ମୁମ୍ବାଇ,୦୪/୧୧: ବିଶ୍ବ ବିଜୟୀ ଟିମ୍ ଇଣ୍ଡିଆ । ଦିନିକିଆ ବିଶ୍ବକପ୍ ଜିତି ପ୍ରଥମ ଥର ପାଇଁ ଟାଇଟଲ ଉଠାଇଛି ମହିଳା କ୍ରିକେଟ୍ ଦଳ । ହରମନପ୍ରୀତ ସେନା ଫାଇନାଲ୍ ଫାଇଟରେ ଦକ୍ଷିଣ ଆଫ୍ରିକାକୁ ୫୨ ରନରେ ପରାସ୍ତ କରିଛି । ଏହା ପୂର୍ବ ଭାରତୀୟ ପୁରୁଷ ଟିମ୍ ୪ଥର ଓ୍ବାର୍ଲ୍ଡ ଚାମ୍ପିଅନ୍ ହୋଇଛି । ୧୯୮୩ରେ କପିଲ ଦେବଙ୍କ ନେତୃତ୍ବରେ ଦିନିକିଆରେ ପ୍ରଥମ ବିଶ୍ବକପ୍ ଜିତିଥିଲା ଟିମ୍ ଇଣ୍ଡିଆ । ପରେ ଗ୍ରେଟ୍ ମହେନ୍ଦ୍ର ସିଂହ ଧୋନୀ ୨୦୦୭ରେ ଟି-ଟ୍ବେଣ୍ଟି ବିଶ୍ବକପ୍ ଏବଂ ୨୦୧୧ରେ ଓ୍ବାନଡେ’ ଓ୍ବାର୍ଲ୍ଡକପ୍ ଜିତାଇଥିଲେ । ସେହିପରି ହିଟ୍ମ୍ୟାନ୍ ରୋହିତ ଶର୍ମାଙ୍କ ଅଧିନାୟକତ୍ବରେ ଟିମ୍ ଇଣ୍ଡିଆ ୨୦୨୪ରେ ଟି-ଟ୍ବେଣ୍ଟିରେ ଓ୍ବାର୍ଲ୍ଡ ଚାମ୍ପିଅନ୍ ହୋଇଥିଲା । ଏବେ ମହିଳା ଟିମ୍ ଏହି ସୁନାମ ଅର୍ଜନ କରିଛି । ଏହା କେବଳ ବିସିସିଆଇର ପ୍ରୋତ୍ସାହନ ପାଇଁ ସମ୍ଭବ ହୋଇଛି । ପୂର୍ବତନ ବିସିସିଆଇ ସମ୍ପାଦକ ଜୟ ଶାହଙ୍କ ଦୂରଦୃଷ୍ଟି ସମ୍ପନ୍ନ ନୀତି ପାଇଁ ଭାରତୀୟ ମହିଳା ଟିମ୍ ଆଜି ଶୀର୍ଷରେ ପହଞ୍ଚିଛି । ୨୦୨୨ରେ ପୂର୍ବତନ ବିସିସିଆଇ ସମ୍ପାଦକ ଏକ ଐତିହାସିକ ନୀତି ଆଣିଥିଲେ । ଏଥିରେ ପୁରୁଷ ଟିମ୍ ଏବଂ ମହିଳା ଦଳ ମ୍ୟାଚ୍ ଫି’ ସମାନ ହୋଇଥିଲା । ହେଲେ ସେଣ୍ଟ୍ରାଲ୍ କଣ୍ଟ୍ରାକ୍ଟରେ ବହୁତ ବଡ଼ ଅନ୍ତର ରହିଛି ।
ବାର୍ଷିକ ଦରମାରେ ବଡ଼ ଅନ୍ତର-
୨୦୨୨ରୁ ମହିଳା ଦଳର ଖେଳାଳିଙ୍କୁ ଗୋଟିଏ ଟେଷ୍ଟ ମ୍ୟାଚ୍ ପିଛା ୧୫ ଲକ୍ଷ ଟଙ୍କା, ଓ୍ବାନଡେ’ ମ୍ୟାଚ୍ ବାବଦକୁ ୬ ଲକ୍ଷ ଟଙ୍କା ଏବଂ ଟି-ଟ୍ବେଣ୍ଟି ମ୍ୟାଚ୍ ପିଛା ୩ ଲକ୍ଷ ଟଙ୍କା ମିଳୁଛି । ଯାହା ଭାରତୀୟ ପୁରୁଷ ଟିମ୍ ସହ ସମାନ ପେ’ ଷ୍ଟ୍ରକ୍ଚର । ହେଲେ ସେଣ୍ଟ୍ରାଲ୍ କଣ୍ଟ୍ରାକ୍ଟରେ ପୁରୁଷ ଏବଂ ମହିଳାଙ୍କ ମଧ୍ୟରେ ସମ୍ମାନତାରେ ବହୁତ ଅନ୍ତର ରହିଛି । ପୁରୁଷ ଏବଂ ମହିଳାଙ୍କ ମଧ୍ୟରେ ଆକାଶ ପାତାଳ ଫରକ୍ ରହିଛି । ବିସିସିଆଇ ଗ୍ରେଡ୍-ଏ ମହିଳା ଖେଳାଳିଙ୍କୁ ବାର୍ଷିକ ପାଉଣା ୫୦ ଲକ୍ଷ ଟଙ୍କା ଦେଉଥିବା ବେଳେ ପୁରୁଷଙ୍କୁ ଏବାବଦରେ ୫ କୋଟି ଟଙ୍କା ମିଳୁଛି ।
ପୁରୁଷଙ୍କ ବାର୍ଷିକ ଦରମାର ମାତ୍ର ୧୦ ପ୍ରତିଶତ-
