ଭୁବନେଶ୍ୱର, ୧୧ /୯: ବିଶ୍ୱ ଆତ୍ମହତ୍ୟା ନିରାକରଣ ଦିବସ ଉପଲକ୍ଷେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ୍‌ ସାଇନ୍‌ସେସ୍‌ ଆଣ୍ଡ ସମ୍‌ ହସ୍ପିଟାଲ୍‌ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ସେପ୍ଟେମ୍ବର ୧୦ ତାରିଖ ସକାଳେ ହସ୍ପିଟାଲ୍‌ର ମେଡିକାଲ୍‌ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାରଙ୍କ ଉପସ୍ଥିତିରେ ମାନସିକ ରୋଗ ବିଭାଗ ପକ୍ଷରୁ ଏକ ବିଶାଳ ସଚେତନତା ରାଲିର ଆୟୋଜନ କରାଯାଇଥିଲା ।

ଏହି ଉପଲକ୍ଷେ ଏମ୍‌ବିବିଏସ୍‌ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ମାନସିକ ସ୍ୱାସ୍ଥ୍ୟ ଓ ଆତ୍ମହତ୍ୟା ନିରାକରଣ ସମ୍ପର୍କିତ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ହୋଇଥିଲା । ଏହି ପ୍ରତିଯୋଗିତାରେ ଭାଗ ନେଇଥିବା କୃତୀ ଛାତ୍ରଛାତ୍ରୀଙ୍କୁ ମେଡିକାଲ୍‌ କଲେଜର ଡିନ୍‌ ଇନ୍‌ଚାର୍ଜ ପ୍ରଫେସର ସୋମ୍ୟରଞ୍ଜନ ଦାଶ ପୁରସ୍କୃତ କରିଥିଲେ ।  ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଏକ ସର୍ଟ ଫିଲ୍ମ ଓ ପିଜି ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଅଭିନୀତ ନାଟକ ଅନେକଙ୍କୁ ପ୍ରଭାବିତ କରିଥିଲା ।

କାର୍ଯ୍ୟକ୍ରମରେ ପ୍ରଫେସର ଦାଶ ସମାବେଶକୁ ଉଦ୍‌ବୋଧନ ଦେଇ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବଢ଼ୁଥିବା ଆତ୍ମହତ୍ୟା ପ୍ରବଣତା ବିଷୟରେ ଗଭୀର ଚିନ୍ତା ପ୍ରକଟ କରିବା ସହ ମାନସିକ ସ୍ଥିରତା ସମ୍ବନ୍ଧୀୟ ଆବଶ୍ୟକୀୟ ପରାମର୍ଶ ଦେଇଥିଲେ ।

ମାନସିକ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ସୁରଜିତ ସାହୁ ଆତ୍ମହତ୍ୟା ସମସ୍ୟାର ସମାଧାନ ନୁହେଁ ଏବଂ ଏହା କିପରି ଏକ ଭୁଲ ପଦକ୍ଷେପ ସେ ବିଷୟରେ ଆଲୋଚନା କରିଥିଲେ ।

ଏହି ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ଅଭିନେତ୍ରୀ ଡାକ୍ତର ଭୂମିକା ଦାଶ ଓ ସମ୍‌ ହସ୍ପିଟାଲ୍‌ର ପ୍ରଥମ ବର୍ଷ ଏମ୍‌ବିବିଏସ୍‌ ଛାତ୍ର ତଥା ଅଭିନେତା ଲୋହିତ ଅକ୍ଷୟ ପଟ୍ଟନାୟକ ମାନସିକ ଅବସାଦ ସମ୍ବଦ୍ଧିତ ସଚେତନତା ଉପରେ ଆଲୋକପାତ କରିଥିଲେ ।

ଏହି କାର୍ଯ୍ୟକ୍ରମର ମୁଖ୍ୟ ସଂଚାଳକ ଭାବେ ପ୍ରଫେସର (ଡାକ୍ତର) ନିର୍ଲୀପ୍ତ କୁମାର ସାହୁ କାର୍ଯ୍ୟ ପରିଚାଳନା କରିଥିବା ବେଳେ ପ୍ରଫେସର (ଡାକ୍ତର) ଶୁଭେନ୍ଦୁ ନାରାୟଣ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।