ଭୁବନେଶ୍ବର, ୩୧/୧୦ : ଶନିବାରଠାରୁ ସୁଭଦ୍ରା ଆବେଦନ । ୨୧ ବର୍ଷ ବୟସ ହୋଇଥିଲେ ଶନିବାରଠୁ ସୁଭଦ୍ରା ଯୋଜନାରେ ଆବେଦନ କରିପାରିବେ । ସୁଭଦ୍ରା ପୋର୍ଟାଲରେ ଅନଲାଇନ୍‌ରେ ଆବେଦନ କରିପାରିବେ ହିତାଧିକାରୀ । ଏ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି । ୨୧ ବର୍ଷ ହୋଇଥିଲେ ସୁଭଦ୍ରା ହିତାଧିକାରୀ ଭାବେ ଯୋଡ଼ି ହୋଇପାରିବେ । ଯେଉଁଠି ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି ସେ ଅଞ୍ଚଳକୁ ଛାଡ଼ି ଅନ୍ୟ ସମସ୍ତେ ପୋର୍ଟାଲ ବ୍ୟବହାର କରିପାରିବେ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ବାର୍ଷିକ ୧୮ହଜାର ଟଙ୍କା ବୃତ୍ତି ପାଉଥିଲେ ସୁଭଦ୍ରାପାଇଁ ଅଯୋଗ୍ୟ ହେବେ ଛାତ୍ରୀ । ଛାତ୍ରୀମାନେ ବାର୍ଷିକ ୧୮ ହଜାର ଟଙ୍କାରୁ ଅଧିକ ଛାତ୍ରବୃଦ୍ଧି ପାଉଛନ୍ତି କି ? କୌଣସି ମହିଳାଙ୍କୁ କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କଠାରୁ ୧୮ହଜାର ଟଙ୍କା କିମ୍ବା ଏହାଠାରୁ ଅଧିକ ଟଙ୍କାର ଆର୍ଥିକ ସହାୟତା ମିଳୁଛି କି ? ଯଦି ଆପଣ ଏପରି କିଛି ସରକାରୀ ସହାୟତା ପାଉଥିବେ ତେବେ ସୁଭଦ୍ରା ଯୋଜନାରୁ ବାଦ୍ ପଡ଼ିବେ । ଏ ନେଇ ଦୁଇ ବିଭାଗରୁ ରିପୋର୍ଟ ମାଗିଲା ମହିଳା ଓ ଶିଶୁ ବିକାଶ ବିଭାଗ। ଉଚ୍ଚଶିକ୍ଷା ବିଭାଗ ଏବଂ ଅନୁସୂଚିତ ଜାତି, ଜନଜାତି ଓ ସଂଖ୍ୟାଲଘୁ ବିଭାଗ ସଚିବଙ୍କୁ ପତ୍ର ଲେଖିଛି ବିଭାଗ ।

ସୁଭଦ୍ରାନିୟମାବଳୀ ଅନୁସାରେ ଏହି ଯୋଜନା ଅଧୀନରେ ଯୋଗ୍ୟ ହେବା ପାଇଁ ହିତାଧିକାରୀଙ୍କ ବୟସ ୨୧ବର୍ଷ କିମ୍ବା ତା’ଠାରୁ ଅଧିକ ଏବଂ ୬୦ବର୍ଷରୁ କମ୍ ହୋଇଥିବା ଆବଶ୍ୟକ। ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ କୌଣସି ଯୋଜନା ଅଧୀନରେ ଯଦି ବାର୍ଷିକ ୧୮ହଜାର ଟଙ୍କା କିମ୍ବା ତା’ଠାରୁ ଅଧିକ ଅର୍ଥ ସହାୟତା ଗ୍ରହଣ କରୁଥିବେ, ସେ କ୍ଷେତ୍ରରେ ସଂପୃକ୍ତ ମହିଳା ଅଯୋଗ୍ୟ ଘୋଷିତ ହେବେ। ଏ ନେଇ ବିଭାଗକୁ ଅନେକ ଅଭିଯୋଗ ମିଳିଛି । ଛାତ୍ରୀମାନଙ୍କୁ ଯେଉଁ ବୃତ୍ତି ରାଶି ପ୍ରଦାନ କରାଯାଉଛି ତାହା କେବଳ ଶିକ୍ଷା ସମ୍ବନ୍ଧୀୟ କାର‌୍ୟ୍ୟରେ ବ୍ୟୟ ହେଉଛି, ହେଲେ ଏହାକୁ ଅତିରିକ୍ତ ଅର୍ଥ ସହାୟତା ଭାବେ ହିସାବକୁ ନିଆଯାଇ ପାରୁନାହିଁ । ଏନେଇ ବିସ୍ତୃତ ଭାବେ ଯାଞ୍ଚ କରି ତଥ୍ୟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଭାଗ ପକ୍ଷରୁ ପ୍ରଦାନ କରାଯାଇଥିବା ନିର୍ଦ୍ଦିଷ୍ଟ ଫର୍ମାଟରେ ୨୦୨୩-୨୪ ଓ ୨୦୨୪-୨୫ ଆର୍ଥିକ ବର୍ଷରେ କେଉଁ ଛାତ୍ରୀମାନେ ୧୮ହଜାର ଟଙ୍କାରୁ ଅଧିକ ଛାତ୍ରବୃତ୍ତି ନେଇଛନ୍ତି ତା\'ର ସମସ୍ତ ତଥ୍ୟ ପ୍ରଦାନ କରିବା ଲାଗି ଚିଠି ଲେଖିଛି ବିଭାଗ ।