କାଠମାଣ୍ଡୁ: ନେପାଳରେ ସମ୍ପ୍ରତି ହିଂସାତ୍ମକ ବିକ୍ଷୋଭ ଓ ସରକାରଙ୍କ ପତନ ପରେ ଦେଶବ୍ୟାପୀ ଜେଲ ଭାଙ୍ଗି ପ୍ରାୟ ୧୩,୫୦୦ ବନ୍ଦୀ ଫେରାର ହେବା ଘଟଣାରେ ନେପାଳ ସେନା ଏପର୍ଯ୍ୟନ୍ତ ୧୯୨ ଜଣ ବନ୍ଦୀଙ୍କୁ ପୁନଃ ଗିରଫ କରିଛି। ଏହି ବିକ୍ଷୋଭ ଦେଶର ବିଗତ ଦଶନ୍ଧି ମଧ୍ୟରେ ସବୁଠାରୁ ହିଂସାତ୍ମକ ବିକ୍ଷୋଭ ମଧ୍ୟରୁ ଅନ୍ୟତମ ହୋଇଛି। ଯେଉଁଥିରେ ସରକାରୀ କାର୍ଯ୍ୟାଳୟ, ସଂସଦ ଭବନ, ଏକ ହିଲଟନ ହୋଟେଲ ଏବଂ ଅନ୍ୟାନ୍ୟ ବାଣିଜ୍ୟିକ ଭବନଗୁଡ଼ିକୁ ନିଆଁ ଲଗାଇ ଦିଆଯାଇଛି।
ନେପାଳ ସେନା ଏକ ବିବୃତିରେ କହିଛି ଯେ, ଦକ୍ଷିଣ-ପୂର୍ବ ସହର ରାଜବିରାଜରୁ ପଳାଇଥିବା ୧୯୨ ଜଣ ବନ୍ଦୀଙ୍କୁ ସେମାନେ ଗିରଫ କରିଛନ୍ତି। ଏହା ସହ ରାମେଚାପ ଜେଲରେ ହୋଇଥିବା ଏକ ମାମଲାରେ ସେନା ଗୁଳି ଚଳାଇଥିବାରୁ ଦୁଇଜଣ ବନ୍ଦୀଙ୍କର ମୃତ୍ୟୁ ହୋଇଛି ଏବଂ ୧୨ ଜଣ ଆହତ ହୋଇଛନ୍ତି। ଏହି ଘଟଣା ବୁଧବାର ସକାଳେ ରାମେଚାପ ଜିଲ୍ଲା ଜେଲରେ ଘଟିଥିଲା। ଯେଉଁଠାରେ ବନ୍ଦୀମାନେ ମୁଖ୍ୟ ଦ୍ୱାର ଭାଙ୍ଗି ପଳାଇବାକୁ ଚେଷ୍ଟା କରୁଥିଲେ।
ଏହି ବିକ୍ଷୋଭ ପ୍ରାରମ୍ଭିକ ଭାବେ ସରକାରଙ୍କ ଦ୍ୱାରା ୨୬ଟି ସୋସିଆଲ ମିଡିଆ ଓ ମେସେଜିଂ ଆପ୍କୁ ବ୍ୟାନ କରାଯିବା ବିରୁଦ୍ଧରେ ଆରମ୍ଭ ହୋଇଥିଲା। ଯାହା ପରେ ସରକାରୀ ଭ୍ରଷ୍ଟାଚାର ଓ ଯୁବକମାନଙ୍କ ପାଇଁ ସୁଯୋଗର ଅଭାବ ବିରୁଦ୍ଧରେ ଏକ ବୃହତ ଆନ୍ଦୋଳନରେ ପରିଣତ ହୋଇଥିଲା। ଏହି ଆନ୍ଦୋଳନ ଯୁବକମାନଙ୍କ ଦ୍ୱାରା ପରିଚାଳିତ ହେଉଥିବାରୁ ଏହାକୁ "ଜେନ ଜି ବିପ୍ଳବ" ବୋଲି କୁହାଯାଉଛି। ବିକ୍ଷୋଭ ଯୋଗୁଁ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲିଙ୍କୁ ପଦତ୍ୟାଗ କରିବାକୁ ବାଧ୍ୟ କରାଯାଇଥିଲା।
