ପୁରୀ,୨୪/୯ : ସ୍ୱେଚ୍ଛାସେବୀ ଅନୁଷ୍ଠାନ ସମ୍ପର୍କ ତରଫରୁ ମଙ୍ଗଳବାର ପୁରୀ ଜିଲ୍ଲା ବଣିଆ ସାହି ପଞ୍ଚାୟତ ସାମନ୍ତରାପୁର ଗ୍ରାମରେ ଜାତୀୟ ଆୟୁର୍ବେଦ ଦିବସ ପାଳନ କରାଯାଇଛି । ଏହି ଅବସରରେ ପଶୁ ପାଳନ କ୍ଷେତ୍ରରେ ପରମ୍ପରାଗତ ପଶୁ ଚିକିତ୍ସା ପଦ୍ଧତିର ଉପଯୋଗ ସମ୍ପର୍କରେ ସଚେତନତା ଶିବିର ଆୟୋଜିତ ହୋଇଥିଲା । ସମ୍ପର୍କର ସାଧାରଣ ସମ୍ପାଦକ ସୌମେନ୍ଦ୍ର ଦାସ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ପ୍ରାଣୀ ଚିକିତ୍ସକ ଡ. କମଳେଶ ପ୍ରଧାନ ଗୋ ଚାଷୀମାନଙ୍କୁ ସ୍ଥାନୀୟ ସ୍ତରରେ ଉପଲବ୍ଧ ହେଉଥିବା ତୁଳସୀ, ନିମ୍ବ, ସଜନା, ଅଶ୍ୱଗନ୍ଧା, ସତାବରୀ, ତ୍ରିଫଳା ମାଧ୍ୟମରେ କିପରି ଚିକିତ୍ସା କରା ଯାଇପାରିବ ସେ ସମ୍ପର୍କରେ ବୁଝାଇଥିଲେ ।
ପ୍ରାଣୀଧନ ନିରୀକ୍ଷକ ମଧୁସ୍ମିତା ପ୍ରଧାନ, ମୈତ୍ରୀ ଅଭିଲିପ୍ସା ଜୟସିଂ, ମୋହନ ବରାଳ, ଗଙ୍ଗାଧର ବରାଳ, ମିଶନ ଶକ୍ତି ସିଆର୍ପି ରୀନା ବରାଳ ଶିବିର ପରିଚାଳନାରେ ସହଯୋଗ କରିଥିଲେ । ପ୍ରାଣୀମାନଙ୍କ ପାଇଁ କିଛି ସାଧାରଣ ଆୟୁର୍ବେଦିକ ଔଷଧି ଏବଂ ସେମାନଙ୍କର ବ୍ୟବହାର ବିଷୟରେ ଆଲୋକପାତ ହୋଇଥିଲା । ପଶୁଚିକିତ୍ସାରେ ଅଶ୍ୱଗନ୍ଧା, ଗୁଡୁଚି, ତୁଳସୀ ଏବଂ ତ୍ରିଫଳା ପରି ଔଷଧି ବ୍ୟବହାର କରାଯାଏ, ଯାହା ରୋଗ ପ୍ରତିରୋଧକ ଶକ୍ତିକୁ ସୁଦୃଢ଼ କରେ ଏବଂ ସଂକ୍ରମଣ ଏବଂ ଚାପକୁ ହ୍ରାସ କରେ । ଏହା ବ୍ୟତୀତ, ଅଳସୀ ତେଲ ଟିଙ୍କ ଏବଂ ଉକୁଣି ଭଳି ବାହ୍ୟ ପରଜୀବୀଙ୍କ ଚିକିତ୍ସାରେ ସହାୟକ ହୁଏ ଏବଂ ପଶୁ ଖାଦ୍ୟରେ ପ୍ରାକୃତିକ ଔଷଧି ଅନ୍ତର୍ଭୁକ୍ତ କରିବା ଦ୍ୱାରା ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୁଏ ବୋଲି ବିଶେଷଜ୍ଞ କହିଥିଲେ । ଏହା ସହ ଆୟୁର୍ବେଦିକ ଚିକିତ୍ସା ଆଣ୍ଟିବାୟୋଟିକର ପାଶ୍ୱ ପ୍ରତିକ୍ରିୟା ଏବଂ ଆଣ୍ଟିବାୟୋଟିକ୍ ପ୍ରତିରୋଧର ବିପଦକୁ ହ୍ରାସ କରେ । ଏହା ପ୍ରାଣୀର ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରେ, ଯାହା ଏହାକୁ ରୋଗ ସହିତ ଭଲ ଭାବରେ ଲଢ଼ିବାକୁ ଅନୁମତି ଦିଏ । ଆୟୁର୍ବେଦ କେବଳ ରୋଗର ଚିକିତ୍ସା ଉପରେ ଧ୍ୟାନ ଦିଏ ନାହିଁ ବରଂ ପ୍ରାଣୀର ସାମଗ୍ରିକ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟକୁ ପ୍ରୋତ୍ସାହିତ କରିବା ଉପରେ ମଧ୍ୟ ଧ୍ୟାନ ଦିଏ ବୋଲି ଆଲୋଚନା ହୋଇଥିଲା ।