ନୂଆଦିଲ୍ଲୀ, ୨୮/୦୯: ଚଳିତ ବର୍ଷ ଫର୍ମୁଲା ୱାନରେ ନୂଆ ଚାମ୍ପିଅନଙ୍କ ଆବିର୍ଭାବ ଘଟିବା ଆଶା କରାଯାଉଛି । ମ୍ୟାକଲରେନ୍ସ ଡ୍ରାଇଭର ଓସ୍କାର ପିୟାଷ୍ଟ୍ରି ଏଥର ଟାଇଟଲ ଦୌଡ଼ରେ ସବୁଠୁ ଆଗରେ ରହିଛନ୍ତି । ତାଙ୍କ ସାଥୀ ଡ୍ରାଇଭର ଲାଣ୍ଡୋ ନରିସ୍ ଟାଇଟଲ ପାଇଁ ପ୍ରମୁଖ ଦାବିଦାର ରହିଛନ୍ତି । କ୍ରମାନ୍ୱୟରେ ଗତ ୪ ବର୍ଷ ଧରି ଟାଇଟଲ ବଜାୟ ରଖିଥିବା ଡିଫେଣ୍ଡିଂ ଚାମ୍ପିଅନ୍ ରେଡ୍ବୁଲ୍ର ମାକ୍ସ ଭର୍ଷ୍ଟାପେନ୍ ମଧ୍ୟ ଟାଇଟଲ ଦୌଡ଼ରୁ ବାଦ ପଡ଼ି ନାହାନ୍ତି ।
୭ ରେସ୍ ଜିତିଛନ୍ତି ପିୟାଷ୍ଟ୍ରି
ଇତି ମଧ୍ୟରେ ୧୭ଟି ରେସ୍ ଶେଷ ହୋଇଛି । ପିୟାଷ୍ଟ୍ରି ଚଳିତ ବର୍ଷ ସର୍ବାଧିକ ୭ଟି ରେସ୍ ଜିତି ସାରିଥିବାବେଳେ ନରିସ ୫ଟି ଓ ଭର୍ଷ୍ଟାପେନ ୪ଟି ରେସ୍ରେ ବିଜୟୀ ହୋଇଛନ୍ତି। ଡ୍ରାଇଭର ଷ୍ଟାଣ୍ଡିଂରେ ପିୟାଷ୍ଟ୍ରି ୩୨୪ ପଏଣ୍ଟ ଅର୍ଜନ କରିସାରିଥିବାବେଳେ ନରିସ ୨୯୯ ପଏଣ୍ଟ ଓ ଭର୍ଷ୍ଟାପେନ ୨୫୫ ପଏଣ୍ଟ ପାଇ ତାଲିକାର ପରବର୍ତ୍ତୀ ୨ଟି ସ୍ଥାନରେ ରହିଛନ୍ତି । ଆଗକୁ ଆଉ ୭ଟି ରେସ୍ ଓ ୩ଟି ସ୍ପ୍ରିଣ୍ଟ ବାକି ରହିଥିବାରୁ ଚାମ୍ପିଅନ୍ଙ୍କୁ ନେଇ ପୂର୍ବାନୁମାନ କରିବା କଷ୍ଟକର । ତଥାପି ଫର୍ମ ଓ ପ୍ରଦର୍ଶନକୁ ଦେଖିଲେ ପିୟାଷ୍ଟ୍ରି ମୁଖ୍ୟ ଦାବିଦାର ରହିଥିବା ସ୍ପଷ୍ଟ ବାରି ହୋଇ ପଡ଼ୁଛି । ପିୟାଷ୍ଟ୍ରି ଚଳିତ ବର୍ଷ ଚୀନ ଗ୍ରାଁପ୍ରି, ବାହାରିନ୍, ସାଉଦି ଆରବିୟାନ୍, ମାୟାମୀ, ସ୍ପାନିଶ, ବେଲଜିୟମ୍, ନେଦରଲାଣ୍ଡ୍ସ ଗ୍ରାଁପ୍ରି ଚାମ୍ପିଅନ୍ ହୋଇଛନ୍ତି । ନରିସ ଅଷ୍ଟ୍ରେଲିଆନ୍ ଗ୍ରାଁପ୍ରି ଜିତି ଅଭିଯାନ ଆରମ୍ଭ କରିଥିଲେ । ଏହାପରେ ସେ ମୋନାକୋ ଗ୍ରାଁପ୍ରି, ଅଷ୍ଟ୍ରିୟା, ବ୍ରିଟିଶ ଓ ହଙ୍ଗେରୀ ଗ୍ରାଁପ୍ରି ଜିତିଥିଲେ । ଭର୍ଷ୍ଟାପେନ ସିଜନ ଆରମ୍ଭରୁ ଲୟରେ ନଥିଲେ । ସିଜନର ତୃତୀୟ ରେସ୍ ଜାପାନ ଗ୍ରାଁପ୍ରିରେ ସେ ଚାମ୍ପିଅନ ହୋଇଥିଲେ । ଏହାପରେ ସେ ଏମିଲିଆ-ରୋମାଗ୍ନା, ଇଟାଲୀ ଓ ଆଜରବାଇଜନ ଗ୍ରାଁପ୍ରି ଜିତି ଫର୍ମ ଫେରି ପାଇଛନ୍ତି ।
୬୯ ପଏଣ୍ଟର ବ୍ୟବଧାନ
ଏବେଠୁ ଦାବିଦାର ଚୂଡ଼ାନ୍ତ କରିବା କଷ୍ଟକର । ପିୟାଷ୍ଟ୍ରି ଓ ଭର୍ଷ୍ଟାପେନଙ୍କ ମଧ୍ୟରେ ବର୍ତ୍ତମାନ ୬୯ ପଏଣ୍ଟର ବ୍ୟବଧାନ ରହିଛି । ଇଟାଲୀ ଓ ଆଜରବାଇଜନରେ କ୍ରମାଗତ ୨ଟି ରେସ୍ ଜିତି ଭର୍ଷ୍ଟାପେନ ଲୟ ଫେରି ପାଇଛନ୍ତି । ଆଗକୁ ସେ ଏହି ପ୍ରଦର୍ଶନ ବଜାୟ ରଖିବା ଆଶା କରାଯାଇପାରେ । ୩ଟି ରେସ୍ ଜିତିଲେ ସେ ପିୟାଷ୍ଟ୍ରିଙ୍କୁ ଅତିକ୍ରମ କରିପାରିବେ । ଫର୍ମାଟ୍ ଅନୁଯାୟୀ ରେସ୍ର ପ୍ରଥମ ସ୍ଥାନ ପାଇଁ ୨୫ ପଏଣ୍ଟ, ଦ୍ୱିତୀୟ ସ୍ଥାନ ପାଇଁ ୧୮ ପଏଣ୍ଟ, ତୃତୀୟ ସ୍ଥାନ ପାଇଁ ୧୫ ପଏଣ୍ଟ, ଚତୁର୍ଥ ସ୍ଥାନ ପାଇଁ ୧୨ ପଏଣ୍ଟ ଓ ପଞ୍ଚମ ସ୍ଥାନ ପାଇଁ ୧୦ ପଏଣ୍ଟ ପ୍ରଦାନ କରାଯାଉଛି । ଜଣେ ପ୍ରତିଦ୍ୱନ୍ଦ୍ୱୀ ପରବର୍ତ୍ତୀ ୭ଟି ରେସ୍ ଜିତିଲେ ୪୩୦ ପଏଣ୍ଟ ହାସଲ କରିପାରିବ । ତେଣୁ ଟାଇଟଲ ରେସ୍ ଏବେ ପର୍ଯ୍ୟନ୍ତ ଖୋଲା ରହିଛି । ମୋଟ୍ ଉପରେ ଦେଖିବାକୁ ଗଲେ ଏଥର ଶେଷ ରେସ୍ ଆବୁ ଧାବି ଗ୍ରାଁପ୍ରି ପର୍ଯ୍ୟନ୍ତ ସଂଘର୍ଷ ଲାଗି ରହିବ ।