ରାଜଗିର,୦୨/୦୯: ପୁରୁଷ ଏସିଆ  କପ୍‌ ହକିରେ ଭାରତ ପୁଲ୍ ପର୍ଯ୍ୟାୟର ସମସ୍ତ ମ୍ୟାଚ୍‌ରେ ବିଜୟୀ ହୋଇ ଅପରାଜେୟ ରହିଛି । ସୋମବାର ଅନ୍ତିମ ମ୍ୟାଚ୍‌ରେ ଦଳ ଦୁର୍ବଳ କାଜାଖସ୍ତାନ ବିପକ୍ଷରେ ଗୋଲ ବର୍ଷା କରି ୧୫-୦ ଗୋଲରେ ବିଜୟୀ ହୋଇଥିଲା ।  

ଏହି ମ୍ୟାଚ୍ ଏକତରଫା  ରହିଥିଲା । ପ୍ରତି କ୍ୱାର୍ଟରରେ ଭାରତ ଗୋଲ୍ ବର୍ଷା କରିଥିଲା । ଅଭିଷେକ ଏକାକୀ ୪ଟି ଗୋଲ୍‌ ଦେବାରେ ସଫଳ ହୋଇଥିଲେ ।  ସେ ୫, ୮, ୨୦ ଓ ୫୯ ମିନିଟରେ ଗୋଲ୍ ଦେଇଥିଲେ ।

ସେମିତି ସୁଖଜିତ ସିଂ ୧୫, ୩୨ ଓ ୩୮  ମିନିଟରେ, ଯୁଗରାଜ ସିଂ ୨୪, ୩୧ ଓ ୪୭  ମିନିଟରେ, ୨୬ ମିନିଟରେ ହର୍ମନପ୍ରୀତ ସିଂ, ୨୯  ମିନିଟରେ ଅମିତ ରୋହିଦାସ, ୩୨ ମିନିଟରେ ରାଜିନ୍ଦର ସିଂ, ୫୪ ମିନିଟରେ ସଞ୍ଜୟ ଏବଂ ୫୫ ମିନିଟରେ ଦିଲପ୍ରୀତ ସିଂ ଗୋଲ୍‌ ଦେଇଥିଲେ ।  ଶେଷ ପର୍ଯ୍ୟନ୍ତ କାଜାଖସ୍ତାନ ଗୋଲ ଖାତା ଖୋଲିପାରି ନଥିଲା ।  

ପୁଲ୍ ପର୍ଯ୍ୟାୟରେ ଭାରତ ଅପରାଜେୟ ରହିବା ସହ ମୋଟ୍‌ ୯ ପଏଣ୍ଟ ପାଇ ଟେବୁଲ ଶୀର୍ଷରେ ରହିଛି । ସେହିପରି ୪ ପଏଣ୍ଟ ସହ ଚୀନ୍ ଦ୍ୱିତୀୟ ସ୍ଥାନରେ ରହି ସୁପର-୪କୁ ଉନ୍ନୀତ ହୋଇଛି । ଠିକ୍‌ ସେମିତି ପୁଲ୍ ବି’ରେ ମାଲେସିଆ ଅପରାଜେୟ ସହ ପ୍ରଥମ ଏବଂ ଦକ୍ଷିଣ କୋରିଆ ୬ ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନରେ ରହି ସୁପର-୪ରେ ପ୍ରବେଶ କରିଛି ।

ଆସନ୍ତା ୩, ୪ ଓ ୬ ତାରିଖରେ ସୁପର-୪ ମ୍ୟାଚ୍‌ ଖେଳାଯିବ । ଏହି ପର୍ଯ୍ୟାୟର ଶ୍ରେଷ୍ଠ ୨ ଦଳ ଫାଇନାଲ ଖେଳିବେ । ଆସନ୍ତା ୭ ତାରିଖରେ  ଫାଇନାଲ ଖେଳାଯିବ । ଭାରତ ପୂର୍ବ ମ୍ୟାଚରେ  ୩-୨ ଗୋଲରେ ଜାପାନକୁ ଏବଂ ୪-୩ ଗୋଲରେ  ଚୀନକୁ ପରାସ୍ତ କରିଥିଲା ।