବାଇକ୍ ଉପରେ ରଖି ପିଉଛନ୍ତି । ସଞ୍ଜ ନଇଁବା ପରେ ପଡିଆରେ ଦଳ ଦଳ ବସି ଆସର ଜମାଉଛନ୍ତି । ଗୋଟିଏ ପଟେ ଷ୍ଟାଡିୟମ୍ ନିର୍ମାଣ ଚାଲିଥିବା ବେଳେ ଅନୁଗୁଳ ହାଇସ୍କୁଲ ପଡିଆରେ ପ୍ରମୁଖ ଖେଳପଡିଆ ସାଜିଛି । କ୍ରୀଡା ବିଭାଗ ପକ୍ଷରୁ ଏଠାରେ ହକି ଓ ଖୋ-ଖୋ ପ୍ରଶିକ୍ଷଣ ଦିଆଯାଉଛି । ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ପିଲା କ୍ରୀଡାଭ୍ୟାସ କରୁଥିବା ବେଳେ ଭଙ୍ଗା କାଚ ସମସ୍ୟା ସୃଷ୍ଟି କରୁଛନ୍ତି । ପିଲା ଡରି ଡରି ଖେଳୁଛନ୍ତି । ଉଦ୍ବେଗର ବିଷୟ, ଏହି ପଡିଆ ସିନା ଅନୁଗୁଳ ହାଇସ୍କୁଲ ନାମରେ ରହିଛି, କିନ୍ତୁ ମେଳାଠୁ ନେଇ ମହୋତ୍ସବ ଯାଏଁ ଆୟୋଜନ କରୁଛି ଜିଲ୍ଲା ପ୍ରଶାସନ । ପଡିଆରେ ମଦ ବୋତଲ ପଡିବା ନେଇ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଖେଳାଳି ଅଭିଯୋଗ କରୁଛନ୍ତି ।
ଏ ସଂକ୍ରାନ୍ତରେ ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର ସିଠ କହିଛନ୍ତି, ଅନୁଗୁଳ ହାଇସ୍କୁଲ ପଡ଼ିଆକୁ କ୍ରୀଡ଼ା ବିଭାଗ ତରଫରୁ ତୃଣମୂଳ ହକି ସେଣ୍ଟର କରାଯାଇଛି । ସେହିପରି ଖେଲୋ ଇଣ୍ଡିଆ ଖୋ-ଖୋ ସେଣ୍ଟର୍ ଭାବେ ପିଲା କ୍ରୀଡ଼ାଭ୍ୟାସ କରୁଛନ୍ତି । ପଡିଆରେ ପ୍ରତିଦିନ ମଦ ବୋତଲ ପଡୁଛି । ଖେଳାଳିଙ୍କ ସହିତ ଆମେ ନିଜେ ସଫା କରୁଛୁ । ପୁଲିସ୍ ଭ୍ୟାନ୍ ଆସି ବୁଲି ଯାଉଥିଲେ ହେଁ ଲୋକ ମାନୁନାହାନ୍ତି । ରାତିରେ ମଦ ବୋତଲ ପଡୁଥିବା ବେଳେ ସକାଳେ ପଡିଆରେ କାର୍ ଶିଖୁଥିବାରୁ କାଚ ବୋତଲ ଭାଙ୍ଗିଯାଉଛି । ଖେଳିବାରେ ସମସ୍ୟା ହେଉଛି । ପିଲା ଖେଳିବାକୁ ଭୟ କରୁଥିବା ସେ ପ୍ରକାଶ କରିଛନ୍ତି । ଅପରପକ୍ଷରେ ପୁଲିସ୍ ନିୟମିତ ପାଟ୍ରୋଲିଂ କରି ଅସାମାଜିକଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଲେ ହିଁ ଏଥିରେ ରୋକ୍ ଲାଗିପାରିବ ବୋଲି ଖେଳାଳି ଓ କ୍ରୀଡାପ୍ରେମୀ ମହଲରେ ମତପ୍ରକାଶ ପାଇଛି ।