ନେପାଳ ସେନା ଏହା ମଧ୍ୟ କହିଛି ଯେ, ସେମାନେ ବିଦ୍ରୋହ ସମୟରେ ଲୁଟ ହୋଇଥିବା ପ୍ରାୟ ୧୦୦ ଅସ୍ତ୍ରଶସ୍ତ୍ର ଉଦ୍ଧାର କରିଛନ୍ତି। ଏହି ବିକ୍ଷୋଭ ସମୟରେ ବିକ୍ଷୋଭକାରୀମାନେ ସ୍ୱୟଂଚାଳିତ ରାଇଫଲ ସହିତ ଦେଖା ଦେଇଥିଲେ। ଭାରତର ସୀମାନ୍ତ ସୁରକ୍ଷା ବାହିନୀ (ସଶସ୍ତ୍ର ସୀମା ବଳ) ଅତି କମରେ ୬୦ ଜଣ ଫେରାର ବନ୍ଦୀଙ୍କୁ ଗିରଫ କରି ନେପାଳ ପୋଲିସକୁ ହସ୍ତାନ୍ତର କରିଛି, ଯେଉଁମାନେ ଭାରତ ସୀମାନ୍ତ ଅତିକ୍ରମ କରିବାକୁ ଚେଷ୍ଟା କରୁଥିଲେ।
ଏହି ଅଶାନ୍ତି ମଧ୍ୟରେ ଦେଶରେ ଅନ୍ତରୀଣ ସରକାର ଗଠନ ପାଇଁ ଜେନ ଜି ବିକ୍ଷୋଭକାରୀମାନେ ପୂର୍ବତନ ମୁଖ୍ୟ ବିଚାରପତି ସୁଶୀଲା କାର୍କୀ, କାଠମାଣ୍ଡୁ ମେୟର ବାଲେନ୍ଦ୍ର ଶାହ ଏବଂ ପୂର୍ବତନ ବିଦ୍ୟୁତ ବୋର୍ଡ ସିଇଓ କୁଲମାନ ଘିସିଙ୍ଗଙ୍କ ନାମ ପ୍ରସ୍ତାବ କରିଛନ୍ତି। ଏହା ସହିତ, କାଠମାଣ୍ଡୁର ତ୍ରିଭୁବନ ଆନ୍ତର୍ଜାତୀୟ ବିମାନବନ୍ଦର ବୁଧବାର ସନ୍ଧ୍ୟାରୁ ପୁନଃ ଚାଲୁ ହୋଇଛି। ଯାହା ବିକ୍ଷୋଭ ଯୋଗୁଁ ୨୪ ଘଣ୍ଟାରୁ ଅଧିକ ସମୟ ଧରି ବନ୍ଦ ରହିଥିଲା।
ଏହି ଘଟଣା ନେପାଳରେ ଗଭୀର ରାଜନୈତିକ ଓ ସାମାଜିକ ସଙ୍କଟକୁ ସାମ୍ନାକୁ ଆଣିଛି। ଯେଉଁଠାରେ ସୁରକ୍ଷା ବାହିନୀ ଶାନ୍ତି ପୁନଃସ୍ଥାପନ ପାଇଁ ସଂଘର୍ଷ କରୁଛନ୍ତି। ଏହି ପରିସ୍ଥିତି ଦେଶରେ ଆଗାମୀ ଦିନରେ ଆହୁରି ଅନିଶ୍ଚିତତା ସୃଷ୍ଟି କରିପାରେ ବୋଲି ବିସେଷଜ୍ଞମାନେ ମତ୍ତ ପ୍ରକାଶ କରିଛନ୍ତି।