ମୁମ୍ବାଇ,୨୫/୦୯: ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି ଏସିଆ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ । ସେପ୍ଟେମ୍ବର ୨୮ ତାରିଖରେ ଖେଳାଳି ଯିବ ଫାଇନାଲ ମ୍ୟାଚ୍ । ବୁଧବାର ସୁପର-୪ ରାଉଣ୍ଡରେ ବାଂଲାଦେଶକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛନ୍ତି ଟିମ୍ ଇଣ୍ଡିଆ । ଗୁରୁବାର ଅର୍ଥାତ୍ ଆଜି ସଂଧ୍ୟାରେ ଖେଳାଯିବ ଦ୍ବିତୀୟ ସେମି ଫାଇନାଲ୍ । ପାକିସ୍ତାନ ଏବଂ ବାଂଲାଦେଶ ମଧ୍ୟରୁ ଗୋଟିଏ ଟିମ୍ ଭାରତ ସହିତ ଟାଇଟଲ ପାଇଁ ଲଢ଼େଇ କରିବେ । ହେଲେ ଏହାରି ଭିତରେ ବିସିସିଆଇ ଏବଂ ପିସିବି ମଧ୍ୟରେ ବିବାଦ ବଢ଼ିଛି । ପାକିସ୍ତାନ କ୍ରିକେଟ୍ ବୋର୍ଡ ବିରୋଧରେ ଆଇସିସିରେ ଫେରାଦ ହୋଇଛି ବିସିସିଆଇ । ପାକ୍ ଖେଳାଳିଙ୍କ ଅଭଦ୍ର ଆଚରଣକୁ ଦୃଷ୍ଟି ଆକର୍ଷଣ କରିଛି । ରବିବାର ଖେଳାଯାଇଥିବା ଭାରତ-ପାକିସ୍ତାନ ମ୍ୟାଚରେ ପାକ୍ ଖେଳାଳି ଔଦ୍ଧତ୍ୟ ଦେଖିବାକୁ ମିଳିଥିଲା । ଏହାକୁ ନେଇ ଇଣ୍ଟର ନ୍ୟାସନାଲ କ୍ରିକେଟ କାଉନସିଲରେ ଅଭିଯୋଗ କରିଛି BCCI । ସାହିବଜାଦା ଫରହାନ ଏବଂ ହାରିସ୍ ରୌଫଙ୍କ ନାଁରେ ଅଭିଯୋଗ ହୋଇଛି।
ଏସିଆ କପରେ ଟିମ୍ ଇଣ୍ଡିଆ ଦୁଇ ଥର ପାକିସ୍ତାନକୁ ପରାସ୍ତ କରିଛନ୍ତି । ମାତ୍ର ଦ୍ବିତୀୟ ମ୍ୟାଚ୍ ପାକ୍ ଖେଳାଳିଙ୍କ ଔଦ୍ଧତ୍ୟ ଦେଖିବାକୁ ମିଳିଥିଲା । ସାହିବଜାଦା ଫରହାନ ଅର୍ଦ୍ଧଶତକ ହାସଲ ପରେ ବ୍ୟାଟକୁ ବନ୍ଧୁକ ଚଳାଇବା ଭଳି ଢଙ୍ଗରେ ଦେଖାଇ ସେଲିବ୍ରେସନ କରିଥିଲେ । ଫରହାନଙ୍କର ଏପରି ବିବାଦୀୟ ସେଲିବ୍ରେସନକୁ ସମସ୍ତେ ନାପସନ୍ଦ କରିଛନ୍ତି । ସେହିପରି ଅପରେସନ ସିନ୍ଦୁରକୁ ନେଇ ହାରିସ୍ ରୌଫ ବିବାଦୀୟ ଇଙ୍ଗିତ କରିଥିଲେ ।
ଯେତେବେଳେ ରୌଫ ବାଉଣ୍ଡାରୀ ଲାଇନରେ ଫିଲ୍ଡିଂ କରୁଥିଲେ, ଏହି ସମୟରେ ଭାରତୀୟ ପ୍ରଶଂସକମାନେ ତାଙ୍କୁ "ବିରାଟ କୋହଲି" କହି ନାରାବାଜି କରିଥିଲେ। ଜବାବରେ, ରୌଫ୍ ତାଙ୍କ ଆଙ୍ଗୁଠି ସାହାଯ୍ୟରେ ୬-୦ ଇଙ୍ଗିତ କରିଥିଲେ। ଏହି ଇଙ୍ଗିତ ଅପରେସନ୍ ସିନ୍ଦୂର ପରେ ଭାରତ-ପାକିସ୍ତାନ ସୀମାରେ ଘଟିଥିବା ସଂଘର୍ଷ ସମୟରେ ପାକିସ୍ତାନର ଦାବିକୁ ଇଙ୍ଗିତ କରୁଛି । ଯେଉଁଥିରେ ପାକିସ୍ତାନ ୬ ଭାରତୀୟ ଯୁଦ୍ଧ ବିମାନକୁ ଖସାଇ ଦେଇଥିବା ଦାବି କରିଥିଲା ।
ସୂଚନା ଅନୁଯାୟୀ, ଏହି ଦୁଇ ଖେଳାଳିଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଆଇସିସି ମଧ୍ୟ ଦୁଇ ପ୍ଲେୟାରଙ୍କୁ ଇମେଲ୍ ପଠାଇ ସାରିଛି । ଯଦି ସାହିବଜାଦା ଫରହାନ ଏବଂ ହାରିସ୍ ରୌଫ ଅଭିଯୋଗକୁ ପ୍ରତ୍ୟାଖାନ କରନ୍ତି, ତେବେ ଆଇସିସି ଏଲିଟ୍ ପ୍ୟାନେଲ୍ ରେଫରୀ ରିଚି ରଚାର୍ଡସନଙ୍କ ସାମ୍ନାରେ ଅଭିଯୋଗର ଶୁଣାଣି ହେବ । ଦୁଇ ଖେଳାଳି ଆଇସିସି ଏଲଟି୍ ପ୍ୟାନେଲ ସାମ୍ନାକୁ ଆସିବାକୁ ବାଧ୍ୟ ହେବେ । ପାକିସ୍ତାନ ଖେଳାଳିଙ୍କ ବିରୋଧରେ କ’ଣ ଆକ୍ସନ ନିଆଯିବ । ଦୁଇ ଖେଳାଳିଙ୍କୁ କ’ଣ ଦଣ୍ଡ ମିଳିବ, ଏହା ରିଚି ରଚାର୍ଡସନଙ୍କ ଫଇସଲା ପରେ ଜଣାପଡ଼ିବ ।