ବିସିସିଆଇ ଖେଳାଳିଙ୍କୁ ତିନୋଟି ଶ୍ରେଣୀରେ ବିଭକ୍ତ କରିଛି । ଗ୍ରେଡ୍-ଏ, ଗ୍ରେଡ୍-ବି ଏବଂ ଗ୍ରେଡ୍-ସି । ଭାରତୀୟ ମହିଳା ଦଳର ଗ୍ରେଡ୍-ଏ ଖେଳାଳିଙ୍କୁ ବାର୍ଷିକ ୫୦ ଲକ୍ଷ ଟଙ୍କା, ଗ୍ରେଡ୍-ବି ଖେଳାଳିଙ୍କୁ ୩୦ ଲକ୍ଷ ଏବଂ ଗ୍ରେଡ-ସି ଖେଳାଳିଙ୍କୁ ବାର୍ଷିକ ୧୦ ଲକ୍ଷ ଟଙ୍କା ଲେଖାଏ ମିଳୁଛି । ହେଲେ ଭାରତୀୟ ପୁରୁଷ ଟିମ୍ରେ ସେଣ୍ଟ୍ରାଲ୍ ଷ୍ଟ୍ରକ୍ଚରକୁ ୪ଟି ଶ୍ରେଣୀରେ ବିଭକ୍ତ କରାଯାଇଛି । ଗ୍ରେଡ୍-ଏ+ ଖେଳାଳିଙ୍କୁ ବାର୍ଷିକ ପାଉଣା ବାବଦକୁ ୧୦କୋଟି ଟଙ୍କା, ଗ୍ରେଡ୍-ଏ ଖେଳାଳିଙ୍କୁ ୫ କୋଟି, ଗ୍ରେଡ୍-ବି ଖେଳାଳିଙ୍କୁ ୩କୋଟି ଏବଂ ଗ୍ରେଡ୍-ସି ଖେଳାଳିଙ୍କୁ ୧କୋଟି ଟଙ୍କା ଲେଖାଏ ମିଳୁଛି । ଦେଖିବାକୁ ଗଲେ ମହିଳା କ୍ରିକେଟ୍ ପ୍ଲେୟାରଙ୍କୁ ପୁରୁଷଙ୍କ ବାର୍ଷିକ ଦରମାର ମାତ୍ର ୧୦ ପ୍ରତିଶତ ମିଳୁଛି । ଯାହାକୁ ନେଇ ଫ୍ୟାନ୍ସ ଏବଂ କ୍ରିକେଟ୍ ବିଶେଷଜ୍ଞ ଚିନ୍ତା ପ୍ରକଟ କରିଛନ୍ତି ।
ମହିଳା କ୍ରିକେଟରଙ୍କ ଲୋକପ୍ରିୟତା-
ଗତ କିଛି ବର୍ଷ ମଧ୍ୟରେ ଭାରତୀୟ ମହିଳା କ୍ରିକେଟର ଲୋକପ୍ରିୟତା ବଢ଼ିଛି । ଏହାର ମୁଖ୍ୟ କାରଣ ହେଉଛି ମହିଳା ପ୍ରିମିୟର ଲିଗ୍ । ବିସିସିଆଇ ଡବ୍ଲୁପିଏଲ୍ ଆରମ୍ଭ କରିବା ପର ଠାରୁ ମହିଳା କ୍ରିକେଟ୍ ଖେଳାଳି ମାନେ ନିଜର ପ୍ରତିଭା ବଡ଼ ମଞ୍ଚରେ ପ୍ରତିପାଦନ କରିବାକୁ ସୁଯୋଗ ପାଉଛନ୍ତି । ହରମନପ୍ରୀତ କୌର, ସ୍ମୃତି ମାନ୍ଧାନା, ରିଚା ଘୋଷ ଭଳି ଖେଳାଳି ଲୋକପ୍ରିୟ ହୋଇ ପାରିଛନ୍ତି । ମହିଳା କ୍ରିକେଟରଙ୍କ ପାଉଣା ମଧ୍ୟ ବଢ଼ିଛି ।
ଅଷ୍ଟ୍ରେଲିଆ ଠାରୁ ଅଧିକ ମିଳିଲା ଧନରାଶି-
ଭାରତୀୟ ମହିଳା କ୍ରିକେଟ୍ ଟିମ୍ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଦିନିକିଆରେ ବିଶ୍ବ ଚାମ୍ପିଅନ ହୋଇଛି । ଏନେଇ ବିସିସିଆଇ ବଡ଼ ଘୋଷଣା କରିଛି । ମହିଳାଙ୍କ ଉପରେ ଧନବର୍ଷା କରିଛି ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ । ପୁରସ୍କାର ରାଶି ବାବଦକୁ ୫୧ କୋଟି ଟଙ୍କା ଦେବାକୁ ଘୋଷଣା କରିଛି । ଯାହା ଅଷ୍ଟ୍ରେଲିଆ ପୁରୁଷ ଟିମ୍ ୨୦୨୩ରେ ଦିନିକିଆ ବିଶ୍ବକପ ଜିତିବା ପରେ ମିଳିଥିବା ଧନରାଶି ଅଧିକ । ବିସିସିଆଇ ପାଇଁ ଏହା ଏକ ମାଇଲଷ୍ଟୋନ୍ ବୋଲି କୁହାଯାଉଛି ।...