ହାଙ୍ଗଝୌ,୧୪/୦୯: ମହିଳା ଏସିଆ କପ୍‌  ହକିର ସୁପର-୪ରେ ଭାରତ ଶନିବାର ଜାପାନ ସହ ୧-୧  ଗୋଲରେ ଡ୍ର’ ରଖି ଫାଇନାଲରେ ପ୍ରବେଶ କରିଛି ।  ରବିବାର ଚୀନ ଓ ଭାରତ ଫାଇନାଲ ଖେଳିବେ ।

ଶନିବାର ଅନ୍ତିମ ସୁପର-୪ ମ୍ୟାଚ୍‌ରେ ଭାରତୀୟ ଦଳ  ବିଜୟ କିମ୍ବା ଡ୍ର’ ଆବଶ୍ୟକ କରୁଥିଲା ।  ଆରମ୍ଭରୁ ସପ୍ତମ ମିନିଟରେ ବିୟୁଟୀ  ଡୁଙ୍ଗଡୁଙ୍ଗ ଚମତ୍କାର ଫିଲ୍ଡ ଗୋଲ୍‌ ଦେଇ  ଦଳକୁ ୧-୦ ଗୋଲରେ ଅଗ୍ରଣୀ କରାଇଥିଲେ । ପରବର୍ତ୍ତୀ  ସମୟ ଖେଳ ବେଶ ସଂଘର୍ଷପୂର୍ଣ୍ଣ ହୋଇଥିଲା । ତେଣୁ ଦ୍ୱିତୀୟ  ଓ ତୃତୀୟ କ୍ୱାର୍ଟର ଖେଳ ଗୋଲଶୂନ୍ୟ ରହିଥିଲା । ଖେଳ  ଶେଷ ହେବାର ୨ ମିନିଟ ପୂର୍ବରୁ ଜାପାନ ଗୋଲ ପରିଶୋଧ  କରି ସ୍ଥିତି ୧-୧ କରିଥିଲା । ଶେଷ ମୁହୂର୍ତ୍ତ ଖେଳ ବେଶ  ଚିତାକର୍ଷକ ହୋଇଥିଲା । ଉଭୟ ଦଳ ବିଜୟୀ ହେବା ପାଇଁ  ସମସ୍ତ ବଳ ଲଗାଇ ଦେଇଥିଲେ ।  କିନ୍ତୁ ଗୋଲ୍‌ ହୋଇ ନଥିଲା ।  ପଏଣ୍ଟ ଭାଗ କରିବା ଦ୍ୱାରା  ଭାରତ ୩ଟି ମ୍ୟାଚରୁ ଗୋଟିଏ ବିଜୟ, ଗୋଟିଏ ପରାଜୟ  ଓ ଗୋଟିଏ ଡ୍ର’ ରଖି ମୋଟ୍‌ ୪ ପଏଣ୍ଟ ପାଇ ଟେବୁଲରେ  ଦ୍ୱିତୀୟ ସ୍ଥାନରେ ରହିଲା । ଚୀନ ଅପରାଜେୟ ସହ ଟେବୁଲ  ଟପ୍ପର ହୋଇଥିଲା । ଜାପାନ ଓ ଦକ୍ଷିଣ କୋରିଆ ବ୍ରୋଞ୍ଜ  ପଦକ ପାଇଁ ଖେଳିବେ । ଏସିଆ କପ୍‌ ଚାମ୍ପିଅନ ଦଳ ସିଧାସଳଖ ୨୦୨୬ ବିଶ୍ୱକପ୍‌କୁ ଯୋଗ୍ୟତା ହାସଲ କରିବ ।